ଜିଲ୍ଲା ପରିଷଦ ଉପନିର୍ବାଚନ: ମୁଖ୍ୟମନ୍ତ୍ରୀ ଓ ସାଂସଦଙ୍କ ପାଇଁ ସମ୍ମାନର ପ୍ରଶ୍ନ
ଆନନ୍ଦପୁର : ନିର୍ବାଚନ କମିଶନ ଖାଲିଥିବା ସମସ୍ତ ଜିଲା ପରିଷଦ ଓ ପଞ୍ଚାୟତ ପଦବୀ ପାଇଁ ଉପନିର୍ବାଚନ ହେବ ବୋଲି ଘୋଷଣା କରିଛନ୍ତି । ଯାହାକୁ ରାଜନୈତିକ ଦଳଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି । ଏହିକ୍ରମରେ କେନ୍ଦୁଝର ଜିଲ୍ଲାରେ ୪ ଏବଂ ୮ ନମ୍ବର ଜିଲ୍ଲାପରିଷଦ ଜୋନ୍ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ଗୁରୁତ୍ୱପୂର୍ଣ କଥା ହେଉଛି ଏହି ଦୁଇଟି ଜିଲ୍ଲାପରିଷଦ ଜୋନ ମଧ୍ୟରୁ ୪ ନମ୍ବରଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୋଇଥବା ବେଳେ ୮ ନଂ ଜୋନ ସାଂସଦଙ୍କ ଅଞ୍ଚଳର । ସେହି ଦୃଷ୍ଟିରୁ ଜୋନକୁ ନେଇ ଚର୍ଚ୍ଚା ହେବା ସ୍ୱାଭାବିକ । କେନ୍ଦୁଝର ଜିଲାରେ ୩୭ ଜିଲ୍ଲାପରିଷଦ ଆସନ ରହିଥିବାବେଳେ, ୩୪ଟି ଆସନରେ ବିଜେଡି ବାଜିମାତ କରିଥିବା ବେଳେ ଜିଲା ପରିଷଦ ଅଧକ୍ଷ୍ୟ ଏବଂ ଉପାଧକ୍ଷ୍ୟ ପଦବୀ ମଧ୍ୟ ନିଜ ଅକ୍ତିଆରରେ ରଖିଛି । ୨୪ ବର୍ଷ ବିଜେଡି ସରକାର ଗାଦିଚୁ୍ୟତ ପରେ ଏବେ ସରକାରରେ ବିଜେପି । ରାଜ୍ୟରେ ବିଜେପି ମାତ୍ର ୧୦ ମାସ ହେବ କ୍ଷମତାକୁ ଆସିଥିଲେ ମଧ୍ୟ ରାଜ୍ୟରେ ୯୦ ଭାଗରୁ ଉର୍ଦ୍ଧ ସ୍ଥାନରେ ବିଜେଡିର ଜିଲା ପରିଷଦ, ସରପଂଚ ଏବଂ ସମିତିସଭ୍ୟ ନିର୍ବାଚିତ ହୋଇଛନ୍ତି ।
ଏଣୁ ବିଜେଡ଼ି ତୃଣମୂଳସ୍ତରରେ ସୁଦୃଢ ଅଛି । ୪ନଂ ଜୋନର ବିଜେଡି ସଭ୍ୟ ଲୀଳାବତୀ ମହାନ୍ତଙ୍କ ଏକ ସଡ଼କ ଦୁର୍ଘଟଣାରେ ଦେହାନ୍ତ ହୋଇଥିବା ବେଳେ ୮ନମ୍ବର ଜୋନ ବିଜେଡି ସଭ୍ୟ ରଞ୍ଜିତ ନାୟକ ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଥିଲେ । ସେବେଠାରୁ ଏହି ଦୁଇ ଗୋଟି ପଦବୀ ଖାଲି ପଡିଛି । ୪ ନମ୍ବର ଜୋନ ଉପରେ ଏବେ କେବଳ ସାରା ଜିଲା ନୁହେଁ ବରଂ ସାରା ରାଜ୍ୟର ନଜର କେନ୍ଦିଭୂତ ହୋଇରହିବ । କାରଣ ଏହି ଜୋନଟି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଦର ବ୍ଲକରେ ରହିଛି । ଅବଶ୍ୟ ସେତେବେଳେ ଯଦିଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାୟକ ଥିଲେ କିନ୍ତୁ ବିଜୁ ଜନତା ଦଳ ସରକାରରେ ରହିଥିଲା । ମାତ୍ର ବର୍ତମାନ ସମୟ ବଦଳି ଯାଇଛି । ବିଜେପି କ୍ଷମତାରେ ରହିଥିବାବେଳେ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ । ତେଣୁ ବିଜେଡି ହାତରେ ଥିବା ଏହି ଆସନଟି ଛଡାଇ ଆଣିବାକୁ ବିଜେପି ନିହାତି ଚେଷ୍ଟା କରିବ । କାରଣ ଏହା ମୁଖ୍ୟମନ୍ତ୍ରୀଙ୍କ ପାଇଁ ସମ୍ମାନର ପ୍ରଶ୍ନ ରହିବ । ଅନ୍ୟପଟେ ୮ ନମ୍ବର ଜିଲା ପରିଷଦ ଜୋନଟି ଘସିପୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଘଟଗାଁ ବ୍ଲକରେ ଅବସ୍ଥିତ । ଏହି ନିର୍ବାଚନ ମଣ୍ଡଳୀର ବିଧାୟକ ଅଟନ୍ତି ବରିଷ୍ଠ ନେତା ବଦ୍ରୀନାରାୟଣ ପାତ୍ର । କୁହାଯାଏ ଘସିପୁରା ନିର୍ବାଚନ ମଣ୍ଡଳୀରେ ବଦ୍ରୀନାରାୟଣ ପାତ୍ରଙ୍କ ନାମ ହିଁ ଯଥେଷ୍ଟ । ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ ସମୟଧରି ସଂଗଠନକୁ ନିଜ ଅଧୀନରେ ରଖିବାକୁ ସକ୍ଷମ ହୋଇଛନ୍ତି । ତେଣୁ ୮ ନଂ ଜୋନ୍ଟି ସେ ତାଙ୍କ ସମର୍ଥକକୁ ଜିତାଇବାକୁ ଆପ୍ରାଣ ଚେଷ୍ଟାକରିବେ । ମାତ୍ର ତାଙ୍କ ବାଟରେ କଣ୍ଟା ହେବେ କେନ୍ଦୁଝର ସାଂସଦ ଅନନ୍ତ ନାଏକ । ସାରା ଜିଲ୍ଲାରେ ସାଂସଦଙ୍କର ସମର୍ଥକ ଅଛନ୍ତି । ଏଥର ମିଶାଇ ସେ ୩ ଥର ସାଂସଦ ହେବାର ଗୌରବ ଅର୍ଜନ କରିଥିବା ବେଳେ ରାଜ୍ୟ ଏବଂ କେନ୍ଦ୍ରରେ ତାଙ୍କର ରାଜନୈତିକ ଦବଦବା ରହିଥିବ ଜଣାଯାଇଛି । ତେବେ ୮ ନଂ ଜୋନଟି ସାଂସଦ ଅନନ୍ତ ନାଏକଙ୍କ ଅଞ୍ଚଳ ହୋଇଥିବାରୁ ସେ ମଧ୍ୟ ବିଜେଡି ଅକ୍ତିଆରରେ ଥିବା ଜୋନ୍କୁ ବିଜେପି ଖାତାକୁ ଆଣିବାକୁ ପ୍ରାଣମୁର୍ଚ୍ଛା ଚେଷ୍ଟା କରିବେ । କାରଣ ଏହା ତାଙ୍କ ପାଇଁ ମଧ୍ୟ୍ୟ ସମ୍ମାନର ପ୍ରଶ୍ନ ହୋଇପଡ଼ିବ ।