‘ଭକ୍ତି ସାହିତ୍ୟରେ ଶ୍ରୀଜଗନ୍ନାଥ’ ଶୀର୍ଷକ ଆଲୋଚନାଚକ୍ର
ପୁରୀ : ସ୍ଥାନୀୟ ନୀଳାଚଳ ତତ୍ତ୍ୱ ସନ୍ଧାନ ପରିଷଦ ପକ୍ଷରୁ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଭକ୍ତି ସାହିତ୍ୟରେ ଶ୍ରୀ ଜଗନ୍ନାଥ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଫେସର ପ୍ୟାରିମୋହନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ଡ଼. ପ୍ରମୋଦ କୁମାର ଦଳେଇ “ଅଚୁ୍ୟତାନନ୍ଦଙ୍କ ଭକ୍ତି ସାହିତ୍ୟରେ ଜଗନ୍ନାଥ“ ବିଷୟ ଉପସ୍ଥାପନ କରି କହିଥିଲେ ଯେ ୧୪୮୩ ଖ୍ରୀଷ୍ଟାଦ୍ଦରେ ମାଘଶୁକ୍ଳ ଏକାଦଶୀ ତିଥିରେ କଟକ ଜିଲ୍ଳାର ନେମାଳ ନିକଟ ତିଳକଣାରେ ଆବିର୍ଭୂତ ହୋଇଥିଲେ ଅଚୁ୍ୟତା ନନ୍ଦ । ସେ ୩୬ଟି ସଂହିତା, ୭୮ଟି ଗୀତା, ୧୦୦ଟି ମାଳିକା ରଚନା କରିଥିଲେ । ତାଙ୍କର ପ୍ରସିଦ୍ଧ ରଚନା ହରିବଂଶ ଶୂନ୍ୟସଂହିତା, ଆଗତ ଭବିଷ୍ୟ ମାଳିକା ଆଦି । ସେ ଥିଲେ ତ୍ରିକାଳ ଦର୍ଶୀ ସାଧକ, ତତ୍ତ୍ୱବିତ୍ ଏବଂ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ । ତାଙ୍କ ରଚନାରେ ଶ୍ରୀଜଗନ୍ନାଥଙ୍କ ପ୍ରତି ସମର୍ପଣ ଭାବର ଉଚ୍ଛ୍ୱାସ ପରିଲକ୍ଷିତ ହୁଏ । ସେ ଜଗନ୍ନାଥଙ୍କୁ ଦାରୁବ୍ରହ୍ମ, ଠୁଳଶୂନ୍ୟ ବ୍ରହ୍ମ ଅବତାରୀ ଭାବେ ବର୍ଣ୍ଣନା କରିଛନ୍ତି । ପ୍ରଫେସର ପ୍ୟାରିମୋହନ ପଟ୍ଟନାୟକ ସ୍କନ୍ଦ ପୂରାଣ ଅର୍ନ୍ତଗତ ପରୁଷୋତ୍ତମ ମାହାତ୍ମ୍ୟରେ ବର୍ଣ୍ଣିତ ସନାତନୀ ଭକ୍ତି ତତ୍ତ୍ୱ ବିଷୟରେ ସାରଗର୍ଭକ ଆଲୋଚନା କରିଥିଲେ । ଆଲୋଚନାଚକ୍ରରେ ଡ଼. ନୃସିଂହ ଚରଣ ସାହୁ, ଅଧ୍ୟାପିକା ବାସନ୍ତୀ ଦେବୀ, ଡ଼. ଦେବରାଜ ପ୍ରଧାନ, ଅଧିବକ୍ତା ପୂର୍ଣ୍ଣଚନ୍ଦ୍ର ଦାସ, ଗବେଷକ ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାର, ଡ଼. କଲ୍ୟାଣୀ ନନ୍ଦୀ, ଅନାମ ଚନ୍ଦ୍ର ସାହୁ, ପ୍ରଶାନ୍ତ କୁମାର ପାତ୍ର, ଅଶୋକ ଆଢ୍ୟ, ଶର୍ବାଣୀ ଦାସ, ଏମ୍. କୋଟେସ ଚନ୍ଦ୍ର ପାତ୍ର, ନକୁଳ ଚରଣ ସ୍ୱାଇଁ, ହୃଷିକେଶ ଶତପଥୀ, ଦେବାଶିଷ ଖୁଣ୍ଟିଆ, ଲକ୍ଷ୍ମୀପ୍ରିୟା ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ ।