ବିପଦରେ ୧୦୦ ଡ୍ୟାମ୍‌

ନୂଆଦିଲ୍ଲୀ : ଜଳବାୟୁ ପରିବର୍ତ୍ତନ ଯୋଗୁ ଗ୍ଲାସିୟର ତରଳୁଛି ଏବଂ ହିମ ହ୍ରଦ ଫୁଲିବାରେ ଲାଗିଛି। ଏହାର ପ୍ରଭାବରେ ହିମାଳୟର ପାଦଦେଶରେ ଥିବା ରାଜ୍ୟଗୁଡ଼ିକରେ ପ୍ରଳୟଙ୍କାରୀ ବନ୍ୟାର ସମ୍ଭାବନା ବଢ଼ିଛି। ଏହାଫଳରେ ଭାରତର ୫ ରାଜ୍ୟ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର, ସିକିମ ଏବଂ ଅରୁଣାଚଳ ପ୍ରଦେଶର ୧୦୦ ଡ୍ୟାମ୍‌ ବିପଦପୂର୍ଣ୍ଣ ଅବସ୍ଥାରେ ଥିବାନେଇ କେନ୍ଦ୍ର ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି) ପକ୍ଷରୁ ଗତ ସପ୍ତାହରେ ସତର୍କ ସୂଚନା ଜାରି କରାଯାଇଛି। ସମ୍ପ୍ରତି କରାଯାଇଥିବା ବିଭିନ୍ନ ଗବେଷଣା ଅନୁଯାୟୀ, ଭାରତୀୟ ହିମାଳୟରେ ଏବେ ୦.୦୫ ବର୍ଗ କି.ମି. କ୍ଷେତ୍ରଫଳରୁ ବଡ଼ ୩୨୯ଟି ହିମ ହ୍ରଦ ରହିଛି। ୧୯୯୦ ତୁଳନାରେ ଏହି ହିମ ହ୍ରଦଗୁଡ଼ିକର କ୍ଷେତ୍ରଫଳ ପ୍ରାୟ ୭୦% ବଢ଼ିଯାଇଛି। ଭାରତରେ ୬ ହଜାର ବଡ଼ ଡ୍ୟାମ୍‌ ରହିଛି। ବଡ଼ ଡ୍ୟାମ୍‌ ଥିବା ଦେଶ ତାଲିକାରେ ବୈଶ୍ୱିକ ସ୍ତରରେ ଭାରତ ତୃତୀୟ ସ୍ଥାନରେ ରହିଛି। ହିମ ହ୍ରଦରେ ପ୍ରଳୟଙ୍କାରୀ ବନ୍ୟାର ବିନାଶକାରୀ ପରିଣାମ ଭାରତ ପୂର୍ବରୁ ମଧ୍ୟ ଅନୁଭବ କରି ସାରିଛି ବୋଲି ସିଡବ୍ଲ୍ୟୁସିଙ୍କ ନିର୍ଦ୍ଦେଶାବଳୀରେ ଉଲ୍ଲେଖ ରହିଛି। ୨୦୨୧ରେ ଉତ୍ତରାଖଣ୍ଡର ଚାମୋଲି ବିପର୍ଯ୍ୟୟ ଏବଂ ୨୦୨୩ରେ ସିକିମର ତିସ୍ତା-୩ ଡ୍ୟାମ୍‌ ଭାଙ୍ଗିବା ଘଟଣା ଏହାର ପ୍ରମୁଖ ଉଦାହରଣ। ଜଳବାୟୁ ପରିବର୍ତ୍ତନ ଯୋଗୁ ହିମାଳୟ ପାଦଦେଶରେ ଥିବା ରାଜ୍ୟଗୁଡ଼ିକରେ ବାଦଲଫଟା ବର୍ଷା, ହିମ ସ୍ଖଳନ, ଭୂସ୍ଖଳନ ଏବଂ ଭୂକମ୍ପ ଆଦି ଘଟଣା ବଢ଼ିବାରେ ଲାଗିଛି। ଏହାର ପ୍ରଭାବରେ ହିମ ହ୍ରଦ ଫୁଲିବା ସହ ପ୍ରଳୟଙ୍କାରୀ ବନ୍ୟାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ସିଡବ୍ଲ୍ୟୁସି ୧୦୦ ଡ୍ୟାମକୁ ସତର୍କ ସୂଚନା ଜାରି କରିଛନ୍ତି।