ବିଧାୟକଙ୍କ ଶିକ୍ଷକ ବଦଳି ସମସ୍ୟା
ଇତିମଧ୍ୟରେ ରାଜ୍ୟ ସରକାର ଶିକ୍ଷକମାନଙ୍କ ବଦଳି ପାଇଁ ବିଧାୟକ ଅନୁମୋଦନ କରିପାରିବେ ବୋଲି ଏକ ନିଷ୍ପତ୍ତି ନେଲେ । ଏହି ନିଷ୍ପତ୍ତି ଶୁଣିବା ପରେ ଅତ୍ୟନ୍ତ ଦୁର୍ଗମ ଅଞ୍ଚଳରେ ଥିବା ଶିକ୍ଷକମାନେ ବର୍ଷ ବର୍ଷ ଧରି ସେଠାରେ ପଡ଼ି ରହିଥିବାରୁ ସେମାନଙ୍କ ମନରେ ଆଶାର ସଞ୍ଚାର ହୋଇଥିଲା । ହେଲେ ଏହା କାର୍ଯ୍ୟକାରୀ ହେବା ବେଳକୁ ଏଥିରେ ରହିଥିବା ପ୍ରକୃତ ଅସୁବିଧା ଏବେ ଦୃଷ୍ଟିକୁ ଆସିଲା । ଏହି ଅସୁବିଧାଟି ହେଲା ୧୫ ଜଣ ଶିକ୍ଷକଙ୍କର ବଦଳି ପାଇଁ ବିଧାୟକମାନେ ସୁପାରିଶ୍ କରିପାରିବେ ବୋଲି କୁହାଯାଇଥିଲା । ତେବେ ସେହି ୧୫ ଜଣ କିଏ ବୋଲି ନିଷ୍ପତ୍ତି ନେବାର କ୍ଷମତା ବିଧାୟକମାନଙ୍କ ଉପରେ ନ୍ୟସ୍ତ ହୋଇଯିବା ପରେ ବିଧାୟକମାନଙ୍କ ଘରେ ବଦଳି ଆଶାୟୀମାନଙ୍କର ଭିଡ଼ ଲାଗି ରହିଲା । କେଉଁ ଆଧାରରେ କାହାକୁ ବଦଳି ପାଇଁ ବିଧାୟକ ସୁପାରିଶ୍ କରିବେ ତାକୁ ନେଇ ଅନେକ ବିଭ୍ରାନ୍ତି ଦେଖା ଦେଲା ଏବଂ ବିଧାୟକମାନେ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଲେ । ବିଶେଷ କରି ବିରୋଧୀ ଦଳର ବିଧାୟକମାନେ ଏ କ୍ଷେତ୍ରରେ ନିଷ୍ପତ୍ତି ନେବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଲେ । ଦ୍ୱିତୀୟ ଅସୁବିଧାଟି ହେଲା ବିଧାୟକମାନଙ୍କ ପାଖ ଲୋକମାନେ ଶିକ୍ଷକମାନଙ୍କ ଠାରୁ ବଦଳି ପାଇଁ ବଟି ଆଦାୟ କରିବାର କେତୋଟି ଘଟଣା ଘଟିଛି । ଅଥଚ ଏହା ପ୍ରମାଣ ଅଭାବରୁ ଗଣମାଧ୍ୟମକୁ ମଧ୍ୟ ଆସିପାରୁନାହିଁ । ଏଭଳି ଘଟଣାଗୁଡ଼ିକ ବିଧାୟକମାନଙ୍କ ପାଇଁ ସମସ୍ୟା ସଷ୍ଟି କରିଛି ।
ଇତିମଧ୍ୟରେ ବିଜେଡ଼ି ବିଧାୟକ ଗଣେଶ୍ୱର ବେହେରା ତାଙ୍କ ଠାରୁ ବଦଳିର କ୍ଷମତା ପ୍ରତ୍ୟାହାର କରି ନେବା ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କୁ ଲିଖିତ ଭାବରେ ଜଣାଇ ଦେଇ ସାରିଲେଣି । ଅନୁରୂପ ଭାବରେ ଜଣେ କଂଗ୍ରେସ ବିଧାୟକ ମଧ୍ୟ ସରକାରଙ୍କର ଏଭଳି ଏକ ନିଷ୍ପତ୍ତିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଦେଖିବାକୁ ଗଲେ ସରକାର ବଦଳିର ଦାୟିତ୍ୱ ଆଂଶିକ ଭାବରେ ବିଧାୟକମାନଙ୍କୁ ଦେଇ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି କରି ଦେଇଛନ୍ତି । ଶିକ୍ଷା ବିଭାଗର ସଚିବଙ୍କ ନିକଟକୁ ବଦଳି ପାଇଁ ଶିକ୍ଷକମାନେ ଅନୁରୋଧ କରିପାରିବେ । ମାତ୍ର କୌଣସି ରାଜନୀତିକ ବ୍ୟକ୍ତିଙ୍କୁ ଚାକିରି କ୍ଷେତ୍ରରେ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଲେ ତାହା ସିସିଏସ୍ କଣ୍ଡକ୍ଟ ରୁଲ୍ରେ ଅପରାଧ ଭାବରେ ପରିଗଣିତ ହୁଏ । ସରକାର ବର୍ତ୍ତମାନ ସିଧାସଳଖ ଶିକ୍ଷକମାନଙ୍କୁ ରାଜନୀତିକ ବ୍ୟକ୍ତିମାନଙ୍କ ନିକଟକୁ ବଦଳି ସୁପାରିଶ୍ ପାଇଁ ପଠେଇ ଦେଉଥିବାରୁ ଏହା ଏକ ଆଇନ୍ଗତ ବିବାଦ ସୃଷ୍ଟି କରୁଛି । ଗୋଟିଏ ବିଭାଗରେ ବଦଳି ପାଇଁ ରାଜନୀତିକ ହସ୍ତକ୍ଷେପକୁ ସରକାର ଅନୁମୋଦନ କରୁଥିବା ବେଳେ ଅନ୍ୟ ବିଭାଗଗୁଡ଼ିକରେ କାହିଁକି ଏ ପ୍ରକାରର ନିୟମ ଲାଗୁ ହେବ ନାହିଁ ବୋଲି କିଛି କର୍ମଚାରୀ ସଂଘର କର୍ମକର୍ତ୍ତାମାନେ ପ୍ରଶ୍ନ ଉଠାଇଲେଣି । ମୋଟ୍ ଉପରେ ଦେଖିବାକୁ ଗଲେ ଶିକ୍ଷକମାନଙ୍କ ବଦଳି ପାଇଁ ବିଧାୟକମାନଙ୍କୁ କ୍ଷମତା ଦେବା ଏକ ବିବଦମାନ ପରିସ୍ଥିତି ସୃଷ୍ଟି କରୁଛି । ତେଣୁ ସରକାର ଏ ସମ୍ପର୍କିତ ମାଲି ମୋକଦ୍ଦମାରେ କୋର୍ଟ୍କୁ ଟଣା ହେବା ପୂର୍ବରୁ ଏହି ନିଷ୍ପତ୍ତିରେ କିଛି ପରିବର୍ତ୍ତନ କରିବେ ବୋଲି ଆଶା କରାଯାଏ । ଏହା ସିସିଏସ୍ କଣ୍ଡକ୍ଟ୍ ରୁଲ୍ର ପରିସର ଭିତରକୁ ଆସି ଯାଉଥିବାରୁ ଆଇନ୍ଗତ ଜଟିଳତା ସୃଷ୍ଟିହେବା ଏକ ପ୍ରକାରର ନିଶ୍ଚିତ । ଚାକିରି ସମ୍ପର୍କୀୟ ବିବାଦ ଗୁଡ଼ିକୁ ନ ବଢ଼ାଇ ସେ ସମ୍ପର୍କିତ ବିବାଦ ସବୁକୁ କମାଇବା ଦିଗରେ ପଦକ୍ଷେପ ନିଆଗଲେ ଉଭୟ ସରକାର ଏବଂ କର୍ମଚାରୀମାନଙ୍କ ପାଇଁ ଏହା ଆଶ୍ୱସ୍ତି ଆଣିଦେବ । ଏହି ବିବାଦର ସମାଧାନ ଶୀଘ୍ର ନହେଲେ ଭବିଷ୍ୟତରେ ଏହା ରାଜନୀତିକ ମୋଡ଼ ନେବା ମଧ୍ୟ ଅସମ୍ଭବ ନୁହେଁ । ଏଥିରେ କେବଳ ବିଧାନସଭାର ସମୟ ଅଯଥାରେ ନଷ୍ଟ ହେବ । ମୋଟାମୋଟି ଭାବରେ ଶିକ୍ଷକମାନଙ୍କର ବଦଳିକୁ ନେଇ ସରକାର ଏକ ଯୁକ୍ତିସଙ୍ଗତ ନୀତି ଗ୍ରହଣ କରିବା ଉଚିତ୍ । ଅନ୍ତତଃପକ୍ଷେ ଯେଉଁମାନେ ଦୁର୍ଗମ ଅଞ୍ଚଳରେ ୫ ବର୍ଷରୁ ଅଧିକ ସମୟ ଧରି ରହିଲେଣି ସେମାନଙ୍କୁ ସେମାନଙ୍କର ପସନ୍ଦର ସ୍ଥାନକୁ ବଦଳି କରିବା ପାଇଁ ଏକ ନୀତି ଗ୍ରହଣ କରି ଏହି ନୀତିକୁ ନିରପେକ୍ଷ ଭାବରେ ପାଳନ କରିବାର ଆବଶ୍ୟକତା ଅଛି ।