ବିଡି ଶ୍ରମିକ ସଂଘର ୫୦ତମ ବାର୍ଷିକୋତ୍ସବ
ବ୍ରହ୍ମବରଦା: ବ୍ରହ୍ମବରଦା ପଞ୍ଚାୟତ ହାଟସ୍ଥିତ ଆଞ୍ଚଳିକ ବିଡି ଶ୍ରମିକ ସଂଘର ୫୦ତମ ବାର୍ଷିକୋତ୍ସବ ସଭାପତି ପ୍ରଦୀପ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସର୍ବ ସମ୍ମତି କ୍ରମେ ସଂଘର ସଭାପତି ଭାବେ ପୁନର୍ବାର ଶ୍ରୀ ଦାସଙ୍କୁ ମନୋନୀତ କରାଯାଇଛି । ଶ୍ରୀଦାସ କହିଥିଲେ କି ବିଡି ଶ୍ରମିକ ମାନେ କିପରି ଦୀର୍ଘ ବର୍ଷ ହେବ ଅବହେଳିତ ହୋଇ ରହିଛନ୍ତି, ସେମାନଙ୍କର ଥିବା ବିଭିନ୍ନ ଦାବି, ବର୍ଦ୍ଧିତ ପେନସନ, ବିଡି ଶ୍ରମିକ ମେଡିକାଲରେ ଓଡ଼ିଆ ଡାକ୍ତରଙ୍କ ନିଯୁକ୍ତି ଓ ଦିନରେ ୧୨ ଘଣ୍ଟାରୁ ଅଧିକ ପରିଶ୍ରମ କରି ଏକ ହଜାର ବିଡି ବାନ୍ଧିବା ପରେ ସେମାନେ କିପରି ମାତ୍ର ୧୫୦ଟଙ୍କା ମଜୁରୀ ପାଇ ବହୁ ଦୁଃଖ କଷ୍ଟରେ ନିଜ ପରିବାର ଚଳାଉଛନ୍ତି ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରିବେ ବୋଲି କହିଥିଲେ । ତାସହିତ ସଂଘ ତାଙ୍କ ଉପରେ ଆସ୍ଥା ଓ ଭରସା ପ୍ରକଟ କରି ପୁନର୍ବାର ସଭାପତି ପଦ ମୁଣ୍ଡାଇବା ପାଇଁ ସୁଯୋଗ ଦେଇଥିବାରୁ ସେ ସମସ୍ତ କର୍ମକର୍ତ୍ତା ଓ ଆଞ୍ଚଳିକ ବିଡି ଶ୍ରମିକ ସଂଘ ଅଧୀନରେ ଥିବା ସମସ୍ତ ସଭ୍ୟଙ୍କ ନିକଟରେ କୃତଜ୍ଞତା ଜଣାଇଥିଲେ । ପ୍ରାରମ୍ଭରେ ଚଳିତ ବର୍ଷ ପରଲୋକ ଘଟିଥିବା ଶ୍ରମିକ ସଂଘର ସଦସ୍ୟ ମାନଙ୍କ ଉଦେ୍ଦଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ସଂଘର ସମ୍ପାଦକ ଗୌତମ ସାମଲ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ, ଯୁଗ୍ମ ସମ୍ପାଦକ ସୁରେନ୍ଦ୍ର ଦାସ, ସାଧାରଣ ସଂପାଦକ ଧନେଶ୍ୱର ସାହୁ, କୋଷାଧକ୍ଷ ସେକ ଜୁହୁର ମହମ୍ମଦଙ୍କ ସମେତ ଆଖପାଖ ଅଂଚଳର ଶତାଧିକ ସଭ୍ୟଯୋଗ ଦେଇଥିବା ବେଳେ ଉପସଭାପତି ନିରଞ୍ଜନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।