ବିଧାନସଭାରେ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ୍ ଆଗତ କଲେ ମୁଖ୍ୟମନ୍ତ୍ରୀ

ବିଧାନସଭାରେ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ୍ ଆଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି । ମୋଟ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ୍ ଆଗତ କରାଯାଇଛି । ଶୁକ୍ରବାର ଅପରାହ୍ନରେ ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ୧୭ ହଜାର ୪୪୦ କୋଟି ଟଙ୍କାର ଏହି ଅତିରିକ୍ତ ବଜେଟ ଆଗତ କରିଥିଲେ। ବଜେଟ ଆଗତ ହେବା ପରେ ଗୃହକୁ ଶନିବାର ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରାଯାଇଥିଲା । ମୋଟ୍ ପ୍ରଶାସନିକ ଖର୍ଚ୍ଚ ୩,୩୮୯ କୋଟି । ବିଭିନ୍ନ କାର୍ୟ୍ୟକ୍ରମ ପାଇଁ ଖର୍ଚ୍ଚ ୧୩,୭୧୬ କୋଟି । ବିପର୍ୟ୍ୟୟ ପରିଚାଳନା ପାଣ୍ଠି ପାଇଁ ୧୭୧ କୋଟି । ଏହି ଅତିରିକ୍ତ ବଜେଟ୍‌ ମାଧ୍ୟମରେ ଓଡ଼ିଶାର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଶିଳ୍ପ, ସଂସ୍କୃତି, କୃଷି, ମହିଳା ସଶକ୍ତୀକରଣ  ଆଦି ବିଭାଗର ବିକାଶ କରିବାକୁ ଲକ୍ଷ୍ୟ ରଖିଛନ୍ତି । 

 

କେଉଁ ବିଭାଗକୁ କେତେ ଟଙ୍କା ?

ଏହି ଅତିରିକ୍ତ ବଜେଟ୍‌ ମାଧ୍ୟମରେ  ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ୧୧୬୪ କୋଟି, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ପାଇଁ ୫୩୧ କୋଟି, ଖାଦ୍ୟ ଯୋଗାଣ ଏବଂ ଗ୍ରାହକ କଲ୍ୟାଣ ପାଇଁ ୪୩୨୯ କୋଟି, ପଞ୍ଚାୟତିରାଜ, ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ପାଇଁ ୬୧୬ କୋଟି, କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ୧୬୭୩ କୋଟି, ସହରୀ ବିକାଶ ପାଇଁ ୨୩୦୩ କୋଟି, ଶିକ୍ଷା କ୍ଷେତ୍ର ପାଇଁ ୨୩୨୭ କୋଟି, ମହିଳା ଓ ଶିଶୁ ବିକାଶ ପାଇଁ ୧୫୫୮ କୋଟି, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ସୂଚନା ପ୍ରଯୁକ୍ତି କ୍ଷେତ୍ର ପାଇଁ ୧୧୭ କୋଟି, ଭିତ୍ତିଭୂମି ବିକାଶ ପାଇଁ ୧୯୫୫ କୋଟି, ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ପାଇଁ ୫୭୬ କୋଟି, ଶିଳ୍ପ ଏବଂ ଏମଏସଏମଇ ବିକାଶ ପାଇଁ ୩୩୭ କୋଟି, ଓଡ଼ିଆ ଭାଷା, ସଂସ୍କୃତି ଏବଂ ହସ୍ତତନ୍ତ, ବୟନଶିଳ୍ପ ପାଇଁ ୩୬୩ କୋଟି, ଆଭ୍ୟନ୍ତରୀଣ ସୁରକ୍ଷା ଓ ଆଇନ ପାଇଁ ୩୧୬ କୋଟି କୋଟିର ଅତିରିକ୍ତ ବଜେଟ୍ ଆଗତ କରାଯାଇଛି ।