ମଦ ମାଫିଆଙ୍କ ବିରୁଦ୍ଧରେ ଧରପଗଡ଼ ଅଭିଯାନ ; ୧୯୨ ମାମଲା ରୁଜୁ, ୧୦୧ ଗିରଫ, ୯୦୮୩ ଲିଟର ମଦ ଜବତ

ଭୁବନେଶ୍ୱର, ୩୦ା୮ : ଅବକାରୀ କମିଶନର ନରସିଂହ ଭୋଳଙ୍କ ନିଦେ୍ର୍ଦଶ କ୍ରମେ ସପ୍ତାହବ୍ୟାପି ସ୍ୱତନ୍ତ୍ର ଅଭିଯାନ କରାଯାଇ ୩୦ ତାରିଖରେ ୧୯୨ଟି ଅବକାରୀ ମାମଲା ରୁଜୁ କରାଯିବା ସହିତ ଏହି ସମ୍ବନ୍ଧରେ ୧୦୧ ଜଣ ବେପାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ଠାରୁ ୯୦୮୩ ଲିଟର ଦେଶୀରନ୍ଧା ମଦ ଓ ୮୦୭୫୦ କିଗ୍ରା ପୋଚ ଜବତ କରାଯାଇ ୮୪ଟି ଦେଶୀରନ୍ଧା ମଦ ତିଆରି କରାଯାଇଥିବା ସ୍ଥାନକୁ ନଷ୍ଟ କରାଯାଇଛି ଏବଂ ଏହି ସମ୍ବନ୍ଧିୟ ବେଆଇନ ଚୋରା ମଦ ପରିବହନରେ ବ୍ୟବହୃତ ହୋଇଥିବା ୯ଟି ବାଇକ ଜବତ କରାଯାଇଛି ।ଏହି ଗାଡି ଗୁଡ଼ିକ ମଧ୍ୟରୁ ୩ ଜଣ ମାଲିକ ଗିରଫ ହୋଇଛନ୍ତି ।
ଏତତ୍ ବ୍ୟତିତ ୨୦ ତାରିଖ ଠାରୁ ୩୦ ତାରିଖ ମଧ୍ୟରେ ଅବକାରୀ ବିଭାଗ ତରଫରୁ ରାଜ୍ୟରେ ବିଭିନ୍ନ ଅବକାରୀ ଥାନା ଅଧିନରେ ଥିବା ଚୋରା ଦେଶୀରନ୍ଧା ମଦ ପ୍ରସ୍ତୁତ କରାଯାଉଥିବା ସ୍ଥାନ ଗୁଡ଼ିକରେ ଚଢ଼ାଉ ଜାରି କରାଯାଇ ୨୮୭୮ ଗୋଟି ଅବକାରୀ ମାମଲା ରୁଜୁ କରାଯିବା ସହିତ ଏହି ସମ୍ବନ୍ଧରେ ୧୬୦୭ ଜଣଙ୍କୁ ଗିରଫ କରାଯାଇ ଗୋର୍ଟ ଚାଲାଣ ସହିତ ୧୪୮୨୨୫ ଲିଟର ଦେଶୀରନ୍ଧା ଚୋରା ମଦ ଓ ୧୩୬୯୩୮୦ କିଗ୍ରା ପୋଚ ଜବତ କରାଯାଇ ୧୯୬ ଟି ଦେଶୀରନ୍ଧା ମଦ ତିଆରି କରାଯାଇଥିବା ସ୍ଥାନକୁ ନଷ୍ଟ କରାଯାଇଛି ଏବଂ ଏହି ସମ୍ବନ୍ଧୀୟ ବେଆଇନ୍ ଚୋରା ମଦ ପରିବହନରେ ବ୍ୟବହୃତ ହୋଇଥିବା ୧୫୯ ଗୋଟି ମୋଟର ଗାଡି ଜବତ କରାଯାଇଛି । ଏହି ଗାଡି ଗୁଡ଼ିକ ମଧ୍ୟରୁ ୮୪ ଜଣ ମାଲିକ ଗିରଫ ହୋଇଛନ୍ତି । ଅନ୍ୟ ଗାଡି ଗୁଡ଼ିକର ମାଲିକଙ୍କ ଚୋରାମଦ କାରବାରରେ ସଂପୃକ୍ତ ଅଛି କି ନାହିଁ ତାହା ଯାଂଚ କରାଯାଇ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାର ନିଷ୍ପତି ନିଆଯାଇ ଅଛି । ଜବତ ଚୋରା ମଦ ଏବଂ ଗାଡି ଗୁଡ଼ିକର ଆନୁମାନିକ ମୂଲ୍ୟ ୨୬ କୋଟିରୁ ଉର୍ଦ୍ଧ ହେବ । ସବୁଦିନ ଭଳି ଆଜି ମଧ୍ୟ ଭୁବନେଶ୍ୱର ଅବକାରୀ ଥାନା ପୁଲିସ ଓ ଜିଲ୍ଲା ମୋବାଇଲ ସ୍କ୍ୱାର୍ଡ ଟିମ ଶିଖରଚଣ୍ଡୀ ବସ୍ତିରେ ଚଢ଼ାଉ କରି ଜଣେ ଦେଶୀମଦ ବେପାରୀକୁ ଗିରଫ କରିବା ସହ ତାଠାରୁ ୬୦ ଲିଟର ଦେଶୀମଦ ଜବତ କରାଯାଇଛି । ବେପାରୀ ଜଣକ ୧୦ ଟଙ୍କିଆ ପାଣି ବୋତଲରେ ଦେଶୀ ହାତରନ୍ଧା ମଦ ପୁରାଇ ବିକ୍ରି କରୁଥିବା ବେଳେ ଟିମ ମାଡି ବସିଥିଲା ।
ସେହିଭଳି, କେଉଁଝର ଅବକାରୀ ଜିଲ୍ଲାରେ ମଧ୍ୟ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୧୮୦ ଲିଟର ଦେଶୀମଦ ଏବଂ ୧୨୮୯୦ କିଗ୍ରା ପୋଚ ଜବତ କରାଯାଇ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସେହିପରି ବାଲେଶ୍ୱର ଅବକାରୀ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୮୬୦ ଲିଟର ଦେଶୀମଦ ଏବଂ ୩୮୫୦ କିଗ୍ରା ପୋଚ ଜବତ କରାଯାଇ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ଏବଂ ସୋନପୁର ଅବକାରୀ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୩୦୦ ଲିଟର ଦେଶୀମଦ ଏବଂ ୨୨୦୦ କିଗ୍ରା ପୋଚ ଏବଂ ୫୦ କିଗ୍ରା ଗଞ୍ଜେଇ ସହିତ ଏକ ବନ୍ଧୁକ, ୬ଟି ଜିବନ୍ତ ଗୁଳି ଓ ଏକ ଚାରିଚକିଆ ଯାନ ଜବତ କରାଯାଇଛି । ଏଥିରେ ସଂପୃକ୍ତିଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହି ମଦକୁ ରାସାୟନିକ ପରୀକ୍ଷା ନିମନ୍ତେ ରାସାୟନୀକ ପରୀକ୍ଷଣ କେନ୍ଦ୍ରକୁ ପଠାଯାଇଛି । ବେଆଇନ ମଦ ବ୍ୟବସାୟରୁ ସେମାନେ କେତେ ସଂପତ୍ତି ଠୁଳ କରିଛନ୍ତି ତାର ତଦନ୍ତ ମଧ୍ୟ ଆରମ୍ଭ କରାଯାଇଛି । ଏଥି ସହିତ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଚୋରା ମଦ କାରବାର ଉପରେ ତୀକ୍ଷ୍ଣ ଦୃଷ୍ଟି ରଖି ଏଥିରେ ଲିପ୍ତ ଥିବା ଚୋରା ମଦ ବେପାରୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ନିଦେ୍ର୍ଦଶ ରହିଛି ।