ଭୁବନେଶ୍ୱର କ୍ଲବ ନିର୍ବାଚନ : ପ୍ରଦୀପ ଜେନା ସଭାପତି

ଭୁବନେଶ୍ୱର କ୍ଲବ ନିର୍ବାଚନ : ପ୍ରଦୀପ ଜେନା ସଭାପତି

ଭୁବନେଶ୍ୱର : ରାଜ୍ୟର ସମ୍ଭ୍ରାନ୍ତ କ୍ଳବ ଭୁବନେଶ୍ୱର କ୍ଳବର ନିର୍ବାଚନ ଉପରେ ରହିଥିଲା ସାରା ରାଜ୍ୟର ନଜର । ଦୁଇ ପୂର୍ବତନ ମୁଖ୍ୟ ସଚିବ ଅସିତ୍‌ ତ୍ରିପାଠୀ ଓ ପ୍ରଦୀପ ଜେନାଙ୍କ ମଧ୍ୟରେ ଘମାଘୋଟ ଲଢେ଼ଇ ହୋଇଥିଲା । ଏହି ଲଢେ଼ଇରେ ଅସିତଙ୍କୁ ୧୮ ଖଣ୍ଡ ଭୋଟରେ ହରାଇ ପ୍ରଦୀପ ଜେନା ବାଜିମାତ୍‌ କରିଛନ୍ତି । ଦୁଇଥରିଆ ସଭାପତିଙ୍କୁ ହରାଇ ପ୍ରଥମ ଥର ସଭାପତି ହେବାର ଗୌରବ ହାସଲ କରିଛନ୍ତି ପ୍ରଦୀପ । ଭୁବନେଶ୍ୱର କ୍ଳବରେ ଅତୀତରେ ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ଭଳି ତୁଙ୍ଗ ନେତା ବି ସଭାପତି ହୋଇଥିଲେ।

ସେହିପରି ପ୍ରଗତି ମହାନ୍ତି ୬୦ ଖଣ୍ଡ ଭୋଟରେ ବାଜିମାତ୍‌ କରି ଉପସଭାପତି ହୋଇଥିବାବେଳେ ଲଲିତ ଦାସ ୭୬ ଖଣ୍ଡ ଭୋଟରେ ଜିଣି  ସମ୍ପାଦକ ହେବାର ଗୌରବ ହାସଲ କରିଛନ୍ତି । ଅପରପକ୍ଷରେ ଯୁଗ୍ମ ସମ୍ପାଦକ ଭାବେ ଜିଣିଛନ୍ତି ସମ୍ବିତ ମହାନ୍ତି । ସୂଚନାଯୋଗ୍ୟଯେ, ଗତକାଲି ନିର୍ବାଚନ ପାଇଁ ଇ-ଭୋଟିଂ ହୋଇଥିବାବେଳେଦ୍ଭ ଆଜି ବାଲାଟ ଭୋଟିଂ ହୋଇଥିଲା । ପ୍ରଦୀପଙ୍କ ପ୍ୟାନେଲରେ ଲଲିତ ଦାସ ସମ୍ପାଦକ ଭାବେ ଲଢୁଥିବାବେଳେ ଅସିତଙ୍କୁ ପ୍ୟାନେଲରୁ ତାଙ୍କୁ ଟକ୍କର ଦେଉଥିଲେ ଟୁଟୁଲ କିଶୋର ଦାସ । ସେହିପରି ଅସିତଙ୍କ ପ୍ୟାନେଲରେ ଲଢୁଥିବା ପ୍ରଗତି ଉପସଭାପତି ଓ ସମ୍ବିତ ଯୁଗ୍ମ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ରାଜ୍ୟରେ ଏହି ପ୍ରତିଷ୍ଠିତ କ୍ଳବରେ ୨୩୨୧ ଜଣ ଭୋଟର ଥିବାବେଳେ ସେମାନଙ୍କ ମଧ୍ୟରେ ୧୯୨୨ ଜଣ ବ୍ୟକ୍ତିଗତ ଓ ୩୯୯ ଜଣ କର୍ପୋରେଟ ଭୋଟର ଅଛନ୍ତି ।