ସାମାଜିକ ବାସନ୍ଦର କରୁଣ ଚିତ୍ର : ଆସିଲେନି ସାଇଭାଇ, ମୃତଦେହକୁ କାନ୍ଧଦେଲେ ତିନି ଯୁବତୀ
ଲାଞ୍ଜିଗଡ଼ : ଆଧୁନିକ ଯୁଗ ଓ ଆଧୁନିକ ଶିକ୍ଷା ଓ ସଂସ୍କାର ଉପରେ ଭାରି ପଡୁଛି କୁସଂସ୍କାର ଓ ସାମାଜିକ କଟକଣା । ଭେଦଭାବ, କଟକଣା ଆଗରେ ହାରୁଛି ଶିକ୍ଷା, ସଂସ୍କାର ଓ ମାନବିକତା । ଜୀବନ୍ତ ତ ଛାଡ଼ ଏଠି ମୃତଦେହ ହୋଇଛି ସାମାଜିକ କଟକଣାର ଶିକାର । ଏପରି ଏକ ଅଭାବନୀୟ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ । ମୃତ୍ୟୁର ଦୀର୍ଘ ୮ ଘଣ୍ଟା ପର୍ଯ୍ୟନ୍ତ ମଧ୍ୟ ମୃତଦେହକୁ କାନ୍ଧ ଦେବାକୁ କେହି ବାହାରିଲେନି । ଶେଷରେ ତିନିଜଣ ସମ୍ପର୍କୀୟ ଯୁବତୀ ଆଗେଇ ଆସି ମୃତଦେହକୁ କାନ୍ଧ ଦେଇଥିଲେ ।
ସୂଚନା ଅନୁଯାୟୀ, ୨୦ ତାରିଖ ଲାଞ୍ଜିଗଡ଼ ପ୍ରଧାନୀପଡ଼ାର ଯୁବକ ମହେନ୍ଦ୍ର ଦଳେଇଙ୍କ ମୃତ୍ୟୁ ଘଟିଥିଲା । ସକାଳ ୮ଟାରୁ ମୃତ୍ୟୁ ହୋଇଥିବା ବେଳେ ମୃତ ଦେହକୁ କାନ୍ଧ ଦେବାକୁ କେହି ଆସିନଥିଲେ । ବଡ଼ବାପା ଓ ଅନ୍ୟମାନେ ଅନ୍ତିମ ସଂସ୍କାର ପାଇଁ ଜାତିଭାଇଙ୍କୁ ନେହୁରା ହୋଇଥିଲେ ମଧ୍ୟ ଜାତିଭାଇ ମୁହଁ ଫେରେଇ ନେଇଥିଲେ । କାରଣ ସମସ୍ତଙ୍କୁ ସାମାଜିକ କଟକଣା ଭୟ ଘାରିଥିଲା । କିଛି ବର୍ଷ ପୂର୍ବରୁ ତାଙ୍କ ବାପା,ମାଙ୍କ ମୃତ୍ୟୁ ଘଟିଥିଲା ଏବଂ ସେତେବେଳେ ମଧ୍ୟ ଅନ୍ତିମ ସଂସ୍କାରରେ ସମସ୍ୟା ଦେଖାଦେଇଥିଲା ।