ବ୍ରହ୍ମକ୍ଷେତ୍ର ପୀଠରେ ଦୋଳ ଯାତ୍ରା ପ୍ରସ୍ତୁତି:  ବଳଦେବଜୀଉଙ୍କ ସହ ଯୋଗ ଦେବେ ୪୫ଟି ବିମାନ

 ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ଅଧିନ ଜିଗ୍ନୀପୁରର ପ୍ରସିଦ୍ଧ ବ୍ରହ୍ମକ୍ଷେତ୍ର ପୀଠ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରେ ଆସନ୍ତା ଦୋଳ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରର ମ୍ୟାନେଜିଂ ଟ୍ରଷ୍ଟି ଧିରେନ୍ଦ୍ରନାଥ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ୪୬ଗୋଟି ବିଭିନ୍ନ ଦୋଳ ବିମାନର ମାଲିକମାନେ ଯୋଗ ଦେଇ ଦୋଳଯାତ୍ରାକୁ ସରସ ସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ବିଭିନ୍ନ ଦିଗ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ସମ୍ପ୍ରତି ସମାଜରେ ଆଧୁନିକ ଚାକଚକ୍ୟ ଚଳଣୀ ଚାଲିଥିବା ବେଳେ ଏଥର ଦୋଳଯାତ୍ରାରେ ପୌରାଣିକ ବିଧି ବ୍ୟବସ୍ଥା ଓ ପରମ୍ପରାକୁ ଉଦ୍ଜୀବିତ କରିବା ପାଇଁ ପାରମ୍ପାରିକ ବାଦ୍ୟ ଏବଂ ଷଣ୍ଢ, ସଖୀ, ଘୋଡ଼ା ଓ ବିଭିନ୍ନ ପାରମ୍ପାରିକ ନୃତ୍ୟ ପରିବେଷଣ ଉପରେ ଗୁରୁତ୍ୱ ଦିଆଯାଇଛି । ବିମାନ ଶୋଭାଯାତ୍ରାରେ ଘଣ୍ଟ, ଘଣ୍ଟା ଓ ସଂକୀର୍ତ୍ତନ କରାଯାଇ ମେଳଣ ମଣ୍ଡପକୁ ଆଣିବା ପାଇଁ ସମସ୍ତ ମାଲିକମାନଙ୍କୁ ପରାମର୍ଶ ଦିଆଯାଇଛି । ଚଳିତବର୍ଷ ଅପରାହ୍ନ ୫ଘଟିକାରୁ ମେଳଣ ଶୋଭାଯାତ୍ରା ଆରମ୍ଭ କରାଯିବା ସହିତ ରାତି୍ର ୮.୩୦ ପୂର୍ବରୁ ସମସ୍ତ ବିମାନ ଗୁଡ଼ିକ ନିଜ ନିଜର ଗାଦି ମଣ୍ଡପରେ ଅଧିଷ୍ଠିତ ହେବା ପାଇଁ ନିଷ୍ପତ୍ତି ନିଆଯାଇଛି । ରାତ୍ରି ୯ଟା ମଧ୍ୟରେ ମେଳଣର ପାରମ୍ପାରିକ ଦେବ ସଭା, ଅଭିର ଖେଳ, ବିମାନରେ ଅଧିଷ୍ଠିତ ପ୍ରଭୁଙ୍କୁ ନୂତନ ବସ୍ତ୍ର ଓ ହାଣ୍ଡି ଭୋଗ ପ୍ରଦାନ ଓ ପରିଶେଷରେ ଆଳତି କାର୍ଯ୍ୟ କରାଯିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି କରାଯାଇଛି । ସାଲେପୁର ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ଲିଖିତ ଆବେଦନ ପାଇଁ ନିଷ୍ପତ୍ତି ହୋଇଛି । ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଅଧିନରେ ଆସନ୍ତା ମାର୍ଚ୍ଚ ୧୦ ତାରିଖ ଠାରୁ ମେଳଣ କାର୍ଯ୍ୟ ଆରମ୍ଭ ହୋଇ ୧୫ତାରିଖ ମଧ୍ୟରେ ୧୨ଟି ସ୍ଥାନରେ ମେଳଣ କରାଯିବା ପାଇଁ ସ୍ଥିର ହୋଇଛି । ୧୦ତାରିଖରେ ଛାଣିପୁର, ବାରେଣୀ, ଝୋଟେଇଶୁଣୀ, ୧୧ତାରିଖରେ କୁଳିଆ,୧୨ତାରିଖରେ ଜିଗ୍ନୀପୁର, ୧୩ ତାରିଖରେ ମନୋହରପୁର, ୧୪ ତାରିଖରେ ଲକ୍ଷ୍ମୀନାରାୟଣ ଓ ସାଇଗଡ଼ା ଏବଂ ୧୫ତାରିଖରେ କୁଳିଆ ମଠ, ବୋଦାମୁଣ୍ଡାଇ, ଅଲରେଇ ଆଦି ମେଳଣ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଚଳିତ ଯାତ୍ରାରେ ସମସ୍ତ ଗାଦି ମାଲିକ ଓ ମାର୍ଫଦଦାରମାନେ ଶୃଙ୍ଖଳିତ ସହିତ ମେଳଣ କାର୍ଯ୍ୟ ସମାପନ କରିବାକୁ ସହମତି ପ୍ରଦାନ କରିଛନ୍ତି  ।