କିଶୋରୀ ମେଳା ନାଁରେ ଅନୁଦାନ ହରିଲୁଟ୍ ଅଭିଯୋଗ
ରାଜନଗର : ରାଜ୍ୟ ସରକାର କିଶୋରୀ ବାଳିକାମାନଙ୍କର ଶାରିରୀକ ଓ ମାନସିକ ବିକାଶ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି । ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୃଷ୍ଟି ଯୋଜନାରେ ମୁଢି, ଶୋଲା, ଅଣ୍ଡା ପ୍ରଦାନ କରାଯାଉଛି । ବର୍ଷକରେ ଥରରୁ ଦୁଇଥର ସେକ୍ଟରସ୍ତରରେ କିଶୋରୀ ବାଳିକାମାନଙ୍କୁ ଏକତ୍ର କରି ବିଭିନ୍ନ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା କରାଯାଇ ସେମାନଙ୍କୁ ପୁରସ୍କୃତ କରାଯାଉଛି । ରାଜନଗର ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିନରେ ୨୭୪ଟି ଅଙ୍ଗନୱାଡି କେନ୍ଦ୍ର ଓ ୧୦ଟି ସେକ୍ଟର ରହିଛି । ପ୍ରତି ସେକ୍ଟରରେ କିଶୋରୀ ମେଳା ପାଇଁ ୧୦ହଜାର ଟଙ୍କା ଲେଖାଏଁ ୧ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି । ଏହି ବ୍ଲକରେ ୪ଟି ସେକ୍ଟର ଯଥା- ଡାଙ୍ଗମାଳ, ରଙ୍ଗଣୀ, ଈଶ୍ୱରପୁର ଓ ତାଳଚୁଆ ସେକ୍ଟରରେ କିଶୋରୀ ମେଳା ଅନୁଷ୍ଠିତ ହୋଇଥିବା ବେଳେ ରାଜନଗର, ଚାନ୍ଦିବାଉଁଶମୂଳ, ସାନବଡଗୋପାଳପୁର, ବାଲିକଣା, ଗୁପ୍ତି, ହାତିନା ସେକ୍ଟରରେ କିଶୋରୀ ମେଳା କରାଯାଇନଥିବା ଅଭିଯୋଗ ହୋଇଛି । କିଶୋରୀ ମେଳା ପାଇଁ ବିଭାଗ ପକ୍ଷରୁ ଅନୁଦାନ ପ୍ରଦାନ କରାଯାଇଥିବା ବେଳେ ସୁପରଭାଇଜରମାନେ ଏହାକୁ କାହିଁକି କରିନାହାନ୍ତି । ଯାହା ତଦନ୍ତ ସାପେକ୍ଷ । ଖାଲି ସେତିକି ନୁହେଁ, ଚଳିତ ବର୍ଷ ଅପ୍ରେଲ ୨୨ ତାରିଖ ମଧ୍ୟରେ ପୋଷଣ ପାଖୁଡା(ପକ୍ଷ) ପାଳନ ହେବା କଥା, ମାତ୍ର ରାଜନଗର ଓ ସାନବଡ ଗୋପାଳପୁର ସେକ୍ଟରରେ ଏହି ପୋଷଣ ପାଖୁଡା ପାଳନ ହୋଇନଥିବା ମଧ୍ୟ ଅଭିଯୋଗ ହୋଇଛି । ଏ ସମ୍ପର୍କରେ ରାଜନଗର କାର୍ଯ୍ୟନିର୍ବାହୀ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଲକ୍ଷ୍ମୀମଣୀ ସିଂଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଅନୁଧ୍ୟାନ କରି ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ।