ବିଜ୍ଞାନ କଲେଜର ପ୍ରତିଷ୍ଠା ଦିବସ
ଆସିକା : ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ସମାରୋହ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ନବନିର୍ମିତ ଶ୍ରେଣୀଗୃହର ଶୁଭ ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା ରୂପେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ତାରାପ୍ରସାଦ ଦାଶ, ସମ୍ମାନିତ ଅତିଥି ରୂପେ ପୁରାତନ ଛାତ୍ର ସଂସଦର ସଭାପତି ଡ. ନିରାକର ଭଟ୍ଟ, ପ୍ରଶାସନିକ ଅଧିକାରୀ ବିଭୁତି ଭୂଷଣ ବେବର୍ତ୍ତା ମଞ୍ଚାସୀନ ଥିଲେ । ବିଧାୟକ ପାଢ଼ୀଙ୍କ ସ୍ପଷ୍ଟବାଦୀ ଭାଷଣ ସମସ୍ତଙ୍କୁ ଆକୃଷ୍ଟ କରିଥିଲା । ମହାବିଦ୍ୟାଳୟର ସମସ୍ତ ବିକାଶମୂଳକ କାର୍ଯ୍ୟରେ ମୁଁ ବଦ୍ଧପରିକର ବୋଲି କହିଥିଲେ । ବାଳିକାବାଳକ ଛାତ୍ରାବାସ ତଥା କ୍ରୀଡା ପ୍ରାଙ୍ଗଣର ପାଚେରୀ ନିର୍ମାଣ ପାଇଁ ସେ ଦୃଢ଼ ପ୍ରତିଶୃତି ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କୁ ନିଜ ଶୈକ୍ଷିକ ଦକ୍ଷତା ବଳରେ ମହାବିଦ୍ୟାଳୟର ଗୌରବକୁ ଅକ୍ଷୂର୍ଣ୍ଣ ରଖିବା ପାଇଁ ଆହ୍ୱାନ କରିଥିଲେ । ସମ୍ମାନିତ ଅତିଥି ତଥା ପୁରାତନ ଛାତ୍ର ସଂସଦର ସଭାପତି ଡ. ଭଟ୍ଟ ନିଜର ସ୍ୱଳ୍ପ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମୀ, ମନଯୋଗୀ ଏବଂ ସମୟାନୁବର୍ତ୍ତିତା ପରାୟଣ ହେବା ପାଇଁ ସଫଳତାର ମନ୍ତ୍ର ପ୍ରଦାନ କରିଥିଲେ । ସମାରୋହର ଅନ୍ତିମ ପର୍ଯ୍ୟାୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ତରୀୟ ସ୍ନାତକ କୃତି ଛାତ୍ରଛାତ୍ରୀ ତଥା ଆସିକା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁକ୍ତ ଦୁଇ ବିଜ୍ଞାନ, କଳା, ବାଣିଜ୍ୟ ଏବଂ ଧନ୍ଦାମୂଳକ ବିଭାଗର ଶ୍ରେଷ୍ଠତମ ଛାତ୍ରଛାତ୍ରୀଙ୍କୁ ମଞ୍ଚାସୀନ ଅତିଥିଙ୍କ ଦ୍ୱାରା ଟ୍ରଫି ସହ ପ୍ରମାଣ ପତ୍ର ପ୍ରଦାମ କରାଯାଇଥିଲା ।