ଖବରକାଗଜ ବଞ୍ଚିଲେ ସମାଜ ବଞ୍ଚିବ

ଖବରକାଗଜ ବଞ୍ଚିଲେ ସମାଜ ବଞ୍ଚିବ

ଡ.ଲକ୍ଷ୍ମଣ ସାହୁ : ସକାଳ ଆଠଟା , କିନ୍ତୁ ଖବରକାଗଜ ଆସିନାହିଁ । ପ୍ରତିଦିନ ଛଅଟାରୁ ସାତଟା ମଧ୍ୟରେ କାଗଜ ପହଞ୍ଚି ଥାଏ । କେଉଁଠି କାହିଁ ଖବରକାଗଜ ବିକାଳୀ /ହକର ଦେଖାଯାଉନାହିଁ । ଭାବିଲି ବାଦାମ ବାଡ଼ି ବସଷ୍ଟାଣ୍ଡ ବା ରେଳଷ୍ଟେସନ ଯିବି । ସେଠାରେ ସବୁ ପ୍ରକାର ଖବରକାଗଜ ଉପଲବ୍ଧ ଥାଏ । ସେଠାରେ ପ୍ରତ୍ୟେକ ଦୋକାନୀ ଖବରକାଗଜ ରଖନ୍ତି । ସେଠାରେ ପହଞ୍ଚିବା ପରେ ଜାଣିଲି କୌଣସି କାରଣବଶତଃ ଆଜିର ମୁଁ ଚାହୁଁଥିବା କାଗଜ ଆସିନାହିଁ । ବସଷ୍ଟାଣ୍ଡ ପାଖରେ ଲୋକମାନେ ନିଜ ନିଜ ଖବରକାଗଜ କିଣି ପଢ଼ିବା ଦେଖୁଥିଲି । ମୁଁ ପଚାରିଲି ଆସନ୍ତା  କାଲି କିମ୍ବା ତା’ପରଦିନ କ'ଣ ହେବ ? ସଂସ୍ଥାର ଜଣେ ଦୋକାନୀ ଲୋକଟି କହିଲା, "ପ୍ରତିଦିନ ଏବେ ଆମକୁ ଏସବୁ କରିବାକୁ ପଡିବ । କାରଣ ଆମେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ପାଇପାରୁନାହୁଁ । ଜୋମାଟୋ, ବ୍ଲିଙ୍କିଟ୍‌, କିମ୍ବା ବିଗ୍‌ ବାସ୍କଟେ-  ଆମେ ସେମାନଙ୍କୁ ଯାହା ଦେଉଥିଲୁ ତାହାର ଦୁଇଗୁଣ ଦେଉଛି । ଆମେ ଏତେ ଖର୍ଚ୍ଚ କରିପାରିବୁ ନାହିଁ !" ସେଠାରେ ଠିଆ ହୋଇ ମୁଁ ଖବରକାଗଜ ଓଲଟାଇଲି ଓ ଗୋଟିଏ ନିର୍ଦ୍ଦିଷ୍ଟ ଖବର ପାଇଲି । ମୋର ହୃଦୟ ଅତି ଆନନ୍ଦରେ ପୂର୍ଣ୍ଣ ହୋଇଗଲା । ଖବରଟି ଥିଲା ଏବେକାର ସରକାର ସରକାରୀ ବିଦ୍ୟାଳୟମାନଙ୍କରେ ପିଲାମାନେ ଖବରକାଗଜ ପଢ଼ିବାକୁ ବାଧ୍ୟତାମୂଳକ କରିଛନ୍ତି । ପ୍ରତ୍ୟେକ ସ୍କୁଲ ଗୋଟିଏ ନିଜ ମାତୃଭାଷା ଓ ହିନ୍ଦୀ ତଥା ଗୋଟିଏ ଇଂରାଜୀ ଖବରକାଗଜ କିଣିବ । ବିଦ୍ୟାଳୟମାନଙ୍କରେ ସକାଳ ପ୍ରାର୍ଥନା ସମୟରେ ସେହି ଖବରକାଗଜ ପଢିବା ପାଇଁ ଦଶ ମିନିଟ୍‌ ସମୟ ଦିଆଯିବ । ପ୍ରତିଦିନ ପାଞ୍ଚଟି ନୂତନ କିମ୍ବା କଷ୍ଟକର ଶବ୍ଦ ବ୍ୟାଖ୍ୟା କରାଯିବ । ଯାହା ଦ୍ୱାରା ନିଜର ମାତୃଭାଷା ପ୍ରତି ମମତା ବଢିବ ଓ ବନାନ ସଂଶୋଧନ ଶୁଦ୍ଧି ହେବା ସହ ବିଲୁପ୍ତି ହୋଇ ପଡ଼ୁଥିବା ଶବ୍ଦଗୁଡ଼ିକର ଆଦର ବଢ଼ିବ । ଏହି ଶବ୍ଦଗୁଡ଼ିକ ସ୍କୁଲ ନୋଟିସ ବୋର୍ଡରେ ବ୍ଳାକ ବୋର୍ଡ଼ ବା କଳାପଟାରେ ଲଗାଯିବ । ପିଲାମାନଙ୍କୁ ମଧ୍ୟ ନିଜସ୍ୱ ଖବରକାଗଜ ତିଆରି କରିବାକୁ ପଡିବ । ଖବରକାଗଜରେ ଥିବା ସୁଡୋକୁ ଓ କ୍ରସୱାର୍ଡ ପଜଲ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ, ଅର୍ଥାତ୍‌ ଖବରକାଗଜ ପଢିବା ସ୍କୁଲ ଶିକ୍ଷାର ଏକ ବାଧ୍ୟତାମୂଳକ ଅଂଶ ହେବ ।


  ମୁଁ ସ୍କୁଲରେ ପଢୁଥିବା କଥା ମନେ ପଡ଼ିଗଲା । ଖବରକାଗଜ ରବିବାର ଦିନ ପିଲାଙ୍କ ପାଇଁ ସ୍ୱତନ୍ତ୍ର ପୃଷ୍ଠାରେ ମନଲାଖି ଗଳ୍ପ, କବିତା, ଚିତ୍ରାଙ୍କନ, ଜଣା ଅଜଣା, ପତ୍ରବନ୍ଧୁ ଏଭଳି ନାନାଦି ବିଷୟରେ ଆଲୋଚନା ରହୁଥିଲା । ଅଦ୍ୟାବଧି ସେସବୁ ଶିଶୁମାନଙ୍କ ପାଇଁ ବିଭାଗ ଥିଲେ ମଧ୍ୟ ସ୍କୁଲରେ ଶିକ୍ଷକମାନେ ସେଥିପାଇଁ ଦୃଷ୍ଟି ଦେଉନଥିବାରୁ ପିଲାମାନଙ୍କ ପଠନ ପ୍ରକିୟା କମୁଛି । କହିବାର ଅର୍ଥ କୌଣସି ଭାଷା ବା ସାହିତ୍ୟର ବିକାଶ ପାଇଁ ସମ୍ବାଦପତ୍ର ଓ ଅନ୍ୟ ନିୟମିତ ପ୍ରକାଶନ ବହୁତ ଜରୁରୀ ଆବଶ୍ୟକ । ୧୮୬୬ ମସିହାରେ ‘ଉତ୍କଳ ଦୀପିକା’ ଓଡ଼ିଆ ପ୍ରକାଶନ କ୍ଷେତ୍ରରେ ଗୋଟିଏ ନୂଆ ମୋଡ଼ ଆଣିଥିଲା । ଏହା ଥିଲା ଓଡ଼ିଆ ଭାଷାର ପ୍ରଥମ ସମ୍ବାଦପତ୍ର । ଅନ୍ୟପକ୍ଷରେ ସେ ସମୟର ସାମାଜିକ ପରିସ୍ଥିତି ଦୃଷ୍ଟିରୁ ଏହାର ପ୍ରକାଶନ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହାପରେ ସମ୍ବାଦପତ୍ର ଭାବରେ ପ୍ରକାଶ ପାଇଥିଲା ବାଲେଶ୍ୱର ସମ୍ବାଦବାହିକା । ଆଉ କିଛି ଛୋଟ ସମ୍ବାଦପତ୍ର ପ୍ରକାଶିତ ହେବା ପରେ ଦେବଗଡ଼ରୁ ପ୍ରକାଶିତ ହେଲା ସମ୍ବଲପୁର ହିତୈଷିଣୀ । ଉନବିଂଶ ଶତାବ୍ଦୀର ଶେଷ ଭାଗକୁ ଓଡ଼ିଆ ଭାଷାର ନିୟମିତ ପ୍ରକାଶନ ଭିତରେ ଅଧିକାଂଶ ସମ୍ବାଦପତ୍ର ସାମିଲ ଥିଲେ । ବିଶେଷ କରି ୧୮୪୯ରୁ ୧୮୬୬ ମସିହା ଭିତରେ ତିନୋଟି ଓଡ଼ିଆ ମାସିକ ପତ୍ରିକା ପ୍ରକାଶିତ ହୋଇଥିଲେ ମଧ୍ୟ ଅଳ୍ପଦିନ ପରେ ତାହା ବନ୍ଦ ହୋଇଯାଇଥିଲେ । ୧୮୬୬ରୁ ୧୮୯୭ ଭିତରେ ସେହିଭଳି ଆଉ କେତୋଟି ପତ୍ରିକା ବାହାରି ବନ୍ଦ ହୋଇଯାଇଥିଲେ । ହୁଏତ ପତ୍ରିକାର ଅଭାବ ପୂରଣ କରିବା ପାଇଁ ସେ ସମୟର ଓଡ଼ିଆ ଖବରକାଗଜଗୁଡ଼ିକ ବିଭିନ୍ନ ଦୈର୍ଘ୍ୟର ଫିଚରଧର୍ମୀ ଲେଖା ପାଇଁ ମଧ୍ୟ ସ୍ଥାନ ଦେଉଥିଲେ । ସେଭଳି କିଛି ଲେଖାରେ ଗୁରୁତ୍ତ୍ୱପୂର୍ଣ୍ଣ ତାତ୍ତ୍ୱିକ ଆଲୋଚନା ମଧ୍ୟ କରାଯାଉଥିଲା ।


 ଅଧିକନ୍ତୁ ଭାଷାର ବିକାଶରେ ଖବରକାଗଜଗୁଡ଼ିକ ବିଶେଷ ସାହାଯ୍ୟ କରିଥିଲେ । କାବ୍ୟସାହିତ୍ୟର ଆଳଙ୍କାରିକ ଭାଷା ବଦଳରେ ସାଧାରଣ ଲୋକ ବୁଝିବା ଭଳି ସରଳ ଗଦ୍ୟ ଖବରକାଗଜର ମାଧ୍ୟମ ହେଲା । ବିଭିନ୍ନ ଅଞ୍ଚଳର ଖବର ଛାପିବା ପାଇଁ ସ୍ଥାନୀୟ ଶବ୍ଦମାନ ବ୍ୟବହୃତ ହେଲା । ଏଭଳି ଅନେକ ଦିଗରୁ ଖବରକାଗଜଗୁଡ଼ିକ ଭାଷାକୁ ଲୋକାଭିମୁଖୀ କରିବାରେ ଭୂମିକା ତୁଲାଇଥିଲେ । ଅବଶ୍ୟ କରୋନା ଭାଇରସ୍‌ ମହାମାରୀ ପରେ ଖବରକାଗଜ ବିକ୍ରୟ ହ୍ରାସ ପାଇସାରିଥିଲା । ପୁଣି ଏବେ ଏହି ନୂତନ ସଙ୍କଟ ଆସିଛି । ସ୍ପଷ୍ଟ ଭାବରେ ଏହା ଯେ ଏକ ଦୁଃଖଦ ଘଟଣା କେବଳ ଥିଲା ନୁହେଁ, ଏହା ସମସ୍ତଙ୍କ ପାଇଁ ଦୁଃଖଦ । ଯେତେବେଳେ ସେହି ଦିନଗୁଡ଼ିକୁ ମନେ ପକାଇବାକୁ ହୁଏ , ଖବରକାଗଜ ଆସିବା ମାତ୍ରେ ପରିବାର ସଦସ୍ୟମାନେ ପ୍ରତ୍ୟେକ ପୃଷ୍ଠା ପଢ଼ିବା ପାଇଁ ଧାଇଁ ଆସୁଥିଲେ । ସୁଦୂର ଦିଲ୍ଲୀ , ମୁମ୍ବାଇ , ହାଇଦ୍ରାବାଦ, କୋଲକାତାରୁ ଆସୁଥିବା ହିନ୍ଦୀ, ବଙ୍ଗଳା, ଇଂରାଜୀ ପତ୍ରିକାଗୁଡ଼ିକୁ ଉତ୍ସାହର ସହିତ ଅପେକ୍ଷା କରୁଥିଲେ ! ଓଡ଼ିଶାର କଟକ, ଭୁବନେଶ୍ୱର ,ରାଉରକେଲା, ବ୍ରହ୍ମପୁର , ସମ୍ବଲପୁର ଆଦି ସ୍ଥାନରୁ ବିଭିନ୍ନ ଓଡ଼ିଆ ସମ୍ବାଦପତ୍ର ପଢ଼ିବାର ସୁଯୋଗ ଲାଇବ୍ରେରୀରେ ଉପଲବ୍ଧ ହେଇଥାଏ ।


  ଏହା ମୋର ଏକ ସ୍ୱତଃସ୍ଫୂର୍ତ୍ତ ନିଷ୍ପତ୍ତି ନୁହଁ । ଗତ ମାସରେ ପିଲାମାନଙ୍କ ମଧ୍ୟରେ ପଢ଼ିବା ପ୍ରତି ଆଗ୍ରହ କିପରି ବୃଦ୍ଧି କରାଯିବ ସେ ବିଷୟରେ ଆଲୋଚନା କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପିଲାମାନଙ୍କ ମୋବାଇଲ୍‌ ଫୋନ୍‌, ଲାପଟପ୍‌ ଓ ଟିଭି ସ୍କ୍ରିନ୍‌ ଉପରେ ଅତ୍ୟଧିକ ନିର୍ଭରଶୀଳତା ପଢ଼ିବା ଅଭ୍ୟାସକୁ ପ୍ରାୟତଃ ଦୂର କରିଦେଇଛି । ତେଣୁ ବିଦ୍ୟାଳୟ ସ୍ତରରେ ପିଲାମାନଙ୍କ ମଧ୍ୟରେ ପଢ଼ିବାର ଅଭ୍ୟାସ ସ୍ଥାପନ କରାଯିବା ଆବଶ୍ୟକ ରହିଛି । ଏଥିପାଇଁ ଖବରକାଗଜ ଠାରୁ ଭଲ ମାଧ୍ୟମ ଆଉ କିଛି ନାହିଁ କହିଲେ ଚଳେ । କୁହାଯାଇପାରେ ଯେ ଖବରକାଗଜ ପଢିବା ଦ୍ୱାରା ପିଲାମାନଙ୍କର ସାଧାରଣ ଜ୍ଞାନ ବୃଦ୍ଧି ପାଇବ । ସାମ୍ପ୍ରତିକ ଘଟଣାବଳୀ ବିଷୟରେ ଶିଖିବା ଓ ପଠନ ଅଭ୍ୟାସର ଭାବନା ସୃଷ୍ଟି ହେବ । ସେମାନେ ମୋବାଇଲ୍‌ ସ୍କ୍ରିନ୍‌ଠାରୁ ଦୂରରେ ରହିବେ । ସେମାନଙ୍କର ଭାଷା ଦକ୍ଷତା ଉନ୍ନତ ହେବ । ସେମାନଙ୍କର ଶବ୍ଦକୋଷ ବୃଦ୍ଧି ପାଇବ ଓ ସେମାନଙ୍କର ଲେଖା ଶୈଳୀ ଉନ୍ନତ ହେବ । ସେମାନଙ୍କର ସମାଲୋଚନାମୂଳକ ଚିନ୍ତାଧାରା ବିକଶିତ ହେବ । ସେମାନେ ସେମାନଙ୍କ ଚାରିପାଖରେ ଘଟୁଥିବା ଘଟଣାବଳୀ ବିଷୟରେ ସଚେତନ ହେବେ । ଯାହା ଫଳରେ ଚତୁପାଶ୍ୱର୍ସ୍ଥ ଘଟଣାବଳୀ ଉପରେ ସେମାନଙ୍କର ଯୌକ୍ତିକ ବିଶ୍ଳେଷଣ କ୍ଷମତା ବୃଦ୍ଧି ପାଇବ ଓ ସେମାନେ ସତ୍ୟ ଓ ମିଥ୍ୟା ଖବର ମଧ୍ୟରେ ପାର୍ଥକ୍ୟ ନିର୍ଣ୍ଣୟ  କରିପାରିବେ । ସେମାନେ ଆଗ୍ରହର ସହିତ ଖବର ପଢିବା ଦ୍ୱାରା ଅନ୍ୟମାନଙ୍କ ପ୍ରତି ସହାନୁଭୂତି ଓ ଯନ୍ତ୍ରଣାର ଭାବନା ବିକଶିତ ହେବ । ସେମାନେ କ୍ରସୱାର୍ଡ ପଜଲ୍‌ ସମସ୍ୟା ସମାଧାନ କରିବାର ଦକ୍ଷତା ଶିଖିବେ । ଏପରିକି ସ୍କ୍ରିନ୍‌ ଆଡ଼କୁ ଚାହିଁ ରହିବାର କୁପ୍ରଭାବରୁ ରକ୍ଷା ପାଇବେ । ସାମଗ୍ରିକ ଭାବରେ ଖବରକାଗଜଗୁଡ଼ିକରେ ଏତେ ଗୁଣ ଅଛି ଯାହାକି  ମୋବାଇଲ୍‌ ଫୋନର ଅନେକ ଅବାଞ୍ଛନୀୟ ଆକର୍ଷଣ ସହିତ ପ୍ରତିଯୋଗିତା କରିପାରିବ । ଏବେ ବିଶ୍ୱର ଅନେକ ଦେଶରେ ପିଲାମାନଙ୍କଠାରୁ ମୋବାଇଲ୍‌ ଫୋନ୍‌ ଦୂରରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କେବଳ ପିଲାମାନେ ନୁହେଁ, ବୟସ୍କମାନେ ମଧ୍ୟ ଖବରକାଗଜରୁ ମୁହଁ ଫେରାଇ ନେଉଛନ୍ତି ।

  ଏହା କେବଳ ଆମ ଦେଶରେ ନୁହେଁ,  ୟୁରୋପ ଓ ଆମେରିକାରେ ମଧ୍ୟ ଘଟୁଛି । ଜଣେ ସାମ୍ବାଦିକତା ଶିକ୍ଷକ ଭାବରେ ପ୍ରତିବର୍ଷ ପ୍ରଥମ ଶ୍ରେଣୀରେ ପ୍ରତିଦିନ ଖବରକାଗଜ ପଢ଼ୁଥିବା ଛାତ୍ରମାନଙ୍କୁ ପଚାରୁଛି । କେବଳ ଏକ ଚତୁର୍ଥାଂଶ ଛାତ୍ର ହାତ ଟେକିଥାନ୍ତି । ଏହାର ଅର୍ଥ ହେଉଛି ଯଦି ସାମ୍ବାଦିକ ହେବାକୁ ଆକାଂକ୍ଷୀ ଛାତ୍ରମାନେ ମଧ୍ୟ ଖବରକାଗଜ ପଢ଼ନ୍ତି ନାହିଁ, ତେବେ ଆଉ କିଏ ଉତ୍ତମ ଖବର ପ୍ରକାଶ କରିବ । ସାମ୍ବାଦିକ କରିବାକୁ ଚାହୁଁଥିବା ଓ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ଏଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ । ପାଶ୍ଚାତ୍ୟ ଦେଶଗୁଡ଼ିକରେ ଦୀର୍ଘ ୨୦ବର୍ଷ ପୂର୍ବେ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା । କେତେକ ସମୟରେ ସେମାନେ ସେମାନଙ୍କର ପ୍ରମୁଖ ଖବରକାଗଜ ଗୁଡ଼ିକର  ଫର୍ମାଟ ଓ ଆକାର ପରିବର୍ତ୍ତନ ଓ  ବିଷୟବସ୍ତୁ ପରିବର୍ତ୍ତନ କରି ଖବରକାଗଜ ଗୁଡ଼ିକୁ ଜୀବିତ ରଖିବାକୁ ଚେଷ୍ଟା କରିଥିଲେ । ଯେତେବେଳେ ଏଥିରେ ଉନ୍ନତି ହେଲା ନାହିଁ, ସେମାନେ ମାଗଣାରେ ଖବରକାଗଜ ବଣ୍ଟନ କରିବା ଆରମ୍ଭ କରିଥିଲେ । ଅନେକ ଖବରକାଗଜ ବନ୍ଦ ହୋଇଗଲା ଓ ଅନ୍ୟ ପକ୍ଷରେ ଡିଜିଟାଲ୍‌ ସଂସ୍କରଣରେ ପରିଣତ ହୋଇଗଲା । ସେଠାରେ ପରିସ୍ଥିତି ଏବେ ବି ସୁଧୁରିନାହିଁ, ବରଂ ଦିନକୁ ଦିନ ଖରାପ ହେଉଛି । କାରଣ ଏଭଳି କିଛି ଘଟିବ ବୋଲି ସେମାନେ କଦାପି ଥରେ ଚିନ୍ତା କରିନଥିଲେ । ଦୃଷ୍ଟାନ୍ତମୂଳକ ଭାବେ କହିବାକୁ ଗଲେ ଉତ୍ତର ପ୍ରଦେଶର ଯୋଗୀ ସରକାର ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କୁ ଖବରକାଗଜ ପଢ଼ିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନିଃସନ୍ଦେହରେ ଏହି ନିଷ୍ପତ୍ତି ଆଶା ସୃଷ୍ଟି କରିଛି ଯେ ଯଦି ପିଲାମାନେ ଖବରକାଗଜ ପଢିବାର ଅଭ୍ୟାସ ବିକଶିତ କରନ୍ତି  ତେବେ ଏକ ଶକ୍ତିଶାଳୀ ମାଧ୍ୟମ ଏହାର ସଙ୍କଟକୁ ଦୂର କରିପାରିବ ଓ ସମାଜ ଅନେକ ସମସ୍ୟାରୁ ରକ୍ଷା ପାଇପାରିବ । ଯେତେବେଳେ ବିଶ୍ୱ ସ୍ତରରେ ପ୍ରାୟତଃ ୪୨୦ ବର୍ଷ ଧରି ଖବରକାଗଜ ରହିଆସିଛି, ସେତେବେଳେ ଆମ ଦେଶରେ ଏହା ପ୍ରାୟ  ୨୪୫ ବର୍ଷ ଧରି ରହିଛି । ଏହା ଅନେକ ସଙ୍କଟର ସମ୍ମୁଖୀନ ହୋଇଛି । ରେଡିଓ ଓ ଟେଲିଭିଜନ ଆସିଥିଲା । ସେମାନେ ଅନେକ ସଙ୍କଟର ସମ୍ମୁଖୀନ ହୋଇଥିଲେ, କିନ୍ତୁ ସେମାନେ ପ୍ରତ୍ୟେକ ସଙ୍କଟକୁ ଦୂର କରିଛନ୍ତି । କେହି ଖବରକାଗଜକୁ ବଦଳାଇ ପାରିନାହାଁନ୍ତି । ଯଦିଓ ଦୂରଦର୍ଶନ ଖବର ପରିବେଷଣ ସମତାଳରେ ଆଗେଇ ଚାଲିଛି । ନିଶ୍ଚିତ ଭାବେ ଏହି ପ୍ରକ୍ରିୟାରେ ଗଣମାଧ୍ୟମରେ ବହୁତ ଉନ୍ନତ କରିଛି  । କିନ୍ତୁ ଏହା ଡିଜିଟାଲ୍‌ ଦୁନିଆର ଶିକାର ହେବାକୁ ଆରମ୍ଭ କରିଛି  । ଯାହା ଖବରକାଗଜର କଳେବର ପାଇଁ ଭଲ ନୁହେଁ । ଆଜି ଗଣମାଧ୍ୟମ ସାମ୍ନା କରୁଥିବା ନବେ ପ୍ରତିଶତ ସମସ୍ୟା ଡିଜିଟାଲ୍‌ କିମ୍ବା ଇଲେକ୍‌ଟ୍ରୋନିକ୍‌ ମିଡିଆ ଯୋଗୁଁ ଆଗକୁ ବଢ଼ିଛି । ତେଣୁ ସାମ୍ବାଦିକ, ଖବରକାଗଜ ମାଲିକ ଓ ସରକାରଙ୍କୁ ଖବରକାଗଜକୁ ସଂରକ୍ଷଣ କରିବାର ଉପାୟ ଖୋଜିବା ପାଇଁ ମିଳିତ ଭାବରେ କାମ କରିବାକୁ ପଡିବ । ଯେଭଳି ଉତ୍ତରପ୍ରଦେଶର ସମସ୍ତ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଖବରକାଗଜ ପଠନକୁ ବାଧ୍ୟତାମୂଳକ କରାଯାଇଛି, ସେଭଳି ଆମ ରାଜ୍ୟରେ ବାଧ୍ୟତାମୂଳକ କରାଯିବାର ଆବଶ୍ୟକତା ରହିଛି ।

  ଅବଶ୍ୟ ଏବେ ବିଦ୍ୟାଳୟଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ କମ୍ୟୁନିକେସନ ଇଂରାଜୀ ଓ ଓଡ଼ିଆରେ ଗଣମାଧ୍ୟମ ଉପରେ ଶିକ୍ଷା ଦାନ କରାଯାଉଛି । କାରଣ ଆଜିର ସୋସିଆଲ ମିଡ଼ିଆ/ ଗଣମାଧ୍ୟମ ଅତ୍ୟନ୍ତ କ୍ରିୟାଶୀଳ ଓ ଲୋକାଭିମୁଖୀ କାର୍ଯ୍ୟକ୍ରମ ଅପରିହାର୍ଯ୍ୟ ହୋଇପଡିଛି । ପ୍ରତି ମୁହୂର୍ତ୍ତରେ ବିଶ୍ୱରେ ଯେକୌଣସି ପରିସ୍ଥିତି ସୃଷ୍ଟି ସଂପର୍କରେ ଘଟଣା/ ଅଘଟଣା ବିଷୟରେ ଜାଣିବାର ଆଗ୍ରହ ସମସ୍ତଙ୍କ ମନରେ ଜାଗ୍ରତ ହୋଇଥାଏ । କେବଳ ଦୂରଦର୍ଶନ ବା ରେଡ଼ିଓ ବେତାର ପ୍ରସାରଣ କରିପାରିବେ ତା' ନୁହେଁ, ଖବରକାଗଜ ପ୍ରକାଶନର ଭୂମିକା ଯଥେଷ୍ଟ ଆବଶ୍ୟକ ରହିଛି । ତେଣୁ ବିଦ୍ୟାଳୟମାନଙ୍କରେ ପିଲାମାନେ ଡିଜିଟାଲରେ ଉପଲବ୍ଧ ଇ-ପେପର ପରିବର୍ତ୍ତେ ପ୍ରତ୍ୟକ୍ଷ ଉପଲବ୍ଧ ଛାପା ଖବରକାଗଜ ପଢିବେ । ଏଥିପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ସମୟ ନିର୍ଘଣ୍ଟ ଧାର୍ଯ୍ୟ କରିବା ଆବଶ୍ୟକ । ପିଲାମାନଙ୍କ ଖବରକାଗଜ ପଠନକୁ ସୁନିଶ୍ଚିତ କରିବା ଲାଗି ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ସଚିବ ସମସ୍ତ ବିଦ୍ୟାଳୟକୁ ର୍ନିେଶନାମା ଜାରି କରିପାରନ୍ତି । ଏହାଦ୍ୱାରା ପିଲାମାନଙ୍କ ପଠନ ଅଭ୍ୟାସ ବୃଦ୍ଧି ହେବ । ପିଲାମାନେ ମୋବାଇଲ, ଟିଭି ଆଦି ଦେଖିବାରୁ ଦୂରେଇ ରହି ପଢାପଢି ଉପରେ ଅଧିକ ମନୋନିବେଶ କରିବେ । ଅନ୍ୟପଟେ ପଠନ ଅଭ୍ୟାସ ଦ୍ୱାରା ପିଲାମାନଙ୍କ ଚିନ୍ତାଶକ୍ତି, ବିଚାରଶକ୍ତି ଓ ବୁଦ୍ଧିମତ୍ତାରେ ବିକାଶ ହେବ । ଡିସେମ୍ବର ୨୩ରେ ଜାରି ହୋଇଥିବା ଏହି ର୍ନିେଶ ଅନୁଯାୟୀ ପ୍ରାର୍ଥନା କ୍ଲାସରେ ସମ୍ପାଦକୀୟ ପୃଷ୍ଠାର ମୁଖ୍ୟ ପଏଣ୍ଟ ସହିତ ପ୍ରମୁଖ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡା ଓ ବିଭିନ୍ନ ସକାରାତ୍ମକ ଖବରକୁ ପଠନ କରାଯିବ । ସମସାମୟିକ ଘଟଣାଗୁଡିକ ବିଷୟରେ ପିଲାମାନେ ଜାଣିବା ଦ୍ୱାରା ସେମାନଙ୍କ ସାଧାରଣ ଜ୍ଞାନର ବିକାଶ ଘଟିବ । ଏହା ପରବର୍ତ୍ତୀ ସମୟରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ହେବାରେ ପିଲାମାନଙ୍କୁ ସହାୟକ ହେବ । ନିୟମିତ ଖବରକାଗଜ ପଠନ ଦ୍ୱାରା ପିଲାମାନଙ୍କ ଶବ୍ଦଜ୍ଞାନ ଓ ଭାଷାଜ୍ଞାନ ବିକାଶ ହେବ । ବନାନ ଶୁଦ୍ଧି ଘଟିବ । ସମ୍ପାଦକୀୟର ପ୍ରବନ୍ଧକୁ ପଠନ କରିବା ଦ୍ୱାରା ସେମାନଙ୍କ ଲେଖିବା ଦକ୍ଷତା ବୃଦ୍ଧି ପାଇବ । ସରକାରୀ ସ୍କୁଲଗୁଡିକ ନିମନ୍ତେ ଜାରି ଏହି ର୍ନିେଶକୁ ଅନ୍ୟ ଘରୋଇ ସ୍କୁଲକୁ ମଧ୍ୟ ଅନୁସରଣ କରିବା ହେବା ବାଞ୍ଛନୀୟ । ନିଷ୍କର୍ଷରେ କହିବାକୁ ଗଲେ ସବୁବେଳେ ଖବରକାଗଜ ଗୁଡ଼ିକ ଆମର ବନ୍ଧୁ, ଦାର୍ଶନିକ ଓ ମାର୍ଗଦର୍ଶକ ବୋଲି ବିବେଚନା କରିଆସିଛେ । ଏପରିକି ଏଗୁଡ଼ିକୁ ସୂଚନା, ଶିକ୍ଷା ମନୋରଞ୍ଜନର ସର୍ବୋତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ । ଏଗୁଡ଼ିକୁ କେବଳ ଟଙ୍କା ରୋଜଗାରର ମାଧ୍ୟମ ନୁହେଁ, ବରଂ ଦାୟିତ୍ୱବୋଧ ସହିତ ପ୍ରକାଶିତ ହେବା ଉଚିତ୍‌ । ଯଦି ଖବରକାଗଜ ବଞ୍ଚିବ, ତେବେ ସମାଜ ବଞ୍ଚିବ...!!!


କଟକ-୪
ମୋ: ୯୦୪୦ ୧୫୧୪୭୫