ପୋଲ ପାଲଟିଛି ମରଣଯନ୍ତା, ଚିନ୍ତାରେ ଯାତ୍ରୀ

 ନୂଆପଡା:  ନୂଆପଡା ଜିଲ୍ଲା କୋମନା ବ୍ଲକ ସ୍ଥିତ ପେଣ୍ଡରାବନ୍ଧ ପୋଲର ଉପରି ଭାଗ ସମ୍ପୂର୍ଣ୍ଣ  ଖାଲ ଖମା ହୋଇ  ମରଣଜନ୍ତା  ପାଲଟିଛି  । ଉକ୍ତ ସ୍ଥାନରେ ଜାତୀୟ ରାଜପଥ ବିଭାଗ ବିଗତ  ସମୟରେ ନିମ୍ନ ମାନର ପୋଳ ନିର୍ମାଣ କରିବାରୁ ବିଭିନ୍ନ ସମୟରେ ଏପରି  ଖାଳଖମା ହୋଇ ରାସ୍ତାଟି ନଷ୍ଟ ହେଉଥିବା ଦେଖିବାକୁ ମିଳିଛି । ଏଥିପାଇଁ  ପୋଳ ଆଖପାଖରେ  ପୂର୍ବରୁ ସଡକ ଦୁର୍ଘଟଣା ଘଟି ଅନେକଙ୍କ ଜୀବନ ଯାଇଥିବା ମଧ୍ୟ ନଜିର ରହିଛି । କିନ୍ତୁ ବିଭାଗର କୌଣସି ବିହିତ ପଦକ୍ଷେପ ଦେଖିବାକୁ ମିଳୁନି ।
ଅପରପକ୍ଷରେ ଏହି ୩୫୩ ନଂ ଜାତୀୟ ରାଜପଥ ଦେଇ ରାଇପୁରରୁ ବିଶାଖାପାଟଣାକୁ ଶହ ଶହ ମାତ୍ରାରେ ଲୋଡିଙ୍ଗ ଟ୍ରକ ଯାତାୟତ କରୁଥିବା ଯୋଗୁଁ  ଗତବର୍ଷ  ପୋଲ ନିକଟରେ ଗୋଟିଏ ପାର୍ଶ୍ୱ ଦବି ରହିଥିଲା । ସେହି ସମୟରେ ଦବିଥିବା ପୋଲ ନିକଟରେ ଅସ୍ଥାୟୀ ମରାମତି କରି ରାସ୍ତାର ସମତୁଲ କରାଯାଇଥିଲ । ବର୍ତମାନ ପୋଳ ଉପରେ ୪ ରୁ ୫ ଗୋଟି ବଡ ବଡ ଗତ ହୋଇଥିବାରୁ ବର୍ଷା ବେଳେ ପାଣି ଭର୍ତ୍ତି ହୋଇ ରହୁଛି । ଯାହାଫଳରେ ବାଇକ୍ ଚାଳକଙ୍କୁ ଜଣା ପଡୁ ନଥିବାରୁ  ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଏଣୁ ବିଭାଗ ତୁରନ୍ତ ଉକ୍ତ ଖାଳଖମା ରାସ୍ତାକୁ ସମତୁଲ କଲେ ଯାତ୍ରୀମାନେ ସୁରକ୍ଷିତ ଭାବେ ଯାତ୍ରା କରିବେ ବୋଲି ଆଶା କରାଯାଉଛି ।