ଅଙ୍ଗନବାଡ଼ିରେ ଅବ୍ୟବସ୍ଥାକୁ ନେଇ ଉତ୍ତେଜନା
ବୈଶିଙ୍ଗାରୁ ବିମଳେନ୍ଦୁ ମହାପାତ୍ର: କେନ୍ଦ୍ର ସରକାରଙ୍କ ଅଙ୍ଗନବାଡି ଯୋଜନାରେ ପ୍ରତି ଗ୍ରାମରେ ୫ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ପାଠ ପଢାଇବା, ସୁଷମ ଖାଦ୍ୟ ଦେବା, ଗର୍ଭବତୀ ମହିଳାଙ୍କୁ ଗର୍ଭ ଧାରଣ ଠାରୁ ୫ବର୍ଷ ପର୍ଯ୍ୟନ୍ତ ପୁଷ୍ଟିସାର ଖାଦ୍ୟ ଦେବା ଏବଂ ଶିଶୁ ଜନ୍ମ ପରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଆଦି ବିଭିନ୍ନ କାର୍ଯ୍ୟ କରାଯାଇଥାଏ । ମାତ୍ର ବହୁତ ଅଙ୍ଗନବାଡ଼ି କେନ୍ଦ୍ରରେ ଏହାର ବିଲକ୍ଷଣ ହେଉଥିବାର ବାରମ୍ୱାର ଅଭିଯୋଗ ଆସୁଛି । ଆଜି ଏଭଳି ଏକ ଘଟଣା ଘଟିଛି ବୈଶିଙ୍ଗା ଥାନା ଅଧିନ ନତପୁର ପଞ୍ଚାୟତର ଟିକର ଗଡିଆ ଅଙ୍ଗନବାଡ଼ି କେନ୍ଦ୍ରରେ । ଏହି କେନ୍ଦ୍ରର ଶିକ୍ଷୟିତ୍ରୀ ଶ୍ରାବଣୀ ମୁର୍ମୁ ପ୍ରତି ମାସରେ ୧୫ ଦିନରୁ ଅଧିକ ବନ୍ଦ ରଖିଥାନ୍ତି, ପିଲା ସଂଖ୍ୟା ଅନୁସାରେ କମ ଅଣ୍ଡା ଏବଂ ଅଳ୍ପ ଚାଉଳରେ ଭାତ ରାନ୍ଧି ଖାଇବାକୁ ଦିଅନ୍ତି, ପେଟ ନପୁରିଲେ ଘରେ ଯାଇ ପିଲା ଖାଆନ୍ତି,ପିଲାଙ୍କ ପାଇଁ ଡ୍ରେସ ଆସିଲେ ଦିଅନ୍ତି ନାହିଁ ବୋଲି ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଗତବର୍ଷ ଏହି ଘଟଣାକୁ ନେଇ ସିଡିପିଓ,ସରପଞ୍ଚ, ସୁପରଭାଇଜର ଏବଂ ଗ୍ରାମବାସୀଙ୍କୁ ଏକ ସମାଧାନର ବୈଠକ ବସିଥିଲା । ପରବର୍ତ୍ତୀ ସମୟରେ ଖିଲାପି ହେଲେ ନିଜେ ଚାକିରୀରୁ ଇସ୍ତଫା ଦେଇ ଦେବେ ବୋଲି ଶ୍ରାବଣୀ ମୁର୍ମୁ ଲେଖି ଦେଇଥିଲେ । ପୁଣି ଠିକ୍ ବର୍ଷେ ପରେ କିଛି ନ ଜଣାଇ ୨୫ ଦିନ ଧରି କେନ୍ଦ୍ର ବନ୍ଦ ରଖିବା ପ୍ରତିବାଦରେ ଗ୍ରାମବାସୀ ମାନେ କେନ୍ଦ୍ରରେ ତାଲା ପକାଇ ସିଡିପିଓଙ୍କୁ ଖବର ଦେଇଥିଲେ । ଖବର ପାଇଁ ସୁପରଭାଇଜର ସୁଭଦ୍ରା ଦଳେଇ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଶିକ୍ଷୟତ୍ରୀଙ୍କ ବହିସ୍କାର ପାଇଁ ଗ୍ରାମବାସୀମାନେ ଅଡି ବସିଥିଲେ । ସରପଞ୍ଚ ଜୟନ୍ତ ସିଂଙ୍କୁ ଯୋଗାଯୋଗ କରିବା ପରେ ସେ ଅଡିଟ୍ ପାଇଁ ବ୍ୟସ୍ତ ଅଛନ୍ତି ପରେ ଯାଇ ମୁଁ ସମାଧାନ କରିଦେବାର ପ୍ରତିଶୃତି ଦେଇଥିଲେ । ସିଡିପିଓ ପାନବତୀ ମୁର୍ମୁଙ୍କୁ ଯୋଗାଯୋଗ କରାଯିବାରେ ସେ କହିଲେ ମୁଁ ସୁପରଭାଇଜର ଫେରିଲେ ମୁଁ ଘଟଣାର ଅବଗତ ହେବା ପରେ ପ୍ରକୃତ ନ୍ୟାୟ ଦେବା ସହିତ ସମାଧାନର ବ୍ୟବସ୍ଥା କରିବି । ଘଟଣା ଲେଖା ହେବା ପର୍ଯ୍ୟନ୍ତ ବୈଶିଙ୍ଗା ପୋଲିସକୁ କୌଣସି ଖବର ଆସିନଥିଲା ।