ବିଦାୟୀ ବର୍ଷର ଭିଜିଲାନ୍ସ ରିପୋର୍ଟ କାଡ୍

ଜାଲରେ ପଡ଼ିଛନ୍ତି ୧୮୧ ସରକାରୀ ବାବୁ; ଚାକିରିରୁ ୨୫ ବହିଷ୍କୃତ
ଭୁବନେଶ୍ୱର, ୩୧ା୧୨ : ବିଦାୟୀ ବର୍ଷର ଭିଜିଲାନ୍ସ ରିପୋର୍ଟ । ୧୮୧ ଜଣ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁଙ୍କୁ ବାନ୍ଧିଛି ଭିଜିଲାନ୍ସ । କେବଳ ସରକାରୀ ବାବୁ ନୁହନ୍ତି ସେମାନଙ୍କ ସହଯୋଗୀଙ୍କୁ ବାନ୍ଧିବା ସହ ସେମାନଙ୍କ ନାଁରେ ରୁଜୁ ହୋଇଛି ୨ଶହ ମାମଲା । ୧୮୧ ଜଣ ସରକାରୀ ଅଫିସରଙ୍କ ମଧ୍ୟରେ ୫୦ଜଣ କ୍ଲାସ୍ ୱାନ୍ ଅଫିସର, ୬ ଜଣ ଚିଫ୍ ଇଞ୍ଜିନିୟର, ଅବକାରୀ ଯୁଗ୍ମ କମିଶନର, ଡେପୁଟି ଡାଇରେକ୍ଟର ଫିସେରୀ, ସିଟି-ଜିଏସଟିର ଦୁଇ ଜଣ ଆସିଷ୍ଟାଣ୍ଟ କମିଶନର,୨ ତହସିଲଦାର, ୨ ବିଡିଓ, ୩ ସିଏସଓ ରହିଛନ୍ତି  । ଏହା ସହ ୧୯ ଜଣ ଇଞ୍ଜିନିୟର, ୨୨ ରାଜସ୍ୱ ଅଧିକାରୀ, ୨୦ ଜଣ ପିଆର, ଡିଡବ୍ଲୁ ଅଫିସିଆଲ ସହ ୯ ଜଣ ପୁଲିସ ଅଧିକାରୀ ବି ଗିରଫ ହୋଇଛନ୍ତି । ଏହାସହ ଅସାଧୁ କାରବାରରେ ଲିପ୍ତ ଥିବା ଅଭିଯୋଗରେ ଭିଜିଲାନ୍ସ ୫ ଡାକ୍ତର, ୩ ଜଣ ବନ ଅଧିକାରୀଙ୍କୁ ବି ଗିରଫ କରିଛି  ।
୬୦ରୁ ଅଧିକ ଆୟ ବହିର୍ଭୂତି ସଂପତ୍ତି ଠୁଳ ମାମଲା ରୁଜୁ ହୋଇଥିବା ବେଳେ ୧୩୧ କୋଟି ଟଙ୍କା ସିଜ୍ କରିଛି  । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭିଜିଲାନ୍ସ ୯୬ଟି ଟ୍ରାପ କେସ୍ ରୁଜୁ କରିଥିଲା । ଯାହାଦ୍ୱାରା ୧୧୫ଜଣଙ୍କୁ ଲାଞ୍ଚ ନେବା ବେଳେ ଧରିଥିଲା । ସେମାନଙ୍କ ମଧ୍ୟରୁ ୯୯ ଜଣ ହେଉଛନ୍ତି ସରକାରୀ ଅଧିକାରୀ । ଏହି ଅଧିକାରୀମାନେ ମୋଟ ୧୯ ଲକ୍ଷ ୨୫ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିଥିଲେ । ସେପଟେ ବିଭିନ୍ନ ମାମଲାରେ ୪୮୩ଟି ସ୍ଥାନରେ ଭିଜିଲାନ୍ସ ରେଡ ହୋଇଥିବା ବେଳେ, ୭୯୨ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିଛି ଭିଜିଲାନ୍ସ । ଚଳିତ ବର୍ଷ ୧୦୫ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ୫୦ ପ୍ରତିଶତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।