ଭାର୍ଗବୀ ନଦୀରୁ ଲୁଟୁଛନ୍ତି ବାଲି
ବାଲିଅନ୍ତା : ବାଲିଅନ୍ତା ତହସିଲ ଓ ପିପିଲି ତହସିଲ ସୀମାବର୍ତ୍ତୀ ଅଞ୍ଚଳ ବାଳକାଟି ଓ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିନ ଭାର୍ଗବୀ ନଦୀରୁ ଦିନରାତି ବେଆଇନ ବାଲି ଖନନ କରୁଛନ୍ତି ବାଲିମାଫିଆମାନେ । ଦୈନିକ ଶହ ଶହ ଟ୍ରାକ୍ଟର ଓ ହାଇୱା ଦ୍ୱାରା ବାଲି ଚାଲାଣ ହେଉଥିଲେ ମଧ୍ୟ ଲଘୁଖଣିଜ ବିଭାଗ, ଫାଣ୍ଡି ପୁଲିସ ଏବଂ ତହସିଲ ପ୍ରଶାସନ ଆଖିବୁଜି ବସିପଡିଛନ୍ତି । ଫଳରେ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ୱ ହାନି ହେଉଛି । କାହା ପ୍ରୋସôାହନରେ ଏଭଳି ବେଆଇନ ବାଲି ଖନନ କରୁଛନ୍ତି ମାଫିଆ ମାନେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିପରି ବାଲି ଖନନ ଠାରୁ ବାଳକାଟି ଓ କୌଶଲ୍ୟାଗଙ୍ଗ ଫାଣ୍ଡି ଖୁବ ନିକଟରେ ହୋଇଥିଲେ ମଧ୍ୟ ଅନ୍ୟାୟସରେ ବାଲି ଚୋରି କରୁଛନ୍ତି ମାଫିଆ ମାନେ । ପ୍ରକାଶଥାଉକି ପିପିଲି ତହସିଲ ଅଧିନ ଉତ୍ତରା, ପୂବାଶାସନ, ପାଟଳିକୁଦା ଓ ବାଲିଅନ୍ତା ତହସିଲ ଅଧିନ ପ୍ରତାପଶାସନ ମୌଜା ପରିସରରେ ଥିବା ଭାର୍ଗବୀ ନଦୀରୁ ଦିନରାତି ତମାମ ବାଲି ଲୁଟୁଛନ୍ତି ମାଫିଆ ମାନେ । ଗତ ୧୦ ଦିନ ମଧ୍ୟରେ ଏହି ମାଫିଆମାନେ ଉପରୋକ୍ତ ସ୍ଥାନର ନଦୀ ଶଯ୍ୟାରୁ ବାଲି ଏଭଳି ଚୋରି କରିଛନ୍ତି ତାହା ଆଖିରେ ନ ଦେଖିଲେ ବିଶ୍ୱାସ କରିହେବନି । ପ୍ରାୟ ୨/୩ ଏକର ପରିମିତ ବିଶିଷ୍ଟ ଏରିଆରୁ ବାଲି ଲୁଟିଛନ୍ତି । ସେହିପରି କିଛି ମାଫିଆମାନେ ରାତିରେ ଡ୍ରୋଜର ଲଗାଇ ଶହ ଶହ ହାଇୱା ଓ ଟ୍ରାକ୍ଟରରେ ବାଲି ବୋହୁଥିବା ଦେଖାଯାଇଛି । ଏହି ମାଫିଆମାନେ ବାଲି ଚୋରି କରି ଏହି ନଦୀର ପଠାରେ ଗଦା କରୁଛନ୍ତି । ପରେ ଏହାକୁ ଚଢାଦରରେ ବିକ୍ରି କରୁଛନ୍ତି । ପୂବାଶାସନ ଇଟାଭାଟି, ପାଟଳିକୁଦା ଇଟାଭାଟି ନିକଟରେ ଏହି ବାଲି ଗଦା ହୋଇଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ଆଖପାଖ ଅଞ୍ଚଳରେ ବାଲି ନିଲାମୀ ହୋଇନଥିବା ବେଳେ ମାଫିଆମାନଙ୍କୁ ଏଭଳି ଲୁଟ କରିବାରେ ଯଥେଷ୍ଟ ସୁବିଧା ହେଉଛି । ସେହିପରି ମାଫିଆମାନେ ବାଲି ଲୁଟି ନଦୀଶଯ୍ୟାକୁ ଗଭୀର କରୁଥିବା ଦେଖାଯାଇଛି । ଏହାଦ୍ୱାରା ଅତୀତ ଭବିଷ୍ୟତରେ ବହୁ ଲୋକଙ୍କ ମୂଲ୍ୟବାନ ଜୀବନ ଯାଇଛି । ଲଘୁଖଣିଜ ବିଭାଗର ଆନ୍ତରିକତା ଅଭାବ ଓ ଦାୟିତ୍ୱହୀନତା ଯୋଗୁଁ ଏଭଳି ବାରମ୍ବାର ଚୋରି ହେଉଥିବା ଅଭିଯୋଗ ହୋଇଛି । ସେହିପରି ଗତ ୪ ମାସ ତଳେ ଦୟାନଦୀରୁ ବାଲି ଚୋରି ହେଉଥିବା ବେଳେ ଲଘୁଖଣିଜ ବିଭାଗ ଓ କମିସନରେଟ ପୁଲିସ ମିଳିତ ଚଢାଉ କରି ବାଲି ସିଜ କରିଥିଲେ । ମାତ୍ର ଭାର୍ଗବୀ ନଦୀରୁ ଦୀର୍ଘଦିନ ଧରି ଏଭଳି ବାଲି ଚୋରି ହୋଇଥିଲେ ମଧ୍ୟ ଖଣିଜ ବିଭାଗର କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଥିପ୍ରତି ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହୋଇଛି । ସେହିପରି ସରକାର ରାଜ୍ୟରେ ଲଘୁଖଣିଜ ସମ୍ପତିର ରକ୍ଷଣାବେକ୍ଷଣା ଓ ତଦାରଖ ତହସିଲ ପ୍ରଶାସନ ଉପରୁ ହଟାଇବା ପରେ ବାଲି/ମାଟି ମାଫିଆମାନେ ସକ୍ରିୟ ହୋଇଉଠିଛନ୍ତି । ଏହାର ଭରପୁର ଫାଇଦା ନେଉଛନ୍ତି ଏହି ମାଫିଆ ମାନେ । ଫଳରେ ସରକାରଙ୍କ ଲକ୍ଷ ଲକ୍ଷ ରାଜସ୍ୱ କ୍ଷତି ହେଉଛି ।