ବଡ଼ଦାଣ୍ଡରେ ଉଠାଦୋକାନୀଙ୍କ ଧାରଣା ୩ୟ ଦିନରେ, ତିନି ଜଣ ଅଚେତ୍

ପୁରୀ - ବଡ଼ଦାଣ୍ଡ ମିଳିତ ଉଠାଦୋକାନୀ ବ୍ୟବସାୟୀ ମହାସଂଘ ପକ୍ଷରୁ ଧାରଣା ୩ୟ ଦିନରେ ପହଂଚିଛି । ପେଟପାଟଣା ଜୀବନଜୀବିକା ପାଇଁ ଗତ ତିନି ଦିନ ଧରି ପୁରୁଷ ଓ ମହିଳା ଉଠାଦୋକାନୀ ଧାରଣାରେ ବସିଛନ୍ତି । ରବିବାର ପୂର୍ବାହ୍ନରେ ହଠାତ ସଂଘର ତିନି ଜଣ ସଦସ୍ୟ ଅଚେତ ହୋଇପଡିବାରୁ ସେମାନଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତି କରାଯାଇଛି । ସେମାନେ ହେଲେ ମଞ୍ଜୁ ବରାଳ (୬୫), ସୁକାନ୍ତି ମହାନ୍ତି (୬୫) ଓ କୃଷ୍ଣ ଚନ୍ଦ୍ର ବେହେରା (୫୫ ) । ଉଚ୍ଛେଦ ସମୟରେ ୨ ମାସ ମଧ୍ୟରେ ଥଇଥାନ କରିବାକୁ ପ୍ରଶାସନ ସେତେବେଳେ ପ୍ରତିଶ୍ରୁତି ଦେଇଥିଲା । ୧୦ ମାସ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଥଇଥାନ କରିପାରିଲେ ନାହିଁ ପ୍ରଶାସନ । ଉଠାଦୋକାନୀ ମାନେ ଦାବୀ କରିଛନ୍ତି ଯେ, ସେମାନେ ଶ୍ରୀସେତୁ ନୁହେଁ, ବଡ଼ଦାଣ୍ଡରେ ବ୍ୟବସାୟ କରିବେ । ଜିଲ୍ଲାପାଳଙ୍କ ସହ କବାଟ ବନ୍ଦ କରି ଆଲୋଚନା କରିବୁ ନାହିଁ । ଖୋଲାରେ ଏବଂସମସ୍ତଙ୍କ ସମ୍ମୁଖରେ ଆଲୋଚନା କରାଯାଉ ବୋଲି ପ୍ରଶାସନିକ ଅଧିକାରୀଙ୍କୁ ସଂଘ ପ୍ରସ୍ତାବ ଦେଇଛି । ଥଇଥାନ ନହେଲା ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ୧୨୦୮ଜଣ ଉଠାଦୋକାନୀ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବଡଦାଣ୍ଡରେ ଧାରଣାରେ ବସିବେ ବୋଲି ମିଳିତ ଉଠାଦୋକାନି ବ୍ୟବସାୟୀ ମହାସଂଘ ଚେତାବନୀ ଦେଇଛନ୍ତି । ଏହି ଧାରଣାରେ ଶତାଧିକ ଉଠାଦୋକାନି ଯୋଗ ଦେଇଛନ୍ତି ।