ବିଲକୁ ଯାଇଥିଲେ, ଘରକୁ ଫେରିଲେନି...
ତିହିଡ଼ି/ଖଇରା: ଚାଷ ପାଇଁ ବିଲକୁ ଯାଇଥିଲେ । ହେଲେ ଆଉ ଘରକୁ ଫେରିଲେ ନାହିଁ । ବଜ୍ରପାତରେ ତିନି ଚାଷୀଙ୍କର ଅକାଳ ମୃତୁ୍ୟ ହୋଇଯାଇଛି । ତିହିଡ଼ିରେ ଦୁଇ ଭାଇଙ୍କର ମୃତୁ୍ୟ ହୋଇଥିବାବେଳେ ଖଇରାରେ ଜଣେ ଯୁବ ଚାଷୀଙ୍କର ପରଲୋକ ହୋଇଯାଇଛି । ଆମ ତିହିଡ଼ି ପ୍ରତିନିଧିଙ୍କ ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ତିହିଡ଼ି ତହସିଲ ପୀରହାଟ ଥାନା ହରସିଂହପୁର ପଞ୍ଚାୟତ ଅଧୀନ ଚଣ୍ଡିସାହି ଗ୍ରାମରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ବଜ୍ରପାତରେ ଦୁଇ ଭାଇଙ୍କର ମୃତୁ୍ୟ ହୋଇଥିବା ବେଳେ ଜଣେ ଗୁରୁତର ଏବଂ ଅନ୍ୟ ଦୁଇ ଜଣ ଅଳ୍ପକେ ବଞ୍ଚô ଯାଇଥିବା ସୂଚନା ମିଳିଛି । ସୋମବାର ମଧ୍ୟାହ୍ନରେ ଚଣ୍ଡିସାହି ଗ୍ରାମର ଜଗବନ୍ଧୁ ମହାରଣାଙ୍କ ଦୁଇ ପୁଅ ମଦନ ମହରଣା (୬୦) ଓ ହୃଦାନନ୍ଦ ମହାରଣା (୫୭) ବିଲକୁ ଚାଷ କରିବାକୁ ଯାଇଥିଲେ । ଏହି ସମୟରେ ବଜ୍ରପାତ ହୋଇଥିଲା । ବଜ୍ରପାତରେ ମଦନ ଓ ହୃଦାନନ୍ଦ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ତିହିଡ଼ି ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ସେହିପରି ହରସିଂହପୁର ପଞ୍ଚାୟତ ଅଧୀନ ବାରବାଟିଆ ଗ୍ରାମର ଗିରଧାରୀ ମହାଳିକ (୬୪) ନାମକ ଜଣେ ବୃଦ୍ଧ ବିଲକୁ କାମ କରିବାକୁ ଯାଇଥିବା ବେଳେ ବଜ୍ରପାତ ହୋଇଥିଲା । ସେ ବଜ୍ରପାତରେ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ସରପଞ୍ଚ ଅଜୟ ମହାନ୍ତି, ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ବିଜେପି ନେତା ସଂଗ୍ରାମ ମହାନ୍ତି, ଶିକ୍ଷାବିତ୍ ସୁଶାନ୍ତ ପଣ୍ଡା, ପୂର୍ବତନ ସରପଞ୍ଚ ପ୍ରଫୁଲ ପାଢ଼ୀ ପ୍ରମୁଖ ଡାକ୍ତରଖାନାରେ ପହଞ୍ଚô ସମବେଦନା ଜ୍ଞାପନ କରିବା ସହିତ ମୃତକ ପରିବାରକୁ ସମସ୍ତ ପ୍ରକାର ସରକାରୀ ସୁବିଧା ମିଳିବା ଲାଗି ଦାବି କରିଛନ୍ତି । ଆମ ଖଇରା ପ୍ରତିନିଧିଙ୍କ ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୁରୁ ଗ୍ରାମର ଯୁବ ଚାଷୀ ଚନ୍ଦ୍ରକାନ୍ତ ପଣ୍ଡା(୨୫)ଙ୍କର ବଜ୍ରପାତରେ ମୃତୁ୍ୟ ଘଟିଛି । ସୋମବାର ଅପରାହ୍ନରେ ଟ୍ରାକ୍ଟର ଡାକି ବିଲରେ ହଳ କରୁଥିବା ବେଳେ ବଜ୍ରପାତ ଯୋଗୁଁ ସଂଜ୍ଞାହୀନ ହୋଇ ପଡିଥିଲେ । ପରିବାର ଲୋକଙ୍କୁ ଖବର ଦିଆଯିବା ପରେ ଚିକିତ୍ସା ପାଇଁ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଉଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ଚନ୍ଦ୍ରକାନ୍ତ ଏକମାତ୍ର ସନ୍ତାନ ହୋଇଥିବା ବେଳେ ଏଭଳି ଆକସ୍ମିକ ମୃତୁ୍ୟରେ ସମଗ୍ର କୁରୁ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ୭ ପୃଷ୍ଠାରେ...