ତିନିଦିନ ପରେ ଲାଗିଲା ବ୍ରହ୍ମ ତାଳଧ୍ୱଜ
କେନ୍ଦ୍ରାପଡା : ବାହୁଡାର ତୃତୀୟ ଦିବସରେ ସମସ୍ତ ବାଧା ବିଘ୍ନକୁ ଅତିକ୍ରମ କରି ଶ୍ରୀମନ୍ଦିର ସମ୍ମୁଖ ଚକଡାରେ ବ୍ରହ୍ମ ତାଳଧ୍ୱଜ ରଥ ଲାଗିଥିବାରୁ ସର୍ବତ୍ର ଆନନ୍ଦ ପ୍ରକାଶ ପାଇଛି । ତୁଳସୀ କ୍ଷେତ୍ରାଧିପତି ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ ବାହୁଡାରେ ମଧ୍ୟ ବାରମ୍ବାର ବାମ ମୋଡ ନେଇ ଅଟକି ରହିବାରୁ ଶ୍ରଦ୍ଧାଳୁୁ ଭକ୍ତ ମାନଙ୍କ ମଧ୍ୟରେ ନୈରାଶ୍ୟ ଖେଳି ଯାଇଥିଲା । ଶ୍ରୀ ଗୁଣ୍ଡିଚାରେ ବ୍ରହ୍ମ ତାଳଧ୍ୱଜ ରଥ ବାରମ୍ବାର ବାମ ମୋଡ ଓ ଦକ୍ଷିଣ ମୋଡ ନେଇ ୪ଦିନ ପରେ ମାଉସି ମା’ ମନ୍ଦିର ନିକଟରେ ପହଁଚି ଥିବାବେଳେ ବାହୁଡାରେ ମଧ୍ୟ ସେହିଭଳି ବାମ ମୋଡ ନେଇ ତୃତୀୟ ଦିବସରେ ଚକଡା ଲାଗି ଥିବାରୁ ରଥଯାତ୍ରା ପରିଚାଳନା କରୁଥିବା ଜିଲ୍ଲା ପ୍ରଶାସନ, ଦେବୋତ୍ତର ପରିଚାଳନା ସମିତିକୁ ଜନ ସଧାରଣ ସମାଲୋଚନା କରିବାକୁ ପଛାଇ ନାହାଁନ୍ତି । ତେବେ ଗତକାଲି ରଥଟଣା ଆରମ୍ଭ ହୋଇ କିଛି ବାଟ ଆସିବା ପରେ ନୂଆ ଚନ୍ଦନ ପୋଖରୀ ନିକଟରେ ବାମ ମୋଡ ନେଇ ଅଟକି ରହିଥିଲା । ଜାକ୍ ଲଗାଇ ରଥକୁ ସଳଖ କରାଯିବା ପରେ ଆଜି ଦିନ ୧୨ଟା ସମୟରେ ରଥ ଟଣା ଆରମ୍ଭ ହୋଇ ଦିନ ୫ଟା ସମୟରେ ଶ୍ରୀ ମନ୍ଦିର ସମ୍ମୁଖ ଚକଡାରେ ଲାଗିଥିଲା । ତେବେ ୩ ବର୍ଷ ହେଲା ଲଗାତାର ରଥଟଣାରେ ବିଘ୍ନ ଘଟୁଥିବାରୁ ରଥ ନିର୍ମାଣରେ ତୃଟି ରହୁଥିବା ଓ ରଥର ଅଖ, ଚକ ଗଠନରେ ତୃଟି ରହୁଥିବାରୁ ଚାଲିଲା ବେଳେ ବାରମ୍ବାର ମୋଡ ନେଉଥିବା ଅନେକ ପୁରୁଖା ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏ ଦିଗରେ ମନ୍ଦିର ପ୍ରଶାସନ ଦୃଷ୍ଟି ଦେଇ ଆଗାମୀ ବର୍ଷ ଠାରୁ ସୁରୁଖୁରୁ ରେ ରଥଟଣା ପରିଚାଳନା କରିବାକୁ ସାଧାରଣରେ ଦାବି ହେଉଛି ।