୩୧ ଯାଏ ବଢ଼ିଲା ଇ-କେୱାଇସି ଅବଧି

୩୧ ଯାଏ ବଢ଼ିଲା ଇ-କେୱାଇସି ଅବଧି

ଭୁବନେଶ୍ୱର: ରାସନ କାର୍ଡ ହିତାଧିକାରୀଙ୍କ ଇ-କେୱାଇସି ଅପଡେଟ୍‌ କରିବାର ଅବଧି ଜାନୁଆରୀ ୩୧ ଯାଏ ବଢ଼ିଲା । ଏ ନେଇ ବିଭିନ୍ନ ଜିଲ୍ଲାର ଯୋଗାଣ ଅଧିକାରୀଙ୍କୁ  ଚିଠି ଲେଖିଛନ୍ତି ଯୋଗାଣ ବିଭାଗର ଅତିରିକ୍ତ  ସଚିବ । ଏ ପର୍ୟ୍ୟନ୍ତ ପ୍ରାୟ ୫୦ ଲକ୍ଷ ରାସନ କାର୍ଡ ହିତାଧିକାରୀ ଇ-କେୱାଇସି ଅପଡେଟ୍‌  କରିନାହାନ୍ତି । ତେଣୁ ଏମାନେ ମାଗଣା  ଚାଉଳରୁ ବଞ୍ଚିତ ହେବେ । ଗଣମାଧ୍ୟମରେ  ଏଭଳି ଖବର ପ୍ରକାଶ ପରେ ଯୋଗାଣ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ  ଡାକି ସମୀକ୍ଷା କରାଯାଇଛି। ସମୀକ୍ଷା ପରେ ଇ-କେୱାଇସି ଅବଧି ବୃଦ୍ଧି ପାଇଁ ନିଷ୍ପତ୍ତି  ହୋଇଛି। ଅବଧି ବୃଦ୍ଧି ସମ୍ପର୍କରେ ପଞ୍ଚାୟତ ସ୍ତରରେ  ବ୍ୟାପକ ପ୍ରଚାର, ପ୍ରସାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ଅପରପକ୍ଷେ, ଇ-କେୱାଇସି ଅପଡେଟ୍‌  କରିବାରେ ଇଣ୍ଟରନେଟ୍‌ ନେଟୱାର୍କ ସମସ୍ୟା ହେଉଛି । ହେଲେ ବିଭାଗ ପକ୍ଷରୁ ଜଣେ ବି ଯୋଗ୍ୟ ହିତାଧିକାରୀ ଯେମିତି ମାଗଣା ଚାଉଳ ପାଇବାରୁ  ବଞ୍ଚିତ ନହୁଅନ୍ତି, ସେଥିପାଇଁ ସବୁପ୍ରକାର ପ୍ରୟାସ ଚଳାଇବାକୁ କୁହାଯାଇଛି । କୌଣସି ହିତାଧିକାରୀ ରାସନ ପାଇଁ ଯାଇନପାରିଲେ, ନୋମିନିଙ୍କୁ ପଠାଇ ପାରିବେ ବୋଲି ବିଭାଗୀୟ ଚିଠିରେ କୁହାଯାଇଛି । ନୋମିନି ରାସନ ସଂଗ୍ରହ କରିବାକୁ ଗଲେ ପ୍ରକୃତ ହିତାଧିକାରୀଙ୍କ ମୋବାଇଲକୁ ଏକ ଓଟିପି ଯିବ । ସେହି  ଓଟିପି ଦେଇ ନୋମିନି ଜଣକ ପ୍ରକୃତ ହିତାଧିକାରୀଙ୍କ  ପାଇଁ ରାସନ ଉଠାଇ ପାରିବେ ବୋଲି କୁହାଯାଇଛି ।