ମକାର ଅଭାବୀ ବିକ୍ରି,ଚିନ୍ତାରେ ଚାଷୀ
ନୂଆପଡାରୁ ପରମେଶ୍ୱର ବାରିକ : ନୂଆପଡ଼ା ଜିଲ୍ଲାରେ ଏବେ ମକାର ଅଭାବୀ ବିକ୍ରି ଦେଖାଦେଇଛି । ୧୫ ବର୍ଷ ବିତିଯାଇଥିଲେ ବି ମଣ୍ଡି ବ୍ୟବସ୍ଥା ହୋଇନଥିବାରୁ ଚାଷୀ ଶୋଷଣର ଶିକାର ହେଉଛନ୍ତି । ଏଭଳି ସ୍ଥିତିରେ ଛତିଶଗଡ ବ୍ୟବସାୟୀ ଏହାର ଫାଇଦା ଉଠାଉଥିବା ଅଭିଯୋଗ ହୋଇଛି । ଚଳିତବର୍ଷ ଜିଲ୍ଲାରେ ୬୩୭୪ହେକ୍ଟର ଜମିରେ ମକାଚାଷ ହୋଇଛି । ସେଥିରୁ ନୂଆପଡ଼ାରେ ୧୭୧୪ହେକ୍ଟର, କୋମନାରେ ୨୩୫୦ ହେକ୍ଟର, ଖଡିଆଳ ବ୍ଲକରେ ୧୪୦ହେକ୍ଟର, ବୋଡେନରେ ୫୭୦ ହେକ୍ଟର ସିନାପାଲିରେ ୧୬୦୦ ହେକ୍ଟର ଚାଷ ଚାଷ ହୋଇଛି । ଧାନ ଏଠାକାର ମୁଖ୍ୟ ଫସଲ ହୋଇଥିଲେ ହେଁ ଚାଷୀ କପା ଓ ମକାରୁ ଭଲ ଦୁଇ ପଇସା ରୋଜଗାର କରନ୍ତି । ପ୍ରତିବର୍ଷ ଜଳବାୟୁ ପରିବର୍ତ୍ତନରୁ ମରୁଡି ପରିସ୍ଥିତି ସ୍ଥିତି ହେତୁ ଚାଷୀଙ୍କ ମେରୁଦଣ୍ଡ ଦୋହଲିଯାଉଛି । ଜିଲ୍ଲାରେ ଉଠାଣିଆ ଜମି ପରିମାଣ ଅଧିକ ରହିଥିବାରୁ ଚାଷୀ ମରୁଡି ସହଣି ଫସଲ ଭାବେ ମକା ଚାଷକୁ ଆପଣେଇଛନ୍ତି । ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ହେତୁ ଅନେକ ସ୍ଥାନରେ ଧାନଚାଷ ନଷ୍ଟ ହୋଇଛି । ଚାଷୀ ମକାଫସଲ ବିକ୍ରି କରି ପରିବାର ପ୍ରତିପୋଷଣ ପାଇଁ ଆଶା ବାନ୍ଧିଥିଲେ । ଏବେ ମକା ଆଶାନୁରୂପକ ଅମଳ ହୋଇଛି । ଅଧିକାଂଶ ଜମିରୁ ମକା ଅମଳ ହୋଇସାରିଲାଣି । ଚାଷୀ ମକା ଅମଳ କରି ଘରେ ପକାଇ ରଖୁଛନ୍ତି । ମକାର ଅଭାବୀ ବିକ୍ରି ଚାଷୀଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ପ୍ରତିବର୍ଷ ମକା ଅମଳ କ୍ଷମତା ବଢିବାରେ ଲାଗିଛି । ପୁଣି ପ୍ରତିବର୍ଷ ମଣ୍ଡି ଖୋଲାଯିବ ବୋଲି ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଉଛି । କିନ୍ତୁ ପ୍ରଶାସନ ପକ୍ଷରୁ ଏଯାବତ୍ ମଣ୍ଡିର ବ୍ୟବସ୍ଥା ହୋଇନି । ଏଣୁ ଚାଷୀ ବାଧ୍ୟ ହୋଇ ଅଭାବୀ ଦରରେ ଟେକି ଦେଉଛନ୍ତି । ସରକାରୀ ଭାବେ ହେକ୍ଟର ପିଛା ୩୫ କ୍ୱିଣ୍ଟାଲ ମକା ଅମଳ ହେବା ଲକ୍ଷ୍ୟ ରହିଛି । ସେହି ଅନୁସାରେ ଜିଲ୍ଲାରେ ୨ଲକ୍ଷ ୨୩ହଜାର ୯୦ କ୍ରିଣ୍ଟାଲ ମକା ଅମଳ ହେବାର ଆକଳନ ହେଉଛି । ସରକାରୀ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୧୧୦ହିସାବରେ ଜିଲ୍ଲାରେ ୪୭କୋଟି ୭ଲକ୍ଷ ୧ ୧୯ହଜାର ଟଙ୍କାର ମକା ବ୍ୟବସାୟ ହେବାର ଅନୁମାନ ହେଉଛି । ଏହାସତ୍ତ୍ୱେ ଜିଲ୍ଲା ପ୍ରଶାସନ ଚାଷୀଙ୍କ ପ୍ରତି କୌଣସି ଦୃଷ୍ଟି ଦେଉନାହିଁ । ଚାଷ ପାଇଁ ନେଇଥିବା ଚାଷୀଙ୍କ ଧାର ଉଧାର ଟଙ୍କାର ସୁଧ ବଢି ଚାଲିଛି । ସାହୁକାର ଉଧାର ଟଙ୍କା ମାଗିବା ଆରମ୍ଭ କରିବା ସହ ଶ୍ରମିକ ପାଉଣା ଦେବା ଚାଷୀଙ୍କ ପାଇଁ ପାଇଁ କଷ୍ଟକର ହେଉଛି । ଚାଷୀ କ୍ରିଣ୍ଟାଲ ପିଛା ଏବେ ପ୍ରାୟ ୧୫ଶହ ଟଙ୍କାରେ ମକାବିକ୍ରି କରୁଛନ୍ତି । କ୍ରିଣ୍ଟାଲ ପିଛା ୬ଶହ ଟଙ୍କା କ୍ଷତିରେ ବିକ୍ରି କରୁଛନ୍ତି । ଏହାର ସୁଯୋଗ ନେଇ ଛତିଶଗଡା ବ୍ୟବସାୟୀଙ୍କ ନଜର ପଡିଛି । ଏବେ ଛତିଶଗଡର ବେପାରୀମାନେ ଗାଁ ଗଣ୍ଡାରେ ଡେରା ପକାଇ କମ୍ ଦରରେ ମକା ସଂଗ୍ରହ କରୁଛନ୍ତି । ମକା ବିକ୍ରି ପାଇଁ ସୁବ୍ୟବସ୍ଥା ନ କଲେ ଆଗାମୀ ଦିନରେ ଚାଷୀ ମକାଚାଷରୁ ମୁହଁ ଫେରାଇବେ ବୋଲି ଚର୍ଚ୍ଚା ହେଉଛି । ଏଣୁ ଜିଲ୍ଲାରେ ତୁରନ୍ତ ମଣ୍ଡି କିମ୍ବା ବଜାର ବ୍ୟବସ୍ଥା କରି ଚାଷୀଙ୍କୁ ସରକାରୀ ଦର ଯୋଗାଇ ଦେବାକୁ ମକାଚାଷୀ ଦାବି କରିଛନ୍ତି । ଏ ନେଇ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବାବୁଲି ଚରଣ ସେଠୀଙ୍କୁ ପଚାରିବାରୁ ଅଭାବୀ ବିକ୍ରି ଅଭିଯୋଗ ଆସିନି । ଏଭଳି କିଛି ଅଭିଯୋଗ ଆସିଲେ ତାର ବ୍ୟବସ୍ଥା କରିବୁ ବୋଲି କହିଛନ୍ତି ।