ହାଇକୋର୍ଟଙ୍କ ରାୟ ସମୀର ସ୍ୱାଇଁ କଳଙ୍କ ମୁକ୍ତ


ଭୁବନେଶ୍ୱର :  ଓପିଟିସିଏଲର ପୂର୍ବତନ ନିଦେ୍ର୍ଦଶକ (ଅର୍ଥ) ସମୀର ସ୍ୱାଇଁଙ୍କ ମାମଲାରେ ହାଇକୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି  । ଶ୍ରୀ ସ୍ୱାଇଁଙ୍କୁ ହାଇକୋର୍ଟ କଳଙ୍କମୁକ୍ତ ବୋଲି କହିଛନ୍ତି  । ‘ତାଙ୍କର ସେବାର ଅବ୍ୟାହତତା ସଂସ୍ଥାର ହିତପ୍ରତି  କ୍ଷତିକାରକ ହେବ’ ବୋଲି କହି, ତାଙ୍କୁ ତରବରିଆ ଭାବରେ ସେବା ନିବୃତ କରାଯାଇଥିଲା  । କିନ୍ତୁ ଏନେଇ କୌଣସି କାରଣ ଦର୍ଶାଯାଇନଥିଲା  । ତେଣୁ ଶ୍ରୀ ସ୍ୱାଇଁ ହାଇକୋର୍ଟରେ ରିଟ୍ ପିଟିସନ ଦାଖଲ କରିଥିଲେ  ।  ଆଜି ସେଇ ରିଟ୍ ପିଟିସନକୁ ବିଚାର କରି ହାଇକୋର୍ଟ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି  ।
ପ୍ରକାଶଥାଉକି, ଏହି ବିଷୟରେ ଶ୍ରୀ ସ୍ୱାଇଁ ହାଇକୋର୍ଟରେ ଯେଉଁ ରିଟ୍ ପିଟିଶନ୍ ଦାଖଲ କରିଥିଲେ ତାହାର ବିଚାର ଶେଷନହେବା ପର୍ଯ୍ୟନ୍ତ ହାଇକୋର୍ଟ ସେହି ଆଦେଶକୁ ସ୍ଥଗିତ କରି, ତାଙ୍କୁ ଓପିଟିସିଏଲର ଅର୍ଥ ନିଦେ୍ର୍ଦଶକ ଭାବେ କାର୍ଯ୍ୟ କରିବାକୁ ଅନୁମତି ଦେଇଥିଲେ  । ଇତିମଧ୍ୟରେ ଶ୍ରୀ ସ୍ୱାଇଁ ୟୁପିପିଟିସିଏଲର ଅର୍ଥ ନିଦେ୍ର୍ଦଶକ ଭାବେ ଚୟନ ହୋଇ ସେଠାରେ କାର୍ଯ୍ୟ କରି ଆସୁଛନ୍ତି  ।  ‘ତାଙ୍କର ସେବାର ଅବ୍ୟାହତତା ସଂସ୍ଥାର ହିତପ୍ରତି କ୍ଷତିକାରକ’ ବୋଲି କମ୍ପାନୀ କରିଥିବା ମତାମତକୁ ହାଇକୋର୍ଟ ରଦ୍ଦ କରିଛନ୍ତି  । ଏହା ସପକ୍ଷରେ ସରକାରଙ୍କ ପକ୍ଷର କୌଣସି ପ୍ରମାଣ ପ୍ରଦାନ କରାଯାଇ ପାରିନଥିଲା । ଯେହେତୁ ଶ୍ରୀ ସ୍ୱାଇଁ ପୂର୍ବରୁ ଅନ୍ୟ ସଂସ୍ଥାରେ ଯୋଗ ଦେଇସାରିଛନ୍ତି, ଓପିଟିସିଏଲରେ ପୁନଃନିଯୁକ୍ତିର ପ୍ରଶ୍ନ ଉଠୁନାହିଁ  । କିନ୍ତୁ, ରାଜ୍ୟ ସରକାରଙ୍କର ଏହି ମତାମତକୁ ରଦ୍ଦ କରିବାରେ, ତାଙ୍କ କ୍ୟାରିୟର୍ ସହ ଯୋଡ଼ିଥିବା କଳଙ୍କକୁ ଦୂର କରାଯାଇପାରିବ ବୋଲି, ନ୍ୟାୟାଳୟ ମତ ପ୍ରକାଶ କରିଛନ୍ତି  ।