ବଡ଼ଦାଣ୍ଡରେ ବନ୍ଦ ହେବ ଆମିଷ
ଭୁବନେଶ୍ୱର: ବଡ଼ ଦାଣ୍ଡରେ ମଦ ଓ ଆମିଷ ବନ୍ଦ ହେବ । ସରକାର ଏଭଳି ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଶ୍ରୀମନ୍ଦିରରୁ ୨ କିଲୋମିଟର ଯାଏଁ ରହିବନି ବାର୍ କି ମଦ ଦୋକାନ । ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ନୂଆ ଅବକାରୀ ନୀତିରେ ଚିତ୍ର ସ୍ପଷ୍ଟ ହେବ । ଏଥିସହ କୋଭିଡ ନିୟମ ମାନି ରଥଯାତ୍ରା ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି । ୪୦ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଏଥର ପୁରୀ ଆସିପାରନ୍ତି ବୋଲି ଅନୁମାନ କରାଯାଉଛି । ସୋମବାର ଆଇନମନ୍ତ୍ରୀ ରଥଯାତ୍ରା ନେଇ ସମୀକ୍ଷା କରିବେ । ମନ୍ତ୍ରୀ କହିଛନ୍ତିଯେ, ପୁରୀକୁ ଏକ ତୀର୍ଥ ସହର ହିସାବରେ ବିକଶିତ କରାଯାଉଛି । ବଡ଼ଦାଣ୍ଡରେ ଥିବା ସମସ୍ତ ଘର ତୀର୍ଥସ୍ଥାନ ଭଳି ଦେଖାଯିବା ଦରକାର । ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରାଯାଉଛି । ବଡ଼ଦାଣ୍ଡରେ ଥିବା ସମସ୍ତ ଘରକୁ ଏକ ସାଧାରଣ ଭିତ୍ତିଭୂମି ଢାଞ୍ଚା କରାଯିବାକୁ ଯୋଜନା ପ୍ରସ୍ତୁତ ହେଉଛି ।