ପ୍ରଳମ୍ବାସୁର ବଧ କଲେ ପ୍ରଭୁ ବଳଭଦ୍ର

ପୁରୀ : ଜନ୍ମାଷ୍ଟମୀ ଠାରୁ ଶ୍ରୀମନ୍ଦିରରେ ଶୁଭାରମ୍ଭ ହୋଇଥିବା ଶ୍ରୀକୃଷ୍ଣ ଲୀଳା କ୍ରମରେ ଭାଦ୍ରବ କୃଷ୍ଣ ଦ୍ୱାଦଶୀ ତିଥିରେ ପ୍ରଭୁ ବଳଭଦ୍ରଙ୍କ ପ୍ରଳମ୍ବାସୁର ବଧବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କୁ ସାଧାରଣ ବେଶରେ ସଜ୍ଜିତ କରାଯାଇଥିଲା । ସନ୍ଧ୍ୟାଧୂପ ପରେ ରାମକୃଷ୍ଣ ଭିତର ସିଂହାସନକୁ ବିଜେ କରିଥିଲେ । ପୂଜାପଣ୍ଡା ଆଜ୍ଞାମାଳ ଦେବାପରେ ମହାଜନେ ଜଗମୋହନରେ ଥିବା ଖଟ ଉପରେ ରାମକୃଷ୍ଣଙ୍କୁ ବିଜେ କରାଇଥିଲେ । ପରମ୍ପରା ଅନୁଯାୟୀ ଦୋଳମଣ୍ଡପ ସାହି ଲୋକମାନଙ୍କ ଦ୍ୱାରା ପ୍ରଳମ୍ବାସୁର ବଧ ପ୍ରସ୍ତାବ କରାଯାଇଥିଲା । ପ୍ରଳମ୍ବାସୁର ବଧ ବେଶରେ ପ୍ରଭୁ ବଳଭଦ୍ରଙ୍କ ଦୁଇ ଶ୍ରୀହସ୍ତରେ ଶୋଭା ପାଉଥିଲା ହଳ ଓ ମୂଷଳ । ବଳଭଦ୍ରଙ୍କ ପାଦଦେଶରେ ପ୍ରାୟ ୪ ଫୁଟ ଉଚ୍ଚତା ବିଶିଷ୍ଟ କାଷ୍ଠ ନିର୍ମିତ ବିଶାଳକାୟ ପ୍ରଳମ୍ବାସୁର ମୂର୍ତ୍ତି ରଖାଯାଇଥିଲା । ପ୍ରଭୁ ବଳଭଦ୍ର ପ୍ରଳମ୍ବାସୁରର ସ୍କନ୍ଧ ଓ ଦୁଇଭୁଜରେ ବସିଥିବା ଭଳି ପ୍ରତୀୟମାନ ହୋଇଥିଲା । ଦ୍ୱିପ୍ରହର ଧୂପ ପରେ ପୁଷ୍ପାଳକ ସେବକମାନେ ବଳଭଦ୍ରଙ୍କୁ ଏହି ବେଶରେ ସଜ୍ଜିତ କରିଥିଲେ । ସନ୍ଧ୍ୟାଧୂପ ଶେଷ ହେବା ପର୍ଯ୍ୟନ୍ତ ଏହି ବେଶ ରହିଥିଲା ।ବହୁ ଶ୍ରଦ୍ଧାଳୁ ରନôସିଂହାସନରେ ପ୍ରଭୁ ବଳଭଦ୍ରଙ୍କର ଏହି ବେଶ ଦର୍ଶନ କରିଥିଲେ । ଶ୍ରୀମଦ ଭାଗବତ ଦଶମସ୍କନ୍ଦର ଉନବିଂଶ ଅଧ୍ୟାୟରେ ବିସ୍ତୃତ ବର୍ଣ୍ଣନା ଥିବା ପ୍ରଳମ୍ବାସୁର ବଧ ଆଖ୍ୟାୟିକା ଆଧାରରେ ପଭୁ ବଳଭଦ୍ରଙ୍କୁ ଏହି ବେଶ କରାଯାଇଥାଏ । ଖ୍ରୀଷ୍ଟୀୟ ଷୋଡଶ ଶତାଦ୍ଦୀରେ ମନ୍ଦିରରେ ଏହି ବେଶ ପ୍ରଚଳନ କରାଯାଇଥିବା କୁହାଯାଏ ।