ବିଧାନସଭାରେ ଉଠିଲା ପାନ,ଗୁଟଖା ରାଜସ୍ୱ

ବିଧାନସଭାରେ ଉଠିଲା ପାନ,ଗୁଟଖା ରାଜସ୍ୱ

ଗୃହରେ ଉଠିଲା ପାନ ଗୁଟ୍‌ଖା ପ୍ରସଙ୍ଗ । ଗତ ୧୦ ବର୍ଷରେ ପାନ ମସଲା,ଗୁଟଖା ଏବଂ ତମାଖୁରୁ ୬୫ ଲକ୍ଷ ୯୫ ହଜାର ୫୫ କୋଟିର ଟିକସ ପାଇଛି ରାଜ୍ୟ । କ୍ରମାଗତ ଭାବେ ବାର୍ଷିକ ବଢୁଛି ଗୁଟ୍‌ଖା ଏବଂ ତମାଖୁରୁ ଟିକସ । କେବଳ ୨୦୨୪-୨୫ ରେ ଏକ ହଜାର ୪୭ କୋଟି ଟଙ୍କା ଆଦାୟ ହୋଇଛି । ବାହାର ୧୬ ଟି ରାଜ୍ୟରୁ ପାନ,ଗୁଟ୍‌ଖା ଏବଂ ତମାଖୁ ଓଡିଶାକୁ ଆସୁଛି । ଗୃହରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟରେ ଗୁଟ୍‍ଖା ଓ ପାନମସଲା ଉପରେ ଲାଗିଛି କଟକଣା । ଏହା ସତ୍ତ୍ୱେ ଗୁଟ୍‍ଖା ଓ ପାନମସଲା ବିକ୍ରି ତ ବନ୍ଦ ହୋଇପାରିଲା ନାହିଁ, ବରଂ ଏ ବାବଦରେ ବର୍ଷକୁ ବର୍ଷ ରାଜସ୍ୱ ବଢି ବଢି ଚାଲିଛି । ରାଜ୍ୟରେ ଗୁଟ୍‍ଖା ପ୍ରସ୍ତୁତି ସମେତ ଅବାଧ ବିକ୍ରିକୁ ସମସ୍ତେ ଦେଖୁଛନ୍ତି । ହେଲେ ଧର୍ମକୁ ଆଖିଠାର ମାରିଲା ଭଳି ସରକାରୀ କଟକଣାକୁ କେହି କାର୍ଯ୍ୟକାରୀ କରୁନାହାନ୍ତି । ଏପରିକି ଏହାର ନିୟନ୍ତ୍ରଣ ଦାୟିତ୍ୱରେ ଥିବା ପୁଲିସ୍‍ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ମଧ୍ୟରେ ଅନେକ ଗୁଟ୍‍ଖା ସେବନ କରୁଥିବା ଦେଖିବାକୁ ମିଳୁଛି । 

ରାଜ୍ୟ ବାହାରର ଗୁଟ୍‍ଖା ପ୍ରସ୍ତୁତକର୍ତ୍ତାମାନେ ଦୈନିକ ଟ୍ରକ ଟ୍ରକ ଗୁଟ୍‍ଖା ଓ ପାନମସଲା ଓଡିଶାକୁ ବଜାରକୁ ଛାଡୁଛନ୍ତି । ଯୁବକଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ଏହାକୁ ସେବନ କରି ମୁଖଗହ୍ୱର କର୍କଟ ଭଳି ମାରାତ୍ମକ ବ୍ୟାଧିରେ ପଡୁଛନ୍ତି । ହେଲେ ସରକାରଙ୍କ କଟକଣାକୁ କାର୍ଯ୍ୟକାରୀ କରିବାପାଇଁ କାହାର ଆଗ୍ରହ ନାହିଁ ।