ଶ୍ରୀକ୍ଷେତ୍ରରେ ଦୀପାବଳି , ପୟାଶ୍ରାଦ୍ଧ ଦେବା ସହ ବଡ଼ବଡ଼ୁଆ ଡାକିଲେ ଲକ୍ଷାଧିକ ଶ୍ରଦ୍ଧାଳୁ


ାା ପ୍ରଭାନୁ୍ୟଜ୍ ।ା ପୁରୀ: ଶ୍ରୀକ୍ଷେତ୍ରରେ ଆନନ୍ଦ ଉଲ୍ଲାସର ସହ ଆଲୋକର ପର୍ବ ଦୀପାବଳି ପାଳିତ ହୋଇଯାଇଛି । ଏଥି ସହିତ ବିଭିନ୍ନ ପୂଜାମଣ୍ଡପରେ ମୃଣ୍ମୟ ମୂର୍ତ୍ତିଙ୍କ କାଳୀପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇଉଠିଥିଲା । ପୟାଶ୍ରାଦ୍ଧ ଦେବା ସହ କାଉଁରିଆ ଜାଳି ବଡ଼ବଡ଼ୁଆ ଡ଼ାକିବା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହଜାରହଜାର ଶ୍ରଦ୍ଧାଳୁ ସମବେତ ହୋଇଥିଲେ । ବିଶେଷତଃ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରୁ ଭକ୍ତମାନଙ୍କ ସ୍ରୋତ ଛୁଟିଥିଲା । ବଡ଼ଦାଣ୍ଡ ଓ ବିଭିନ୍ନ ତୀର୍ଥ ସରୋବର ତଟରେ ଶ୍ରାଦ୍ଧ ଓ ସମର୍ପଣର ଭାବ ନେଇ ଶ୍ରଦ୍ଧାଳୁମାନେ ପିତୃପୁରୁଷଙ୍କ ଉଦେ୍ଦଶ୍ୟରେ ପୟାଶ୍ରାଦ୍ଧ ଦେଇଥିଲେ । ବୁଧବାର ରାତିରୁ ସହରକୁ ଭକ୍ତମାନଙ୍କ ସ୍ରୋତ ଛୁଟିଥିଲା । ହଜାର ହଜାର ଶ୍ରଦ୍ଧାଳୁ ପିତୃ ପୁରୁଷଙ୍କ ଉଦେ୍ଦଶ୍ୟରେ ପିଣ୍ଡଦାନ କରିଥିଲେ । ଶ୍ରୀମନ୍ଦିରର ଉତ୍ତରଦ୍ୱାର ଅଞ୍ଚଳରେ ପୟାଶ୍ରାଦ୍ଧ କରିବା ପାଇଁ ଜମିଥିଲା ଶ୍ରଦ୍ଧାଳୁମାନଙ୍କ ଭିଡ଼ । 
ପୟାଶ୍ରାଦ୍ଧ ପରେ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ନିକଟରେ କାଉଁରିଆ ଜାଳି ପିତୃପୁରୁଷଙ୍କୁ ଆଲୋକର ପଥ ପ୍ରଦର୍ଶନ କରିଥିଲେ । ବଡ଼ବଡ଼ୁଆ ହୋ ଅନ୍ଧାରରେ ଆସି ଆଲୁଅରେ ଯାଅ, ଗଙ୍ଗା ଯାଅ, ଗୟା ଯାଅ, ମହାପ୍ରସାଦ ଖାଇ ବାଇଶି ପାହାଚରେ ଗଡ଼ଗଡ଼ଉ ଥାଅ ଧ୍ୱନିରେ ମୁଖରିତ ହୋଇଉଠିଥିଲା ଗଗନପବନ । କିଛି ଶ୍ରଦ୍ଧାଳୁ କାଉଁରିଆ ଜାଳିବା ସହ ବାଣ ଫୁଟାଇଥିଲେ । ସିଂହଦ୍ୱାର ଅଞ୍ଚଳ ହୋଇଉଠିଥିଲା ଧୂମମୟ । ପୌରାଣିକ ମତଅନୁଯାୟୀ ଦିବଗଂତ ଆତ୍ମାମାନେ ମହାଳୟା ଠାରୁ ଦୀପାବଳି ପର୍ଯ୍ୟନ୍ତ ମର୍ତ୍ତ୍ୟ ଲୋକରେ ଅବସ୍ଥାନ କରିଥାନ୍ତି । ଏହି ଅବସରରେ ଦଶଦେବତା କ୍ରତୁ, ଦକ୍ଷ, ବସୁ, ସତ୍ୟ, କାଳ, କାମ, ଧୁରୀ, ଲୋଚନ, ଉରୁଥିବା, ମାଦ୍ରବ, ସପ୍ତଋଷି ସନନ୍ଦ, ସୌନକ, ସନାତନ, କପିଳ, ଆସୁରୀ, ବୋଡ଼ୁ ଏବଂ ପଞ୍ଚଶିଖ ତଥା ପିତା, ପିତାମହ, ପ୍ରପିତାମହ, ମାତା, ମାତାମହୀ ଓ ପ୍ରପୀତାମହିଙ୍କ ଉଦେ୍ଦଶ୍ୟରେ ଶ୍ରାଦ୍ଧ କରାଯାଇଥାଏ ।  ମହାଳୟାରେ ମର୍ତ୍ତ୍ୟକୁ ଆସିଥିବା ଦିବଗଂତ ଆତ୍ମାମାନେ ଦୀପାବଳିରେ ପିତୃଲୋକକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ବୋଲି ହିନ୍ଦୁମାନଙ୍କ ମଧ୍ୟରେ ବିଶ୍ୱାସ ରହିଛି । ପୟାଶ୍ରାଦ୍ଧ ଓ ବଡ଼ବଡ଼ୁଆ ଡ଼କା ଉପଲକ୍ଷେ ସିଂହଦ୍ୱାର ତଥା ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଲୋକାରଣ୍ୟ ହୋଇଉଠିଥିଲା । ବ୍ୟବସାୟୀମାନେ କାଉଁରିଆ ଏବଂ ଶ୍ରାଦ୍ଧ ସରଞ୍ଜାମ ପସରା ମେଲିଥିଲେ ।