ଧରାହେଲେ ୮ କୁଖ୍ୟାତ ଲୁଟେରା ; ୩୧ ବାଇକ ଜବତ

ଧରାହେଲେ ୮ କୁଖ୍ୟାତ ଲୁଟେରା ; ୩୧ ବାଇକ ଜବତ
ଧରାହେଲେ ୮ କୁଖ୍ୟାତ ଲୁଟେରା ; ୩୧ ବାଇକ ଜବତ

  • ଭୁବନେଶ୍ୱର,୩୦ା୮ : ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳର ପାର୍କି, ହସ୍ପିଟାଲ, ଆପାର୍ଟମେଣ୍ଟ, ଅଫିସ କମ୍ପାନୀ ଭିତରୁ ବାଇକ ଲୁଟ୍ କରି ଫେରାର ହୋଇ ଯାଉଥିବା ୬ ଜଣିଆ କୁଖ୍ୟାତ ଲୁଟେରା ଗ୍ୟାଙ୍ଗ ଓ ଦୁଇ ଜଣ ରିସିଭରଙ୍କୁ ଧରିଛି ବଡ଼ଗଡ଼ ଥାନା ପୁଲିସ । ସେମାନଙ୍କ ଠାରୁ ୩୧ଟି ଚୋରା ବାଇକ, ୩ଟି ମୋବାଇଲ, ଏକ ବାଇକ ଇଞ୍ଜିନ୍ ଓ ୫ଟି ନକଲି ଚାବି ଜବତ କରାଯାଇଛି । ଏନେଇ ଶୁକ୍ରବାର କମିଶନର ମୁଖ୍ୟାଳୟରେ ପୁଲିସ କମିଶନର ସଞ୍ଜୀବ୍ ପଣ୍ଡା ଓ ଡ଼ିସିପି ପ୍ରତୀକ ସିଂହ ସାମ୍ବାଦିକ ସମିଳନୀ କରି ସୂଚନା ଦେଇଛନ୍ତି । ଏହାସହ ଚୋରି ହୋଇଥିବା ଗାଡି ମାଲିକ ମାନଙ୍କ ତାଲିକା ପ୍ରସ୍ତୁତି କରି କିଛି ମାଲିକଙ୍କୁ ନିଜେ ପୁଲିସ କମିଶନର ଶ୍ରୀ ପଣ୍ଡା ଓ ଡ଼ିସିପି ଶ୍ରୀ ସିଂହ ବାଇକ ଫେରାଇଛନ୍ତି । ଅନ୍ୟପଟେ ଗିରଫ ୬ ଲୁଟେରାଙ୍କ ନାମରେ ରାଜଧାନୀ ସମେତ ପୁରୀ, ଗୋପ, ପିପିଲି, ନିମାପଡ଼ା, ବଳଙ୍ଗା, ରାମଚଣ୍ଡୀ ଥାନା ଓ କୋଣାର୍କ ଥାନାରେ ୨୦ରୁ ଅଧିକ ମାମଲା ରହିଥିବା ଜଣାପଡ଼ିଛି । ଏମାନେ ରାଜଧାନୀରୁ ଗାଡି ଚୋରି କରି ପୁରୀ ଓ କୋଣାର୍କରେ ନୋଳିଆ ବସ୍ତି ଓ ଅନ୍ୟ ବସ୍ତି ମାନଙ୍କରେ ବାପାଙ୍କ ଦେହ ଖରାପ ହସ୍ପିଟାଲରେ ଟଙ୍କା ଦରକାର କହି ୫ ହଜାର, ୮ ହଜାର ଟଙ୍କାରେ ବିକ୍ରି କରିଦେଇ ଫେରାର ହୋଇଯାଇଥାନ୍ତି । ଗିରଫ ୬ ଲୁଟେରା ହେଲେ, ପୁରୀ ଜିଲ୍ଲା କୋଣାର୍କର କ୍ରିଷ୍ଠା କାଣ୍ଡି, ପୁରୀ ତାଳବଣିଆର ସୁଦର୍ଶନ ଦାଶ, ରାମଚନ୍ଦ୍ର ବେହେରା, ସନଜ ବେହେରା, ଦିଲୁ ସାହୁ, ରିସିଭର ଆକାଶ ବାରିକ ଓ ପିପିଲିର ସତ୍ୟରଞ୍ଜନ ଭୋଇ । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
     ସୂଚନା ଯୋଗ୍ୟଯେ, ଗତ କିଛିମାସ ହେବ ରାଜଧାନୀର ବଡ଼ଗଡ଼ ଥାନା, ଧଉଳି ଥାନା, ଲିଙ୍ଗରାଜ ଥାନା, କ୍ୟାପିଟାଲ ଥାନା ଓ ଲକ୍ଷ୍ମୀସାଗର ଥାନା ଅଞ୍ଚଳ ବିଭିନ୍ନ ଆପାର୍ଟମେଣ୍ଟର ପାର୍କିଂ, ଅଫିସ ପାର୍କିଂ, ବ୍ୟାଙ୍କ୍ ପାର୍କିଂ, ହୋଟେଲ ପାର୍କିଂ ଓ ମାର୍କେଟ ବିଲିଂରୁ ବାଇକ ଚୋରି ହେଉଥିବା ନେଇ ଥାନା ମାନଙ୍କରେ ଅଭିଯୋଗ ହୋଇ ଆସୁଥିଲା । ଏନେଇ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ସିସିଟିଭି ଫୁଟେଜରୁ ଲୁଟେରାଙ୍କୁ ଚିହ୍ନଟ କରିଥିଲେ ମଧ୍ୟ ଲୁଟେରାଙ୍କ ଟେର ପାଇ ପାରୁନଥିଲେ । କାରଣ ଲୁଟେରା ମାନେ ହେଉଛନ୍ତି ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳର । ଏମାନେ ରାଜଧାନୀରୁ ବାଇକ ଚୋରି କରି ପୁରୀ, କୋଣାର୍କ, ପିପିଲି, ନିମାପଡ଼ା, ଗୋପ ଅଞ୍ଚଳକୁ ଚାଲିଯାଇ ସେଠାକାର ନିରିହ ଲୋକଙ୍କୁ ଓ ୨ ଜଣ କୁଖ୍ୟାତ କବାଡ଼ିଆ ଅବା ରିସିଭରଙ୍କୁ ବାଇକ ପିଛା ୮ ହଜାର, ୫ ହଜାରରେ ବିକ୍ରି କରି ଦେଉଥିଲେ । ଯାହାର ଟେର ପୁଲିସ ପାଇପାରୁନଥିଲା । ସେହିପରି ପୁରୀ ଜିଲ୍ଲାରୁ ବାଇକ ଚୋରି କରି ଭୁବନେଶ୍ୱରର କବାଡ଼ିଆଙ୍କୁ ବିକ୍ରି କରିଦେଉଥିଲେ । ଯାହାକୁ ନେଇ ପୁରୀ ଜିଲ୍ଲାର ବିଭିନ୍ନ ଥାନାରେ ମଧ୍ୟ ମାମଲା ରହିଥିବା ସହ ପୁଲିସ ଏମାନଙ୍କୁ ଧରିବାକୁ ଜାଲ ବିଛାଇଥିଲେ । ଏହା ଭିତରେ ଗତ ରବିବାର ଦିନ ବଡ଼ଗଡ଼ ଥାନା ପୁଲିସ ଜାଲରେ ଜଣେ ଲୁଟେରା ବାଇକ ଚୋରି କରୁଥିବା ସମୟରେ ଧରାପଡ଼ିଥିଲା । ପରେ ତାକୁ ପଚରା ଉଚରା ସମୟରେ ସେ ଅନ୍ୟ ସହଯୋଗୀ ମାନଙ୍କ ଠିକଣା ଦେଇଥିଲା । ପୁଲିସ ତା ପରେ ଜାଣିବାକୁ ପାଇଥିଲା ଏମାନେ ହେଉଛନ୍ତି ଏକ ବଡ଼ ବାଇଲ ଲୁଟେରା ଗ୍ୟାଙ୍ଗ୍ । ଏମାନଙ୍କ ଚେର କେଉଁ କେଉଁ ଆଡେ ଲମ୍ବିଛି ସେ ନେଇ ତଦନ୍ତ ବେଳେ ପୁଲିସ ୬ ଜଣ ଲୁଟେରା ଓ ୨ ଜଣ ରିସିଭରଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ବିଭିନ୍ନ ଅଞ୍ଚଳରୁ ୩୧ଟି ବାଇକ ଜବତ କରିବାରେ ସଫଳ ହୋଇଛି । ସେହିଭଳି ଗତ ୮ ମାସ ଭିତରେ କମିଶନରେଟ୍ ପୁଲିସର ବିଭିନ୍ନ ଥାନା ପୁଲିସ ୨୨୨ଟି ଚୋରା ବାଇକ ଜବତ କରିବାରେ ସଫଳ ହୋଇଛି ।