ଭତ୍ତା ଅପେକ୍ଷାରେ ୬୧୪ ହିତାଧିକାରୀ 

ପାପଡାହାଣ୍ଡିରୁ ସୁଜିତ୍ ନାୟକ : କେନ୍ଦ୍ର ଓ ରାଜ୍ୟ ସରକାର ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ, ବିଧବା ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ଯୋଜନାରେ ଭତ୍ତା ପ୍ରଦାନ କରୁଛନ୍ତି । ମାତ୍ର ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକରେ ସରକାରଙ୍କ ଏହି ଭତ୍ତା ଯୋଜନା ଫେଲ୍ ମାରିଛି । ପାପଡ଼ାହାଣ୍ଡି ବ୍ଲକର ୨୩ ଗୋଟି ପଞ୍ଚାୟତର ୬୧୪ ଜଣ ହିତାଧିକାରୀ ଭତ୍ତା ପାଇଁ ଦୀର୍ଘ ଦିନ ହେଲା ଆବେଦନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କୁ ଭତ୍ତା ନ ମିଳିବାରୁ ସେମାନେ ଚାତକ ପରି ଚାହିଁ ବସିଛନ୍ତି । ସରକାରଙ୍କ ନିୟମାନୁଯାୟୀ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୃଦ୍ଧବୃଦ୍ଧାଙ୍କ ସମେତ ୪୦ ପ୍ରତିଶତରୁ ଊର୍ଦ୍ଧ୍ୱ ଭିନ୍ନକ୍ଷମ ଓ ବିଧବା ମହିଳାଙ୍କୁ ଭତ୍ତା ପ୍ରଦାନ କରିବା ଲାଗି ମଧୁବାବୁ ପେନସନ ଯୋଜନା, ଜାତୀୟ ପେନସନ ଯୋଜନା ଆଦି ବିଭିନ୍ନ ଯୋଜନା ବ୍ୟବସ୍ଥା କରିଥିଲେ ମଧ୍ୟ ବ୍ଲକରେ ଏହି ଯୋଜନା ଦିଗହରା ହେବାରେ ଲାଗିଛି । ବର୍ଷ ବର୍ଷ ଧରି ଭତ୍ତା ପାଇବା ଲାଗି ଆବେଦନ କରୁଥିବା ବ୍ୟକ୍ତିଙ୍କୁ ଭତ୍ତା ମିଳି ନ ଥିବାବେଳେ ଆବେଦନ କରିଥିବା ବ୍ୟକ୍ତିଙ୍କ ଦରଖାସ୍ତକୁ ବିନା କାରଣରେ ରଦ୍ଦ କରାଯାଉଥିବା ଅଭିଯୋଗ ହେଉଛି । ଭତ୍ତା ପାଇବାକୁ ଆବେଦନ କରିଥିବା ହିତାକାରୀ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଦୌଡୁଥିବା ଦେଖିବାକୁ ମିଳିଛି । ଫଳରେ ବୃଦ୍ଧବୃଦ୍ଧା ଭିନ୍ନକ୍ଷମଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବ୍ଲକ ଅଧିନ ମୈଦଲପୁର ପଞ୍ଚାୟତ ଅଧିନ ପୂର୍ଣ୍ଣି ହରିଜନ ଓ ବିନୋଦିନୀ ସାହୁ ଦୀର୍ଘ ବର୍ଷ ହେଲା ଭିନ୍ନକ୍ଷମ ଓ ଅବିବାହିତ ଭତ୍ତା ପାଇଁ ଆବେଦନ କରିଛନ୍ତି । କିନ୍ତୁ ଆଜି ଯାଏଁ ତାଙ୍କୁ ଭତ୍ତା ମିଳିନାହିଁ  । ସେହିପରି ମାଝୀଗୁଡା ପଞ୍ଚାୟତର  ଟିକେମଣି ଗୌଡ଼, ସମ୍ଭାରୁ କୁମ୍ଭାର, ଭଗବାନ ଜାନୀ ଦୀର୍ଘ ଦିନ ହେଲା ଆବେଦନ କରି ଭତ୍ତାକୁ ଅନେଇ ବସିଛନ୍ତି । ହେଲେ ସେମାନଙ୍କୁ ସରକାରଙ୍କ ଏହି ମହତ୍ ଯୋଜନାରେ ସାମିଲ କରାଯାଉନାହିଁ । ଯାହାକୁ ନେଇ ଅସହାୟ ହିତାଧିକାରୀମାନେ ପ୍ରଶାସନ ଓ ସରକାରଙ୍କ କାର୍ଯ୍ୟକାଳପକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁବ୍ରତ କୁମାର କିଶାନ କହିଛନ୍ତି, ସରକାରଙ୍କ ପକ୍ଷରୁ ଟାର୍ଗେଟ ଆସିଲେ ଆବେଦନପତ୍ର ଗୁଡ଼ିକ ଅନୁମୋଦନ କରାଯାଇ ଭତ୍ତା ପ୍ରଦାନ କରାଯିବ । ହେଲେ ଏହି ଆବେଦନକାରୀଙ୍କୁ କେବେ ଭତ୍ତା ମିଳିବ ତାହା ଅନିଶ୍ଚିନ୍ତତା ଦେଖାଯାଇଛି । ଅନ୍ୟପକ୍ଷରେ ପାପଡ଼ାହାଣ୍ଡି ବ୍ଲକରେ ଗାଁ ୱାରୀ ସର୍ଭେ ହେଉନାହିଁ । ତେଣୁ ମୃତ ଓ ଅଯୋଗ୍ୟ  ହିତାଧିକାରୀଙ୍କ ନାଁ ତାଲିକାରୁ ବାଦ୍ ପଡୁନି । ଯାହାଫଳରେ ପ୍ରକୃତ ହିତାଧିକାରୀ ଆବେଦନ କରି ବର୍ଷ ବର୍ଷ ଧରି ଭତ୍ତାକୁ ଚାହିଁ ବସିଛନ୍ତି । ନଭେମ୍ବର ସୁଦ୍ଧା ବ୍ଲକରେ ୬୧୪ରୁ ଊର୍ଦ୍ଧ୍ୱ ହିତାଧିକାରୀ ଭତ୍ତା ପାଇବା ଅପେକ୍ଷାରେ ରହିଥିବାବେଳେ ପ୍ରଶାସନିକସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏଥିପ୍ରତି ଜିଲ୍ଲାପାଳ, ବିଭାଗୀୟ ଉଚ୍ଚପଦସ୍ତ ଅଧିକାରୀ ଦୃଷ୍ଟି ଦେବା ପାଇଁ ଦାବି ହୋଇଛି ।