ବିଜୟ ମହାପାତ୍ରଙ୍କୁ ଭେଟିଲେ ମୋକିମ୍
୨୦୨୬ ହେବ ଘଟଣାବହୁଳ ବର୍ଷ : ବିଜୟ
ରାଜନୀତିକ ନୁହେଁ ବ୍ୟକ୍ତିଗତ ଆଲୋଚନା : ମୋକିମ
ଭୁବନେଶ୍ୱର : ରାଜ୍ୟ ରାଜନୀତି କଡ଼ ଲେଉଟାଇଲେ ବିଜୟ ମହାପାତ୍ରଙ୍କ କଥା ମନେପଡେ଼ । ସମ୍ପ୍ରତି ରାଜ୍ୟରେ ଏକ ନୂଆ ରାଜନୀତିକ ସମୀକରଣ ନେଇ ଚର୍ଚ୍ଚା ହେଉଥିବାବେଳେ ବିଜୟ ମହାପାତ୍ରଙ୍କୁ ଭେଟିଛନ୍ତି ମହମ୍ମଦ ମୋକିମ୍ । ବିଜୟଙ୍କ ନୟାପଲ୍ଲୀ ବାସଭବନରେ ମୋକିମ ତାଙ୍କୁ ଭେଟି ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି । ତେବେ କ’ଣ ଚର୍ଚ୍ଚା ହେଲା ସେନେଇ ଉଭୟ କିଛି ସ୍ପଷ୍ଟ କରିନାହାନ୍ତି ।
ମୋକିମ୍ କହିଛନ୍ତିଯେ, ସେ ବାରବାର ବିଜୟ ବାବୁଙ୍କୁ ଭେଟନ୍ତି । ଏଥିରେ ନୂତନତ୍ୱ କିଛି ନାହିଁ। ସେ ଜଣେ ବରିଷ୍ଠ ରାଜନେତା । ବହୁ ଅଭିଜ୍ଞତା ରହିଛି । ତେଣୁ ଏହାକୁ ନେଇ ଚର୍ଚ୍ଚାର ଆବଶ୍ୟକତା ନାହିଁ । ଅପରପକ୍ଷରେ ବିଜୟ ମହାପାତ୍ର କହିଛନ୍ତିଯେ, ୨୦୨୬ ଓଡ଼ିଶା ରାଜନୀତି ପାଇଁ ଏକ ଘଟଣାବହୁଳ ବର୍ଷ ହେବ । ଏବେ ଓଡ଼ିଶାର ରାଜନୀତିକ ଚିତ୍ର ଅସ୍ପଷ୍ଟ ରହିଛି । ଗଣମାଧ୍ୟମରେ ଯେଉଁସବୁ ଚର୍ଚ୍ଚା ହେଉଛି ସେଥିରେ ସତ୍ୟତା ନାହିଁ। ଆମେ ରାଜନୀତିକ ନୁହେଁ ଘରୋଇ ଆଲୋଚନା କରିଛୁ । ନୂଆ ଆଞ୍ଚଳିକ ଦଳ ନେଇ ମୋ ସହ କେହି ଆଲୋଚନା କରିନାହାନ୍ତି ବୋଲି ବିଜୟ କହିଛନ୍ତି ।