‘ବେଟି ବଚାଓ, ବେଟି ପଢାଓ’କୁ ୧୦ ବର୍ଷ ପ୍ରତ୍ୟେକ ଝିଅ ପାଠ ପଢ଼ି ନିଜ ସ୍ୱପ୍ନ ପୂରା କରିଛନ୍ତି
ନୂଆଦିଲ୍ଲୀ: ଏକ ଦଶନ୍ଧି ପୂରଣ କରିଛି ‘ବେଟି ବଚାଓ, ବେଟି ପଢାଓ’ ଅଭିଯାନ । ଏ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଏହା ଏକ ଯୁଗାନ୍ତକାରୀ, ଜନଶକ୍ତି ଆଧାରିତ କାର୍ଯ୍ୟକ୍ରମ । କନ୍ୟାସନ୍ତାନଙ୍କ ସଶକ୍ତିକରଣ ଏବଂ ନାରୀ ଶକ୍ତିକୁ ସୁଦୃଢ଼ କରିବାକୁ ଏଥିରେ ପ୍ରାଥମିକତା ଦିଆଯାଉଛି । ହ୍ରାସ ପାଉଥିବା ଶିଶୁ ଲିଙ୍ଗ ଅନୁପାତ (ସିଏସଆର)ର ସମାଧାନ କରିବା, ଲିଙ୍ଗ ଭିତ୍ତିକ ଲିଙ୍ଗ-ଚୟନମୂଳକ ଉଚ୍ଛେଦକୁ ରୋକିବା ଏବଂ କନ୍ୟା ସନ୍ତାନର ସୁରକ୍ଷା ଓ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଲିଙ୍ଗଗତ ବୈଷମ୍ୟ ଦୂର କରିବା ଓ ଝିଅଙ୍କୁ ସଶକ୍ତ କରିବା ଦିଗରେ ଏହି ଅଭିଯାନ ଏକ ସଫଳ ମାଧ୍ୟମ ହୋଇପାରିଛି । ରେକର୍ଡ ଅନୁସାରେ ଝିଅ ସଂଖ୍ୟା କମ ରହିଥିବା ବିଭିନ୍ନ ଜିଲ୍ଲାରେ ଆଶାନୁରୂପକ ଅଗ୍ରଗତି ହୋଇଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି କହିଛନ୍ତି । ଏହି ଅବସରରେ ତୃଣମୂଳ ସ୍ତରରେ କାମ କରୁଥିବା ଅଭିଯାନର ସମସ୍ତ ଅଂଶୀଦାରମାନଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।
ସୋସିଆଲ ମିଡିଆ ଏକ୍ସରେ ନିଜର ମତାମତ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ବେଟି ବଚାଓ, ବେଟି ପଢାଓ’ ଅଭିଯାନର ଆଜି ଦଶବର୍ଷ ପୂର୍ତ୍ତି ହୋଇଛି । ଗତ କିଛି ଦଶନ୍ଧି ଧରି ଏହା ସବୁବର୍ଗର ଲୋକଙ୍କୁ ନେଇ ଏକ ସଫଳ କାର୍ଯ୍ୟକ୍ରମ ଭାବରେ ଅବତୀର୍ଣ୍ଣ ହୋଇପାରିଛି । ଲିଙ୍ଗଗତ ବୈଷମ୍ୟ ଦୂର କରିବା ଦିଗରେ ଏହା ଏକ ସଫଳ ମାଧ୍ୟମ ଭାବରେ ଉଭା ହୋଇଛି । ଏହି ଅଭିଯାନ ମାଧ୍ୟମରେ ପ୍ରତିଟି ଝିଅ ପାଠ ପଢି ନିଜ ସ୍ୱପ୍ନକୁ ଚରିତାର୍ଥ କରିବାର ମାହୋଲ ସୃଷ୍ଟି କରାଯାଇଛି । ସାଧାରଣ ଜନତା ଓ ବିଭିନ୍ନ କମୁ୍ୟନିଟି ସଂସ୍ଥାଗୁଡିକର ଉସôର୍ଗୀକୃତ ସେବା ଫଳରେ ଏହି ଅଭିଯାନ ସାକାର ହୋଇପାରିଛି । କମ ଝିଅ ରହିଥିବା ବିଭିନ୍ନ ଜିଲ୍ଲାରେ ଆଶାନୁରୂପକ ଅଗ୍ରଗତି ହୋଇଥିବା ବେଳେ ବିଭିନ୍ନ ସଚେତନାଧର୍ମୀ କାର୍ଯ୍ୟକ୍ରମ ଦ୍ୱାରା ଲିଙ୍ଗଗତ ସମାନତା ଆସିପାରିଛି ।’
ସୂଚନାଯୋଗ୍ୟ ଜାନୁଆରୀ ୨୨, ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ହରିଆନାର ପାନିପତ ଠାରେ ବେଟି ବଚାଓ ବେଟି ପଢାଓ (ବିବିବିପି) ଯୋଜନାର ଶୁଭାରମ୍ଭ କରାଯାଇଥିଲା ।