ବ୍ରହ୍ମପୁତ୍ରରେ ଡଙ୍ଗା ବୁଡି ୬ ନିଖୋଜ
ଗୌହାଟି : ବ୍ରହ୍ମପୁତ୍ର ନଦୀରେ ଏକ ଯନ୍ତ୍ରଚାଳିତ ଡଙ୍ଗା ବୁଡ଼ିଯିବା ଫଳରେ ପିଲାଙ୍କ ସମେତ ୬ ଜଣ ନିଖୋଜ ହୋଇଯାଇଛନ୍ତି । ଡଙ୍ଗାଟି ଆସାମର ବାରପେଟା ଜିଲ୍ଲା ରୋହମପୁରରୁ ବୋର୍ଘୁଲ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ପୁଲିସ କହିଛି ଯେ ଡଙ୍ଗାରେ ୩୬ ଜଣ ଥିଲେ । ତିନିରୁ ଚାରି ଜଣ ପିଲାଙ୍କ ସମେତ ୬ ଜଣ ନିଖୋଜ ଅଛନ୍ତି । ଯାତ୍ରୀମାନେ ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିଲେ ବୋଲି ବରିଷ୍ଠ ପୁଲିସ ଅଧୀକ୍ଷକ ସୁଶାନ୍ତ ବିଶ୍ୱ ଶର୍ମା କହିଛନ୍ତି । ଯେଉଁମାନେ ବଞ୍ଚି ଯାଇଥିଲେ କିଛି ପହଁରି କୂଳକୁ ଆସିଥିଲେ । ଅନ୍ୟମାନଙ୍କୁ ମତ୍ସ୍ୟଜୀବୀ ଓ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଥିଲେ । ଡଙ୍ଗାଟିରେ ପର୍ଯ୍ୟାପ୍ତ ଲାଇଫ୍ ଜ୍ୟାକେଟ୍ ନଥିଲା ବୋଲି ଅଭିଯୋଗ ହୋଇଛି । ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ଘଟଣା ସମୟରେ ଡଙ୍ଗାଟି ବୁଡ଼ି ଯାଇଥିଲା ଓ ଏହାର କୌଣସି ସନ୍ଧାନ ମିଳିନଥିଲା । ନିଖୋଜ ଲୋକଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରସମନ ବାହିନୀ ଦ୍ୱାରା ବାରପେଟା ପୁଲିସ ଓ ମତ୍ସ୍ୟଜୀବୀ ମିଳିତ ଭାବେ ସର୍ଚ୍ଚ ଅଭିଯାନ କରାଯାଇଥିଲା । ଅନ୍ଧାର ହୋଇଯିବା ଯୋଗୁଁ ଉଦ୍ଧାର କାର୍ଯ୍ୟ ସ୍ଥଗିତ ରଖାଯାଇଛି । ଆସନ୍ତାକାଲି ସକାଳେ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ ।