ବାତ୍ୟା ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ ;ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ


 ବୈଶିଙ୍ଗା :  ବାତ୍ୟା "ଦାନା'କୁ ନେଇ ମୟୁରଭଞ୍ଜ ଜିଲ୍ଲାକୁ ଲାଲ ସତର୍କ ଜାରି କରାଯାଇଛି । ଏହାର ପ୍ରଭାବ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ବର୍ଷା ଓ ପବନ । ମୟୂରଭଞ୍ଜ ଜିଲ୍ଲା ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଥିବା ବେଳେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ମୟୁରଭଞ୍ଜ ଜିଲ୍ଲାର ବାତ୍ୟା ସ୍ଥିତି ଅନୁଧ୍ୟାନ ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହାକୁ ନେଇ ପରିଚାଳନା ଦାୟିତ୍ୱରେ ଥିବା ମନ୍ତ୍ରୀ ଡା ମହାପାତ୍ର ଓ ବରିଷ୍ଠ ଆଇଏଏସ ଅଧିକାରୀ ବିନୀତ ଭରଦ୍ୱାଜ ଗୁରୁବାର ବିଭିନ୍ନ ସ୍ଥାନରେ ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କରିଛନ୍ତି । 
ଉପ ଜିଲ୍ଲାପାଳ, ତହସିଲଦାର, ବିଡ଼ିଓ ସହିତ ପରିଚାଳନା ନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ମୟୂରଭଞ୍ଜ ଜିଲ୍ଲାରେ ଥିବା ୪୫୦ ବାତ୍ୟା ଆଶ୍ରୟସ୍ଥଳୀରେ ୩୪ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣଙ୍କୁ ସ୍ଥାନାନ୍ତରୀକରଣ କରାଯାଇଛି । କଚ୍ଚ। ଘର ଓ ବିପଦସଂକୁଳ ସ୍ଥାନରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସନ୍ଧ୍ୟା ପୂର୍ବରୁ ସମସ୍ତଙ୍କୁ ଉଦ୍ଧାର କରି ବାତ୍ୟା ଆଶ୍ରୟସ୍ଥଳୀକୁ ଆଣିବାକୁ ମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି । ଅଧିକ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରଶାସନିକ କର୍ମଚାରୀ କାର୍ଯ୍ୟରତ ମଧ୍ୟ ରହିଛନ୍ତି । ମନ୍ତ୍ରୀ ଡା ମହାପାତ୍ର ବଡ଼ସାହି, ମାଣତ୍ରି, ବୈଶିଙ୍ଗା, ମୋରଡା, ରାସଗୋବିନ୍ଦପୁର, ଶୁଲିଆପଦା ଆଦି ବ୍ଲକରେ ବୁଲି ପରିସ୍ଥିତି ପରଖିଛନ୍ତି । ତାଙ୍କ ସହିତ ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ, ବିଧାୟକ ଭାଦବ ହାସଁଦ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବ୍ରଜମୋହନ ବେହେରା, ରାଜ କିଶୋର ଶାହା, ଲକ୍ଷ୍ମୀଧର ଦଣ୍ଡପାଟ, ରତିକାନ୍ତ ମହାନ୍ତ, ଖଗେଶୂର ରାଉଳ ଓ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଅରୁଣ କୁମାର ଓତା, ପ୍ରକାଶ ବେହେରା,ସ୍ୱରୁପ ପଟ୍ଟନାୟକ ପ୍ରମୁଖ ବାତ୍ୟା ସ୍ଥିତି ସେନେଇ ଆଶ୍ରୟ ସ୍ଥଳୀର ଲୋକଙ୍କ ସହିତ ଆଲୋଚନା କରିଛନ୍ତି । ରାତିରେ ବାତ୍ୟା ଦାନା ଲ୍ୟାଣ୍ଡଫଳ କରିବାକୁ ଥିବା ବେଳେ ରାଜ୍ୟ ସରକାରଙ୍କ ଜିରୋ କାଜୁଆଲିଟି ନାରାକୁ କାର୍ଯ୍ୟକାରୀ କରି ଲୋକଙ୍କୁ ସୁରକ୍ଷିତ ରଖି ସେବା ଯୋଗାଇବାକୁ ନିଦେ୍ର୍ଦଶ ଦେଇଛନ୍ତି । ବିଭିନ୍ନ ସ୍ଥାନରେ କୋହଲା ପାଗ ସହ ଝିପି ଝିପି ବର୍ଷା ଆରମ୍ଭ ହୋଇ ଯାଇଥିବା ବେଳେ ସନ୍ଧ୍ୟାକୁ ବର୍ଷା ଏବଂ ପବନର ବେଗ ବୃଦ୍ଧି ପାଇଥିଲା । ଜିଲ୍ଲାକୁ ଅରେଞ୍ଜ ୱାଣିଂ ଜାରି କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପୂର୍ବ ପ୍ରସ୍ତୁତି କରାଯାଇଛି । ବେତନଟୀ ବ୍ଲକର ବିଡିଓ ଗୋପିନାଥ ଖାଖାଙ୍କ ସୂଚନା ଅନୁଯାଇ ୪୫ଟି ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଛଅ ଶହରୁ ଉର୍ଦ୍ଧ୍ୱ ଲୋକଙ୍କୁ ସୁବିଧାରେ ରଖାଯାଇଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ମଧ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କୁ ଏହି ଆଶ୍ରୟସ୍ଥଳୀରେ ନିୟୋଜିତ କରାଯାଇଛି । ଏଥି ସହିତ ବିଦୁ୍ୟତ ବିଭାଗ, ରାଜସ୍ୱ ବିଭାଗ, ଜଙ୍ଗଲ ବିଭାଗ, ପଶୁ ସମ୍ପଦ ବିଭାଗକୁ ମଧ୍ୟ ସତର୍କ ରହିବାକୁ ନିଦେ୍ର୍ଦଶନାମା ଜାରି କରାଯାଇଛି ।