ମରୀଚିକା ପାଲଟିଛି ମଡେଲ ବସ୍ଷ୍ଟାଣ୍ଡ
ଢେଙ୍କାନାଳରୁ ଲକ୍ଷ୍ମୀ ନାରାୟଣ ତ୍ରିପାଠୀ :
ଢେଙ୍କାନାଳବାସୀଙ୍କ ପାଇଁ ଏକ ମଡେଲ୍ ବସ୍ଷ୍ଟାଣ୍ଡ କରିବା ପାଇଁ ଦୀର୍ଘ ୨୫ ବର୍ଷ ତଳୁ ପରିକଳ୍ପନା କରାଯାଇଥିଲା । ଏଥିପାଇଁ ସହର ଉପକଣ୍ଠ ମହିଷାପାଟ ଠାରେ ଜମି ଚିହ୍ନଟ କରି ଫଳକ ମରାଯାଇଥିଲା । ବିଭିନ୍ନ ସମୟରେ ଥରକୁ ଥର ତିନିଥର ବସ୍ଷ୍ଟାଣ୍ଡ ପାଇଁ ଏଠାରେ ଶିଳାନ୍ୟାସ କରାଗଲା । ହେଲେ ମଡେଲ୍ ବସ୍ଷ୍ଟାଣ୍ଡ ହେବା ତ ଦୂରର କଥା, ମାଟି ମୁଠାଏ ମଧ୍ୟ ଏଠାରେ ପଡିପାରିଲାନାହିଁ । ଜିଲ୍ଲାବାସୀଙ୍କୁ ଭୂଆଁ ବୁଲାଇ ଗତ ସରକାର ଲଲିପପ୍ ଧରି ଭଣ୍ଡାଇବା ପରି ସହର ମଧ୍ୟରେ ଥିବା ପୁରୁଣା ବସ୍ଷ୍ଟାଣ୍ଡକୁ ୧୧ କୋଟି ଟଙ୍କାରେ ନବୀକରଣ କରିି ଏକ ବସ୍ଷ୍ଟାଣ୍ଡ ନିର୍ମାଣ କଲେ । ସେହିଦିନ ଠାରୁ ଢେଙ୍କାନାଳବାସୀଙ୍କ ପାଇଁ ମଡେଲ ବସ୍ଷ୍ଟାଣ୍ଡ ମରିଚିକା ପାଲଟି ରହିଯାଇଛି ।
ଢେଙ୍କାନାଳ ସହର ଉପକଣ୍ଠ ୫୫ ନଂ ଜାତୀୟ ରାଜପଥର ମହିଁଷାପାଟ ଛକ ସ୍ଥିତ ତଥାକଥିତ ଇନ୍ଦିରାଗାନ୍ଧି ପଡିଆରେ ମଡେଲ୍ ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ୨୦୦୦ମସିହାରୁ ୧୦ଏକର ଜିମକୁ ସରଂକ୍ଷିତ ରଖାଯାଇଥିଲା । ୨୦୧୦ ମସିହାରେ ଏଠାରୁ ୫ ଏକରରୁ ଊଦ୍ଧ୍ୱର୍ ଜମିକୁ ନେଇ ଅତ୍ୟାଧୁନିକ ମଡେଲ ବସ୍ଷ୍ଟାଣ୍ଡ ନିର୍ମାଣ ଲାଗି ପ୍ରଶାସନିକସ୍ତରରେ ପ୍ରସ୍ତାବ ଅନୁମୋଦନ କରାଯାଇ ସରକାରଙ୍କ ପକ୍ଷରୁ ଯୋଜନା ଆରମ୍ଭ ହୋଇଥିଲା । ପିପିପି ମୋଡ୍ରେ ମଡେଲ୍ ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଟେଣ୍ଡର ମାଧ୍ୟମରେ ଏକ ଠିକା ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା । ମାତ୍ର କୌଣସି କାରଣରୁ ଉକ୍ତ ଠିକାସଂସ୍ଥା ଏଥିରୁ ଓହରି ଯାଇଥିଲା । ୨୦୧୭ ମସିହାରେ ତତ୍କାଳୀନ ଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ସେଠାରେ ଲକ୍ଷ୍ମୀପୂଜା ସମୟରେ ପଲ୍ଲୀଶ୍ରୀ ମେଳା ଆୟୋଜନ କରାଯିବା ସହ ତାହାକୁ ପଲ୍ଲିଶ୍ରୀ ମେଳା ପଡିଆ ଭାବେ ନାମିତ କରାଯାଇଥିଲା । ତା’ପର ଠାରୁ ସେହି ଜମିକୁ ଲାଗି ରହିଥିବା ଅନ୍ୟ ସରକାର ଜମି ଓ ଜଙ୍ଗଲଜମିକୁ ଜିଲ୍ଲାକୁ ଆସୁଥିବା ଅନୁପ୍ରବେଶକାରୀ, ବଞ୍ଜାରା, ରିଫୁ୍ୟଜିମାନେ ମିଳିମିଶି ଦଖଲ କରି ସେଠାରେ ବସ୍ତିକରି ବସବାସ କଲେ । ଯେଉଁଥିପାଇଁ ସେହି ସ୍ଥାନଟି କ୍ରମଶଃ ସଙ୍କୁଚିତ ହେବାରେ ଲାଗିଲା । ଅନ୍ୟପଟେ ବସ୍ଷ୍ଟାଣ୍ଡ ନିର୍ମାଣକୁ ଦୃଷ୍ଟିରେ ରଖି ସେତେବେଳେ ଢେଙ୍କାନାଳ ପୌରପାଳିକା ପକ୍ଷରୁ ସେଠାରେ ଏକ ଶୌଚାଳୟ ଏବଂ ବିଶ୍ରମଗାର ନିର୍ମାଣ ହୋଇଥିଲେ ମଧ୍ୟ ସଂପ୍ରତି ତାହା ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ଅନ୍ୟପକ୍ଷରେ ସେତେବେଳେ ବସଷ୍ଟାଣ୍ଡ ଲାଗି ମହିଷାପାଟ ଠାରେ ସରଂକ୍ଷିତ ସରକାରୀ ଜମିରୁ କିଛି ଅଂଶ ଓଏସଆରଟିସିକୁ ବସ ଡ଼ିପୋ କରିବାକୁ ଦିଆଯାଇ ଅବଶିଷ୍ଟ ଜମିକୁ ବାଦ ଦେଇ ପାଚେରୀ ବୁଲାଗଲା । ଯେତିକି ଜମିକୁ ବାହାରେ ଛାଡ଼ି ଦିଆଗଲା ସେହି ଜମିକୁ ଜମି ମାଫିଆମାନେ ଦଖଲ କରି ବେନିୟମ ଭାବେ ଘରବାଡି ପାଇଁ ଅନ୍ୟମାନଙ୍କୁ ବିକ୍ରି କଲେ । ମହିଷାପାଟର ସେହି ଜମିରେ ପୂର୍ବରୁ ପଲ୍ଲୀଶ୍ରୀ ମେଳା ଓ ଅନ୍ୟାନ୍ୟ ବଡ଼ବଡ କାର୍ଯ୍ୟକ୍ରମ ହୋଇ ଆସୁଥିଲା । ସେହି ଜମି ସଂକୁଚିତ ହେବା ଫଳରେ ସଂପ୍ରତି ପଲ୍ଲୀଶ୍ରୀ ମେଳା ତଥା ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ଜାଗା ନିଅଣ୍ଟ ପଡୁଛି । ଏ ନେଇ ଢ଼େଙ୍କାନାଳର ପୂର୍ବତନ ବିଧାୟକ ନବିନ ନନ୍ଦ କିଛିଦିନ ତଳେ ଲିଖିତ ଭାବେ ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ରାଜସ୍ୱ କମିଶନର, ସମ୍ବଲପୁର ଏହି ଘଟଣାର ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଦଶ ଦେଇଥିବା ଜଣାଯାଇଛି । ଢ଼େଙ୍କାନାଳର ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ମହିଷାପାଟ ଠାରେ ମଡେଲ ବସଷ୍ଟାଣ୍ଡ ନିର୍ମାଣ କରାଯିବାକୁ ବିଭିନ୍ନ ସମୟରେ ଜିଲ୍ଲାର ବୁଦ୍ଧିଜିବୀମାନେ ଦାବି କରିଆସୁଛନ୍ତି । ରାଜ୍ୟର ଅଧିକାଶ ଜିଲ୍ଲାରେ ମଡେଲ ବସ୍ଷ୍ଟାଣ୍ଡ ହୋଇସାରିଥିବାବେଳେ ଆଜିପର୍ଯ୍ୟନ୍ତ ଢେଙ୍କାନାଳରେ ଏକ ମଡେଲ ବସ୍ଷ୍ଟାଣ୍ଡ ହୋଇନପାରିବା ନେଇ ଜିଲ୍ଲାବାସୀଙ୍କ ମନରେ ମଧ୍ୟ ଦିନକୁ ଦିନ ଅସନ୍ତୋଷ ବଢିବାରେ ଲାଗିଛି । ଏପରିକି ଢ଼େଙ୍କାନାଳର ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ମହିଷାପାଟ ଠାରେ ମଡେଲ ବସ୍ଷ୍ଟାଣ୍ଡ ନିର୍ମାଣ କରାଯିବାକୁ ପୂର୍ବତନ ବିଧାୟକ ଶ୍ରୀ ନନ୍ଦ ମଧ୍ୟ ଦାବି ଜଣାଇଛନ୍ତି ।