ବିଦ୍ୟାଳୟ ଶୌଚାଳୟରେ ତାଲା
ତାଳଚେର : ତାଳଚେର ବ୍ଲକ ଧରମପୁର ପଞ୍ଚାୟତ ହାଇସ୍କୁଲରେ ଦେଖିବାକୁ ମିଳିଛି ଏକ ବିଚିତ୍ର ଦୃଶ୍ୟ! ସ୍କୁଲରେ ଶୌଚାଳୟ ରହିଥିଲେ ମଧ୍ୟ ଏହା ଦୀର୍ଘବର୍ଷ ହେବ ତାଲା ପଡି ରହିଥିବାରୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ ସ୍କୁଲର ବାହାର ପରିସରକୁ ନିତ୍ୟକର୍ମ ପାଇଁ ଯାଇଥିବାରୁ ପାଠ ପଢ଼ିବାରେ ବ୍ୟାଘାତ ହେଉଛି ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଘଟଣାରୁ ପ୍ରକାଶ, ରାଜ୍ୟ ସରକାରଙ୍କ ସମସ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଶୌଚ ହେବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଶୌଚାଳୟ ନିର୍ମାଣ କରାଯାଉଛି । ମାତ୍ର ଆଜକୁ ଦୁଇବର୍ଷରୁ ଅଧିକ ହେବା ଉକ୍ତ ବିଦ୍ୟାଳୟରେ ଶୌଚାଳୟ ନିର୍ମାଣ ହୋଇ ସାରିଥିଲେ ମଧ୍ୟ ସମ୍ପୃକ୍ତ ଠିକାଦାର ସ୍କୁଲ କର୍ତ୍ତୁପକ୍ଷଙ୍କୁ ଏହି ଗୃହଟିକୁ ହସ୍ତାନ୍ତର କରିବା ପରିବେର୍ତ୍ତ ଏହାକୁ ତାଲା ଝୁଲାଇ ରଖିଛନ୍ତି ବୋଲି ଛାତ୍ରଛାତ୍ରମାନେ ଏହା ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ବ୍ଲକ ଜେଇଙ୍କୁ ପଚାରିବାରୁ ସେ କୁହନ୍ତି କି, ମୁଁ ଏବିଷୟରେ କିଛି ଜାଣିନାହିଁ, ଏହା ଆରଡବ୍ଲୁଏସ୍ଏସ୍ର ଅନ୍ତର୍ଭୁକ୍ତ କାର୍ଯ୍ୟ । ସ୍ଥାନୀୟ ଆରଡବ୍ଲୁଏସ୍ଏସ୍ ଏ ସମ୍ପର୍କରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନାହିଁ । ଉକ୍ତ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ନିର୍ମାଣ ହୋଇସାରିଥିବା ଶୌଚାଳୟଟି କେବେ ଖୋଲିବ ତାହା ଦେଖିବାକୁ କେବଳ ବାକି ରହିଲା । ତେଣୁ ତୁରନ୍ତ ଡ଼ିଇଓ ଏଥିପ୍ରତି ଦୃଷ୍ଟି ଦେବାକୁ ଧରମପୁର ଗ୍ରାମବାସୀମାନେ ଦାବି କରିଛନ୍ତି ।