ଭାରତ- ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍ : ୨୫ ବର୍ଷ ପରେ ଭାରତରେ ସିରିଜ୍ ଜିତିଲା ଦକ୍ଷିଣ ଆଫ୍ରିକା
ଭାରତର ଲଜ୍ଜାଜନକ ପରାଜୟ
ନୂଆଦିଲ୍ଲୀ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଇଥିବା ୨ଟିକିଆ ଟେଷ୍ଟ ସିରିଜକୁ ଦକ୍ଷିଣ ଆଫ୍ରିକା ୨-୦ରେ ଜିତି କ୍ଲିନ ସୁଇପ କରିଛି । ଦ୍ୱିତୀୟ ମ୍ୟାଚକୁ ଦ.ଆଫ୍ରିକା ୪୦୮ ରନରେ ଜିତି ଏକ ବିଶାଳ ବିଜୟ ହାସଲ କରିଛି । ଭାରତର ଏହା ସବୁଠାରୁ ବଡ଼ ଟେଷ୍ଟ ପରାଜୟ । ଭାରତ ଅତି ଲଜ୍ଜାଜନକ ଭାବେ ପରାଜିତ ହୋଇଛି । ଦୀର୍ଘ ୨୫ ବର୍ଷ ପରେ ଭାରତ ମାଟିରେ ୪ ଦକ୍ଷିଣ ଆଫ୍ରିକା ସିରିଜ ବିଜୟୀ ହୋଇଛି । ଏହା ପୂର୍ବରୁ ୨୦୦୦ ମସିହାରେ ହାନ୍ସି କ୍ରୋନିଏଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ଶେଷଥର ଭାରତ ମାଟିରେ ଟେଷ୍ଟ ସିରିଜ(୨-୦) ଜିତିଥିଲା । ଏବେ ପୁଣି ତେମ୍ବା ବାଭୂମାଙ୍କ ନେତୃତ୍ୱରେ ଇତିହାସ ରିପିଟ କରିଛି ଦକ୍ଷିଣ ଆଫ୍ରିକା । ଅନ୍ୟପଟେ ଭାରତ ୨-୦ରେ ପରାଜିତ ହେବା ପରେ ଏବେ କୋଚ ଗୌତମ ଗମ୍ଭୀରଙ୍କ ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଗୌତମ ଗମ୍ଭୀର କହିଛନ୍ତି ମୋ ଭବିଷ୍ୟତର ନିଷ୍ପତ୍ତି ବିସିସିଆଇ ନିର୍ଦ୍ଧାରଣ କରିବ । ହେଲେ ମୁଁ ହେଉଛି ସେହି ଲୋକ ଯିଏ ଇଂଲଣ୍ଡରେ ଆପଣଙ୍କୁ ରେଜଲ୍ଟ ଦେଲା ଆଉ ଚାମ୍ପିୟନ୍ସ ଟ୍ରଫିରେ କୋଚ ଥିଲା ।
ଏହି ଟେଷ୍ଟ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ୍ରେ ୪୮୯ରନ୍ କରିଥିଲା । ଦକ୍ଷିଣ ଆଫ୍ରିକା ପାଇଁ ସେନୁରନ୍ ମୁଥୁସାମି ୧୦୯ ରନ୍ କରିଥିଲେ। ତ୍ରିସ୍ଟନ ଷ୍ଟବ୍ସ ୪୯ରନ୍ କରିଥିଲେ । ପ୍ରଥମ ଇନିଂସ୍ରେ ଭାରତ ପାଇଁ କୁଲଦୀପ ଯାଦବ ୪ଟି ୱିକେଟ୍ ନେଇଥିବା ବେଳେ ଜାଡେଜା ଦୁଇଟି ୱିକେଟ୍ ନେଇଥିଲେ । ଏହା ପରେ ଭାରତ ବ୍ୟାଟିଂ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଭାରତୀ ମାତ୍ର ୨୦୧ ରନ୍ କରିପାରିଥିଲା । ଏହି ଟେଷ୍ଟ ମ୍ୟାଚରେ ଭାରତର ବ୍ୟାଟସମ୍ୟାନମାନେ ସମ୍ପୂର୍ଣ୍ଣ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । କେବଳ ଯଶସ୍ୱୀ ଜୟସୱାଲ ୫୮ରନ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କ ୟାନସେନ ୬ଟି ୱିକେଟ ଏବଂ ସାଇମନ ହାର୍ମର ୩ଟି ୱିକେଟ ନେଇଥିଲେ । ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ଦଳ ୪୮୯ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୨୬୦/୫ ରନ୍ କରିଥିଲା । ଫଳରେ ଭାରତକୁ ୫୪୯ ରନ୍ର ଲକ୍ଷ୍ୟ ରହିଥିଲା । ହେଲେ ଭାରତ ଦ୍ୱିତୀୟ ଇନିଂସରେ ୧୪୦ ରନ୍ କରିପାରିଥିଲା । ଦ୍ୱିତୀୟ ଇନିଂସରେ ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେ଼ଜାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ସଫଳ ହୋଇନଥିଲେ । ଜାଡେ଼ଜା ଭାରତ ପକ୍ଷରୁ ସର୍ବାଧିକ ୫୪ ରନ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ସାଇମନ ହାର୍ମର ୬ଟି ୱିକେଟ ନେଇଥିବା ବେଳେ କେଶବ ମହାରଜ ୨ଟି ୱିକେଟ ନେଇଥିବା ବେଳେ ମାର୍ଗୋ ଜାନସେନ ଓ ସେନୁରାମ ମୁଥୁସାମୀ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।