ଭାରତର ମୃତ୍ୟୁଦଣ୍ଡ ବ୍ୟବସ୍ଥା ନେଇ ବିତର୍କ

ସୌଭାଗ୍ୟ ରଞ୍ଜନ ମହାନ୍ତି : ଆମ ଦେଶରେ ମୃତ୍ୟୁ ଦଣ୍ଡ ଉଚ୍ଛେଦ ପାଇଁ ଦୀର୍ଘ ଦଶନ୍ଧି ଦଶନ୍ଧି ଧରି ଦାବି ହୋଇ ଆସୁଛି । ରାଜନେତାଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ, ମାନବାଧିକାର କର୍ମୀ, ସଂଗଠନଗୁଡିକ ଏନେଇ ଦୃଢ ଦାବି କରି ଆସୁଥିବାବେଳେ ଏବେ ବି ଏହା ଏକ ଅସମାହିତ ପ୍ରସଙ୍ଗ ହୋଇରହିଛି । ଉଲ୍ଲେଖଯୋଗ୍ୟ ଯେ, ଅମ ଦେଶରେ ଦେଶ ସ୍ୱାଧୀନ ହେବା ପରଠାରୁ ୨୦୧୫ ମଧ୍ୟରେ ୭୫୨ ଜଣ ଅପରାଧ ଫାଶୀଦଣ୍ଡରେ ଦଣ୍ଡିତ ହୋଇ ସାରିଥିବାବେଳେ ୨୦୨୪ ସୁଦ୍ଧା ଫାଶୀଦଣ୍ଡାଦେଶ ପାଇଥିବା ୫୬୪ ଜଣ ଏବେ କେବଳ ମୃତ୍ୟୁ ଅପେକ୍ଷାରେ ଅଛନ୍ତି ସେହିପରି ୨୦୨୪ରେ ବିଭିନ୍ନ ଜଘନ୍ୟ ଅପରାଧର ଦୋଷୀ ସାବ୍ୟସ୍ତ ହେବା ପରେ ୧୩୯ ଜଣ ଫାଶୀ ଦଣ୍ଡାଦେଶ ପାଇଛନ୍ତି । କହିବା ବାହୁଲ୍ୟ ଯେ, ଫାଶୀଦଣ୍ଡ ଉଚ୍ଛେଦ ପାଇଁ ଦାବି ଜୋର ଧରିଥିବା ବେଳେ ଗତ ୨୦୧୯ ପରଠାରୁ ଦେଶରେ ଦେଶରେ ଫାଶୀଦଣ୍ଡାଦେଶ ଘଟଣା ବୃଦ୍ଧି ପାଉଥିବା ଏକ ରିପୋର୍ଟରୁ ଜଣାଯାଇଛି ।

    ସେହିପରି ବିଶ୍ୱବ୍ୟାପୀ ୨୦୧୫ରୁ ୨୦୨୪ ମଧ୍ୟରେ ପ୍ରାୟ ୧୫୦୦ ଲୋକ ଫାଶୀ ଦଣ୍ଡରେ ହୋଇଥିବା କୁହାଯାଏ । ଅନ୍ୟପକ୍ଷରେ ବିଶ୍ୱର ୧୫୦ଟି ଦେଶ ଏହି ଚରମ ଦଣ୍ଡ ବ୍ୟବସ୍ଥାକୁ ଉଚ୍ଛେଦ କରିଥିବା ବେଳେ ଏବେ ବି ୫୫ଟି ଦେଶରେ ଏହି ଦଣ୍ଡ ବ୍ୟବସ୍ଥା ବଳବତର ରହିଛି । ତେବେ ଏହି ଦେଶଗୁଡିକରେ ମୃତ୍ୟୁ ଦଣ୍ଡ ବ୍ୟବସ୍ଥା ଭିନ୍ନ ଭିନ୍ନ ରହିଛି । ଭାରତରେ ଫାଶୀରେ ଓହ୍ଲାଇ ମୃତ୍ୟୁ ଦଣ୍ଡ ଦିଆଯାଇଛି । ଆମ ଦେଶରେ ଫାଶୀ ଦେଇ ଦିଆଯାଉଥିବା ମୃତ୍ୟୁଦଣ୍ଡ ଅତ୍ୟନ୍ତ ନିଷ୍ଠୁର, ନୃଶଂସତାର ନିଦର୍ଶନ । ଏହି ଧାରା ପରିବର୍ତ୍ତନ ଦାବିରେ ଦାୟର ଏକ ପିଟିସନ ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି, ଫାଶୀ ଦ୍ୱାରା ମୃତ୍ୟୁ ଦଣ୍ଡର ସାମ୍ବିଧାନିକ ବୈଧତାକୁ ପ୍ରଶ୍ନ କରି ଦାୟର ପିଟିସନର ଶୁଣାଣି ଆରମ୍ଭ କରି ସୁପ୍ରିମକୋର୍ଟ ଫାଶୀ କିମ୍ବା ରସାୟନିକ ଇଂଜେକସନ ଉପରେ କେନ୍ଦ୍ର ସରକାରଙ୍କ ମତାମତ ଲୋଡିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କ୍ରିମିନାଲ ପ୍ରୋସିଜ୍ୟୁଅର କୋଡର ଧାରା ୩୫୪(୫) ତଥା ବର୍ତ୍ତମାନର ନାଗରିକ ସୁରକ୍ଷା ଆଇନର ଧାରା ୩୯୫(୫)ରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଅପରାଧକୁ ମୃତ୍ୟୁ ହେବା ପର୍ଯ୍ୟନ୍ତ ଫାଶୀରେ ଝୁଲାଇ ରଖିବା ବ୍ୟବସ୍ଥା ରହିଛି । ଜଣେ ଅପରାଧୀକୁ ଫାଶୀ ଦେବା ପରେ ଅଧଘଂଟା ପର୍ଯ୍ୟନ୍ତ ଝୁଲାଇ ମର୍ଯ୍ୟାଦାଜନକ ମୃତ୍ୟୁର ସାମ୍ବିଧାନିକ ଅଧିକାରକୁ ଉଲଂଘନ କରୁଥିବା ନେଇ ଆବେଦନକାରୀ ଦର୍ଶାଇଛନ୍ତି । ଏହି ପ୍ରକାର ମୃତ୍ୟୁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି ଆବେଦନକାରୀଙ୍କ ଯୁକ୍ତି ।

  ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ବିଶ୍ୱର ବହୁ ରାଷ୍ଟ୍ର ଏବେ ଅଧିକ ମାତ୍ରାରେ ଅତ୍ୟାଧୁନିକ ମୃତ୍ୟୁଦଣ୍ଡ ବ୍ୟବସ୍ଥାକୁ ଗ୍ରହଣ କରିଥିବାବେଳେ ଭାରତରେ ବ୍ରିଟିଶ ଅମଳରୁ ଫାଶୀରେ ଝୁଲାଇ ମୃତ୍ୟୁ ଦଣ୍ଡ ବ୍ୟବସ୍ଥା ରହିଛି । ବ୍ରିଟିଶ ଅମଳର ଏହି ଆଇନର ଉଚ୍ଛେଦ ପାଇଁ ବିଭିନ୍ନ ମହଲରୁ ଦାବି  ହୋଇଥିବାବେଳେ ଏବେ ବି ଦେଶରେ ବଳବତ୍ତର ରହିଛି । ଉଲ୍ଳେଖଯୋଗ୍ୟ ଯେ, ଫାଶୀରେ ଝୁଲାଇବା ବଦଳରେ କମ ଯନ୍ତ୍ରଣାଦାୟକ ଏବଂ ଅଧିକ ମାନବିକତା ପୂର୍ଣ୍ଣ ବ୍ୟବସ୍ଥା ଗ୍ରହଣ ନେଇ ଅନୁଧ୍ୟାନ କରିବାକୁ ୨୦୨୩ରେ ସୁପ୍ରିମକୋର୍ଟ ଏକ କମିଟି ଗଠନ କରିଥିଲେ । ତେବେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି କହିଛନ୍ତି ଯେ, ରସାୟନିକ ଫାଶୀଦଣ୍ଡ ବ୍ୟବସ୍ଥା ଅଧିକ ତ୍ରୁଟିପୂର୍ଣ୍ଣ ଥିବା ଏକ ଅନୁଧ୍ୟାନ ରିପୋର୍ଟ କହିଛି । ଫାଶୀ ହେଉଛି ସବୁଠୁ ନିରାପଦ ଏବଂ ଦୃତତ୍ତମ ମୃତ୍ୟୁଦଣ୍ଡ ବ୍ୟବସ୍ଥା, ଯାହାକି ଜୀବନ ନେବାକୁ ଅଧିକ ସମୟ ନିଏ ନାହିଁ । ରସାୟନିକ ଇଂଜେକସନ ଦ୍ୱାରା ମୃତ୍ୟୁଦଣ୍ଡ ବ୍ୟବସ୍ଥା ମନ୍ଥର ଗତିରେ ଜୀବନ ନିଏ, ଯାହାକି ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି କେନ୍ଦ୍ର ସରକାର ସତ୍ୟପାଠରେ ଦର୍ଶାଇଛନ୍ତି । ତେଣୁ ଫାଶୀରେ ଝୁଲାଇବା ଯନ୍ତ୍ରଣାହୀନ ଓ ଅବିଚଳିତ ଶାନ୍ତ ମୃତ୍ୟୁ ଦଣ୍ଡ ବ୍ୟବସ୍ଥା, ଏହାକୁ ପରିବର୍ତ୍ତନ କରାଯାଇନପାରେ । କିନ୍ତୁ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଜଣେ ବ୍ୟକ୍ତି ଶାନ୍ତ ମନରେ ମୃତ୍ୟୁକୁ କିପରି ଗ୍ରହଣ କରିପାରିବ । ତେବେ ମୌଳିକ ପ୍ରସଙ୍ଗ ହେଉଛି ମୃତ୍ୟୁ ଦଣ୍ଡାଦେଶ ଏବେ ପୁରୁଣାକାଳିଆ  କାନୁନ । ଏଭଳି ନୃଶଂସ ଦଣ୍ଡବ୍ୟବସ୍ଥାର ପୁନର୍ବିଚାର କରିବାର ସମୟ ଏବେ ଆସିଛି । 

ମୋ:୭୯୭୮୬୬୬୪୦୩