‘ବୀରଙ୍କ ବଳିଦାନକୁ କୋଟି ପ୍ରଣାମ’

 ଭୁବନେଶ୍ୱର : ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ‘କାରଗିଲ ବିଜୟ ଦିବସ’ ପାଳନ କରାଯାଇଛି । ଏଥିରେ ରାଜ୍ୟ ସଭାପତି ମନମୋହନ ସାମଲ ଯୋଗ ଦେଇ ଆଜିର ଦିନଟି ଏକ ପ୍ରେରଣା ଓ ଦେଶ ଭକ୍ତି ଭାବନାର ଦିନ ବୋଲି ମତବ୍ୟକ୍ତ କରିଥିଲେ । କାରଗିଲ ଯୁଦ୍ଧ ବିଜୟରେ ଦେଶମାତୃକାର ସେବା କରିବା ପାଇଁ ଆମ ବୀର ଯବାନ ଦେଇଥିବା ଶୌର୍ଯ୍ୟ ଓ ବଳିଦାନକୁ କୋଟି କୋଟି ପ୍ରଣାମ ଜଣାଇ ଏହି ବିଜୟ ବର୍ତ୍ତମାନ ଓ ଭବିଷ୍ୟତ ପୀଢିକୁ ରାଷ୍ଟ୍ରଭକ୍ତି, ଦେଶ ସେବା ଓ ସମର୍ପଣ ଭାବନା ନେଇ ନିରନ୍ତର କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ସାମଲ କହିଛନ୍ତି । 
ପଞ୍ଚାୟତିରାଜମନ୍ତ୍ରୀ ରବି ନାରାୟଣ ନାୟକ ଯୋଗ ଦେଇ ଆଜିର ଯୁବପିଢୀ ଦେଶମାତୃକା ପାଇଁ ନିଃସ୍ୱାର୍ଥପର ଭାବେ କାମ କରିବା ଦରକାର ବୋଲି ପରାମର୍ଶ ଦେଇଥିଲେ । ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି ଯେ, ସହିଦ ହୋଇଥିବା ସମସ୍ତ ସୈନିକଙ୍କ ପାଇଁ ସାରା ଦେଶ ଆଜି ଗର୍ବିତ । ଏ ଅବସରରେ କାରଗିଲ ଯୁଦ୍ଧରେ ସହିଦ ଯବାନଙ୍କ ଉଦେ୍ଦଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ସେନାଧିକାରୀ ହାବିଲ୍ଦାର ସୁଶାନ୍ତ ଜେନା, ୱାରେଣ୍ଟ ଅଫିସର ଜଗବନ୍ଧୁ ସାହୁ ଯୋଗଦେଇ କାରଗିଲ୍ ଯୁଦ୍ଧ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ୨୦ ଜଣ ଅବସରପ୍ରାପ୍ତ ସେନାଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।