ଚକିଗୁଡ଼ କହୁଣିକୁ ବହିବା ପରେ ଜଳଯୋଗାଣ ଉପରେ ନଜର
ଯାଜପୁର : ଦୁଇଟି ପର୍ଯ୍ୟାୟରେ ହୋଇଥିବା ପରୀକ୍ଷାରେ ୧୬ଜଣ ହଇଜାରେ ଆକ୍ରାନ୍ତ ଥିବା କଥା ରିପୋର୍ଟ ଆସିବା ପରେ ସାଧାରଣରେ ଚିନ୍ତା ପଢିଯାଇଛି । ଡାଇରିଆ ନିୟନ୍ତ୍ରଣ ଦିନରେ ଲାଗିପଡ଼ିଥିବା ପ୍ରଶାସନର ହଇଜା ବ୍ୟାପିବାକୁ କିଭଳି ରୋକିବ,ତାହାତ ସମୟ କହିବ, କିନ୍ତୁ ଚକିଗୁଡ଼ କହୁଣିକୁ ବହିଯିବା ପରେ ଜଳଯୋଗାଣ ପ୍ରକଳ୍ପ ଉପରେ ପଡ଼ିଛି ସ୍ୱାସ୍ଥ୍ୟ ଓ ଜିଲା ପ୍ରଶାସନର ନଜର । ଡ଼ାଇରିଆ ସଂକ୍ରମଣର କାରଣ ଖୋଜି ପାଇବାକୁ ସମର୍ଥ ହେଉନଥିବା ସ୍ୱାସ୍ଥ୍୍ୟ ବିଭାଗ ପାଣି ପାଇଁ ବ୍ୟାପିଥିବାର ଆଶଙ୍କା କରିବା ପରେ ଯାଜପୁର ଜିଲା ପ୍ରଶାସନ ସରକାରୀ ପ୍ରକଳ୍ପ ଅନୁଧ୍ୟାନ କରିଛି । ବିଶେଷ କରି ବ୍ୟାସନଗର ସହରାଞ୍ଚଳକୁ ପାଣି ଯୋଗାଉଥିବା ଯୋକଡ଼ିଆ ପ୍ରକଳ୍ପ ଅନୁଧ୍ୟାନ କରିବା ସହ ଅଧିକାରୀ ମାନେ ଜଳ ନମୁନା ସଂଗ୍ରହ କରିଛନ୍ତି । ଗଲା ୧୦ଦିନ ହେଲା ଜଳ ନମୁନା ସଂଗ୍ରହ ହୋଇ ଯାଞ୍ଚ ପାଇଁ ଯାଉଥିଲେ ହେଁ ଆସୁଥିବା ରିପୋର୍ଟକୁ ନେଇ ସନେ୍ଦହ ଉପୁଜିଛି । ଅନ୍ୟପକ୍ଷରେ ଆଜି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାରେ ଡାଇରିଆ ନିୟନ୍ତ୍ରଣ ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି ।
ସଂକ୍ରମଣ ଓ ଡାଇରିଆ ରୋକିବା ପାଇଁ ସରକାରୀ ବେସରକାରୀ ନଳକୂପ, କୂପ, ପାଇପ ୱାଟର ସପ୍ଲାଏ ଗୁଡ଼ିକୁ ବିଶୋଧନ କରାଯାଉଛି । ଏଚ୨ ଏସ କିଟ୍ ମାଧ୍ୟମରେ ଏମବିକେ ମାନେ ପାନୀୟ ଜଳକୁ ପରୀକ୍ଷା କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ପାଇପ୍ ୱାଟର ସପ୍ଲାଏ ଉପଭୋକ୍ତା ପ୍ରାନ୍ତରେ ଏବଂ ବ୍ୟାସନଗର ପୌରାଂଚଳ ଓ ଯାଜପୁର ଟାଉନ ପୌରାଞ୍ଚଳରେ ପାନୀୟ ଜଳ ପରୀକ୍ଷା କରାଯାଉଛି । କ୍ଲୋରିନେସନ ପରେ ଯେଉଁଠି ପଜିଟିଭ ବାହାରୁଚି ତାହାକୁ ଚିହ୍ନଟ କରାଯାଇ ସେଠାରେ ଟାଙ୍କି ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଖୋଲା ସ୍ଥାନରେ ମଳତ୍ୟାଗ ନକରି ଶୌଚାଳୟ ବ୍ୟବହାର ପରାମର୍ଶ ଦିଆଯାଉଛି । ନଦୀ, ନାଳ, ପୋଖରୀ ପାଣିକୁ ବ୍ୟବହାର ନକରିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଉଛି । ଜିଲ୍ଲାପାଳ ଜିଲ୍ଲାର ସମସ୍ତ ଅଞ୍ଚଳ ବୁଲି ସମସ୍ତ ବିଷୟ ତଦାରଖ କରୁଛନ୍ତି । ଜିଲ୍ଲାର ବରିଷ୍ଠ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ବିଭିନ୍ନ ବ୍ଲକରେ ଜଳ ବିଶୋଧନ ପ୍ରକ୍ରିୟା, ଜଳ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ତଦାରଖ କରୁଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, କର୍ମଚାରୀ ବିଡିଓ, ତହସିଲଦାର, ଆରଆଇ, ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର ଯନ୍ତ୍ରୀ, କର୍ମଚାରୀ ଆଶା, ଅଙ୍ଗନୱାଡ଼ି କର୍ମୀ, ଜନପ୍ରତିନିଧି ମାନେ ଡାଇରିଆ ନିୟନ୍ତ୍ରଣ କାର୍ଯ୍ୟରେ ଲାଗିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସନ୍ଧ୍ୟା ୬ଟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ୧୦୪ଟି ନୂତନ ରୋଗୀ ଆଡମିଟ ହୋଇଥିବା ବେଳେ ୯ଜଣଙ୍କୁ ରେଫର୍ କରାଯାଇଛି । ସୁସ୍ଥ ହେବା ପରେ ୧୧୨ଜଣଙ୍କୁ ଡିସଚାର୍ଜ କରାଯାଇଥିବା ବେଳେ ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ଚିକିତ୍ସାଳୟରେ ମୋଟ ୧୭୪ ଜଣ ଚିକିତ୍ସିତ ହେଉଛନ୍ତି ।