ମନ୍ଥର ଗତିରେ ମଙ୍ଗଳା ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ

 କାକଟପୁର: ପୁରୀଜିଲ୍ଲା କାକଟପୁରର ସଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପୀଠ ରାଜ୍ୟର ଥିବା ଶକ୍ତିପୀଠ ମାନଙ୍କ ମଧ୍ୟରେ ଅନ୍ୟତମ । ଗତ ବିଜେଡି ସରକାରଙ୍କ ସମୟରେ ରାଜ୍ୟର ପ୍ରମୁଖ ଶକ୍ତିପୀଠ ଗୁଡିକର ସୌନ୍ଦର୍ଯ୍ୟ କରଣ ପାଇଁ ସରକାର ପ୍ୟାକେଜ ଘୋଷଣା କରିଥିଲେ । ସେଥିମଧ୍ୟରୁ କାକଟପୁରର ମଙ୍ଗଳା ମନ୍ଦିରର ସୌନ୍ଦର୍ଯ୍ୟ କରଣ ପାଇଁ ୯ କୋଟି ୮୦ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଥିଲା । ସେ ସମୟରେ ପାର୍କିଂସ୍ଥଳର ପୁନଃରୁଦ୍ଧାର, ଯାତ୍ରୀ ବିଶ୍ରାମଗାର, ମୁଣ୍ଡନ ଗୃହ, ପାର୍କ, ପୂର୍ବ ଦ୍ୱାରରେ ଐତିହ୍ୟ ତ୍ୱରଣ ସେବାୟତ ସଦନ ଓ ଖଣ୍ଡାଲାଇଟ ପଥରରେ ମନ୍ଦିର ଚତୁଃପାର୍ଶ୍ୱର ମୁଖ୍ୟ ଦ୍ୱାର ଗୁଡିକର ସୌନ୍ଦର୍ଯ୍ୟ କରଣ ପାଇଁ ଡ୍ରଇଂ ଓ ଡିଜାଇନ ଜାରି କରାଯାଇଥିଲା । ମାତ୍ର ଉକ୍ତ ଘୋଷଣାକୁ ୨ ବର୍ଷ ପୂରିଯାଇଥିଲେ ମଧ୍ୟ କାର୍ଯ୍ୟର ୨୫ ଭାଗ କାର୍ଯ୍ୟ ସରିପାରିନାହିଁ । କିନ୍ତୁ ନୂତନ ସରକାର ଆସିବାପରେ ଖୋଦ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଘନ ଘନ ମଙ୍ଗଳା ମନ୍ଦିର ପରିଦର୍ଶନ କରି ମନ୍ଦିରର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟପାଇଁ ପର୍ଯ୍ୟାପ୍ତ ଅର୍ଥରାଶି ରାଜ୍ୟ ସରକାର ଯୋଗାଇଦେବା ସହିତ ଉକ୍ତ କାର୍ଯ୍ୟ ଓଟିଡିସି ଦ୍ୱାରା କରାଯିବ ବୋଲି ଘୋଷଣା କରିଥିଲେ ମଧ୍ୟ ଏହାର ଡ୍ରଇଂ ଏବଂ ଡିଜାଇନ ଅଦ୍ୟାବଧି ଜାରି କରାଯାଇ ପାରିଲା ନାହିଁ କିମ୍ବା ସେବାୟତ ନିଯୋଗଙ୍କ ସହିତ କୌଣସି ଆଲୋଚନା ନକରାଯିବା ସେବାୟତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ସଂକ୍ରାନ୍ତରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶଙ୍କୁ ପଚାରିବାରେ ଉପ ମୁଖ୍ୟମନ୍ତ୍ରୀ ମଙ୍ଗଳା ମନ୍ଦିର ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୩୨ କୋଟି ଟଙ୍କା ଘୋଷଣା କରିଥିଲେ ମଧ୍ୟ ଅଦ୍ୟାବଧି କୌଣସି ଚିଠି ମନ୍ଦିର ପ୍ରଶାସନର ହସ୍ତଗତ ହୋଇନାହିଁ ବୋଲି ପ୍ରକାଶ କରିଥିଲେ ।  ଅପର ପକ୍ଷରେ ଓବିସିସିର କାର୍ଯ୍ୟକରୁଥିବା ଠିକାଦାରଙ୍କୁ କାର୍ଯ୍ୟର ବିଳମ୍ବ ସମ୍ପର୍କରେ ପଚାରିବାରେ ରାଜସ୍ୱ ବିଭାଗ ଓ ମନ୍ଦିର ପ୍ରଶାସନ ଜମି ଯୋଗାଇବାରେ ଅହେତୁକ ବିଳମ୍ବ ହେତୁ କାର୍ଯ୍ୟର ବିଳମ୍ବ ହୋଇଛି କିନ୍ତୁ ଆଉ ମାତ୍ର ୫ -୬ ମାସ ମଧ୍ୟରେ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇଯିବ ବୋଲି ସେ ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଥିଲେ । ଏ ନେଇ ଭକ୍ତ ଓ ସେବାୟତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ରାଜ୍ୟ ସରକାର ଦୃଷ୍ଟି ଦେଇ କାର୍ଯ୍ୟ ସାରିବାକୁ ସାଧାରଣରେ ଦୃଢ଼ ଦାବି ହୋଇଛି ।