ଯୁବତୀଙ୍କ ଅଶ୍ଳୀଳ ଭିଡ଼ିଓ ଓ ଫୋଟ ଭାଇରାଲ ; ଅଭିଯୁକ୍ତ ଗିରଫ
ଭୁବନେଶ୍ୱର, ୨୧ା୬ : ଯୁବତୀଙ୍କ ଅଶ୍ଳୀଳ ଭିଡ଼ିଓ ଓ ଫୋଟକୁ ଭାଇରାଲ କରି ବନ୍ଧାହେଲା ଅଭିଯୁକ୍ତ । ଅଭିଯୁକ୍ତକୁ ଗିରଫ କଲା ମହିଳା ଥାନା ପୁଲିସ । ଗିରଫ ଅଭିଯୁକ୍ତ ହେଲା, ବାଲିପାଟଣା ଗୋଆପୁରର ଦିପ୍ତି ରଞ୍ଜନ ମହାପାତ୍ର ଓରଫ (କୁନା) । ଆଜି ତାକୁ ଥାନା କେସ ନମ୍ବର ୧୦୪ରେ ମାମଲା ରୁଜୁକରି ତଦନ୍ତ ଚଳାଇ ଦଫା ୩୪୧, ୩୫୪-ଡ଼ି, ୩୭୬, ୨୯୪, ୫୦୬ ଆଇପିସି ୬୬(ଇ), ୬୭/୬୭-ଏଆଟି ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟଯେ, ଅଭିଯୁକ୍ତର ଅଭିଯୋଗକାରିଣୀ ଅବା ପୀଡ଼ିତାଙ୍କ ଘରଲୋକଙ୍କ ସହିତ ଛୋଟବେଳୁ ଭଲ ସମ୍ପର୍କ ରହିଆସିଥିଲା । ଏଣୁ ସେ ପିଡ଼ିତାଙ୍କୁ ସବୁବେଳେ କଲେଜ ଏବଂ କୋଚିଂ ସେଣ୍ଟରକୁ ନିୟମିତ ଭାବେ ନେବା ଆଣିବା କରୁଥିଲେ । ଇତି ମଧ୍ୟରେ ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀଙ୍କୁ ପ୍ରେମ ନିଦେବନ କରିବା ସହିତ ଏକଦା ବାଲିପାଟଣା କଲେଜ ନିକଟରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ନେଇ ତାଙ୍କ ଇଚ୍ଛା ବିରୋଧରେ ଜୋରଜବରଜସ୍ତି କୁକର୍ମ କରିଥିବା ବେଳେ କୁକର୍ମ ବେଳର ଫୋଟ ଓ ଭିଡ଼ିଓ ନିଜ ମୋବାଇଲରେ ରେକଡିଙ୍ଗ୍ କରି ରଖିଥିଲେ । ସେହି ଫୋଟ ଓ ଭିଡ଼ିଓ ସବୁକୁ ସର୍ବସାଧାରଣରେ ଭାଇରାଲ କରିବାର ଧମକ ଦେଇ ଅଭିଯୁକ୍ତ ଜଣକ ପୀଡ଼ିତାଙ୍କ ସହିତ ଏକାଧିକ ବାର କୁକର୍ମ କରିଥିଲା । ତା ପରେ ବି ଅଭିଯୁକ୍ତ ଜଣକ ପୀଡ଼ିତାଙ୍କର ପିଛା କରିବାରୁ ସେ ଭୁବନେଶ୍ୱର ସ୍ଥିତ ନିଜ ମାଉସୀ ଘରକୁ ଚାଲିଆସି ଏକ ବେସରକାରୀ ସଂସ୍ଥାରେ ଚାକିରି କରିଥିଲେ । ଫଳରେ ଅଭିଯୁକ୍ତ ଜଣକ ପୀଡ଼ିତାଙ୍କୁ ଆଉ ନପାଇ ତାଙ୍କ ଘରକୁ ଯାଇ ଘର ଲୋକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଭିଡ଼ିଓ ଓ ଫୋଟକୁ ଭାଇରାଲ କରିବାକୁ ଧମକ ଦେବା ସହ ସମସ୍ତଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲା । କିଛିଦିନ ଯିବା ପରେ ପିଡ଼ିତା ଭୁବନେଶ୍ୱର ରହୁଥିବାର ଜାଣିବାକୁ ପାଇ ଅଭିଯୁକ୍ତ ତାଙ୍କ ସହିତ ଯୋଗାଯୋଗ କରିବାକୁ ପ୍ରୟାସ କରିଥିଲେ ବି, ପୀଡ଼ିତା ତାଙ୍କ ସହିତ ଆଉ କଥା ନ ହେବାକୁ ରୋକଠକ୍ ମନା କରିଦେଇଥିଲେ । ଅଭିଯୁକ୍ତ ଏଥିରେ ଉତ୍ତ୍ୟକ୍ତ ହୋଇ ପୀଡ଼ିତା ଚାକିରି କରୁଥିବା ସଂସ୍ଥାର କର୍ମଚାରୀ ମାନଙ୍କୁ ଖରାପ ଭାଷାରେ ଗାଳିଗୁଳଜ କରିଥିଲେ ଏବଂ ପରେ ଗତ ୯ ତାରିଖ ଦିନ ନିଜ ମୋବାଇଲରେ ରଖିଥିବା ଫଟୋ ଓ ଭିଡ଼ିଓ ସବୁକୁ ପୀଡ଼ିତାଙ୍କ ଭାଇ ଓ ମାଆଙ୍କୁ ପାଖକୁ ପଠାଇ ଦେଇଥିଲା । ଏନେଇ ପୀଡ଼ିତା ମହିଳା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।