ମହାକାଶରେ ଶୁଭାଂଶୁ ଶୁକ୍ଳା

 ୱାଶିଂଟନ୍:  ଭାରତୀୟ ସମୟ ମଧ୍ୟାହ୍ଣ ୧୨.୦୧ । ଆମେରିକାର କେନେଡି ମହାକାଶ କେନ୍ଦ୍ରରୁ ଉଡ଼ାଣ ଭରିଲା ଆକ୍ସିମ୍-୪  । ପାଞ୍ଚ ପାଞ୍ଚ ଥର ମିଶନ ବାତିଲ ହେବା ପରେ ଆଜି ଶେଷରେ ଏହାକୁ ମହାକାଶକୁ ଉତ୍କ୍ଷେପଣ କରାଯାଇଛି । ନାସା ଏବଂ ସ୍ପେସ୍-ଏକ୍ସର ମିଳିତ ସହାୟତାକ୍ରମେ ଆରମ୍ଭ ହୋଇଥିବା ଏହି ମହାକାଶ ମିଶନ ଉପରେ ଏବେ ସାରା ବିଶ୍ୱବାସୀଙ୍କ ନଜର । ଅଲଗା ଅଲଗା ଦେଶର ନାଗରିକ ଯଥା ଆମେରିକାରୁ କମାଣ୍ଡର୍ ପେଗି ହୁଇଟ୍ସନ୍, ପୋଲାଣ୍ଡରୁ ମିଶନ ସ୍ପେଶାଲିଷ୍ଟ୍ ସ୍ଲୋଜ୍ ଉଜାନ୍ସ୍କି, ହଙ୍ଗେରୀରୁ ମିଶନ ସ୍ପେଶାଲିଷ୍ଟ ତିବୋର୍ କାପୁ ଏବଂ ଭାରତରୁ  ବାୟୁସେନା ଗ୍ରୁପ୍ କ୍ୟାପ୍ଟେନ୍ ତଥା ଆକ୍ସିମ୍-୪ର ପାଇଲଟ୍ ଶୁଭାଂଶୁ ଶୁକ୍ଳା ।  ପ୍ରଥମ ଭାରତୀୟ ଭାବେ ୧୯୮୪ରେ ଭାରତୀୟ ବାୟୁସେନା ସ୍କ୍ୱାଡ୍ରନ୍ ଲିଡର୍ ରାକେଶ ଶର୍ମା ମହାକାଶରେ ପାଦ ଥାପିଥିବା ବେଳେ ଏବେ ଶୁଭାଂଶୁ ଶୁକ୍ଳା ଦ୍ୱିତୀୟ ଭାରତୀୟ ଭାବେ ମହାକାଶରେ ପାଦ ଥାପି ଇତିହାସ ରଚିଛନ୍ତି । ୧୪ ଦିନିଆ ଏହି ମହାକାଶ ମିଶନ୍ର ଲକ୍ଷ୍ୟ ହେଉଛି ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ (ଆଇଏସ୍ଏସ୍)କୁ ଗସ୍ତ ଏବଂ ପୃଥିବୀ କକ୍ଷପଥ ପରିଭ୍ରମଣ କରି ମହାକାଶ ବିଷୟରେ ଅଧିକ ତଥ୍ୟ ହାସଲ କରିବା । ୨୮ ଘଣ୍ଟାର ଯାତ୍ରା ପରେ, ଗୁରୁବାର ଅପରାହ୍ଣ ପ୍ରାୟ ୪.୩୦ରେ ଏହି ମହାକାଶଯାନ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍ଏସ୍) ସହିତ ସଂଯୋଗ ହେବ । ଶୁଭାଂଶୁ ଶୁକ୍ଳାଙ୍କ ଏହି ଦୁଃସାହସିକ ଯାତ୍ରା ପାଇଁ ରାଷ୍ଟପ୍ରତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭକାମନା ଜଣାଇଛନ୍ତି । ମହାକାଶ ଯାତ୍ରାରେ ଶୁଭାଂଶୁଙ୍କ ଯୋଗଦାନ ଆଉ ଏକ ମାଇଲଖୁଣ୍ଟ ହୋଇ ରହିବ ବୋଲି ରାଷ୍ଟ୍ରପତି ମତବ୍ୟକ୍ତ କରିଛନ୍ତି । ସେହିପରି ଶୁଭାଂଶୁଙ୍କ ଏହି ଯାତ୍ରାରେ କେବଳ ମୋର ନୁହେଁ ୧୪୦ କୋଟି ଭାରତୀୟଙ୍କ ଆଶୀର୍ବାଦ ଓ ଶୁଭକାମନା ରହିଛି ବୋଲି ମୋଦି ନିଜ ଏକ୍ସ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି । ସେପଟେ ମହାକାଶରୁ ଦେଶବାସୀଙ୍କୁ ଆହ୍ୱାନ ଦେଇ ପ୍ରଥମ ବାର୍ତ୍ତାରେ ଶୁଭାଂଶୁ ଏହି ଯାତ୍ରା ପାଇଁ ଶୁଭକାମନା ଜଣାଇଥିବାରୁ ଧନ୍ୟବାଦ ଦେଇଥିଲେ । ଦୀର୍ଘ ୪୧ ବର୍ଷ ପରେ ଅର୍ଥାତ୍ ରାକେଶ ଶର୍ମାଙ୍କ ପରେ ଆମେ ହୁ୍ୟମାନ୍ ସ୍ପେସ୍ ପ୍ରୋଗାମ୍ ଜରିଆରେ ପୁଣି ମହାକାଶକୁ ଆସିଛୁ ବୋଲି କହିଥିଲେ । ବର୍ତ୍ତମାନ ଆମେ ପୃଥିବୀ କକ୍ଷପଥରେ ପ୍ରତି ସେକେଣ୍ଡକୁ ୭.୫କିମି ବେଗରେ ପରିକ୍ରମଣ କରୁଛୁ । ସ୍ପେସ୍ ଏକ୍ସର ଫାଲକନ୍-୯ ରକେଟ୍ରେ ଥାଇ ଏହି ବାର୍ତ୍ତା ଦେଇଛନ୍ତି ଶୁଭାଂଶୁ । ସେହିପରି ସେ ଆହୁରି କହିଛନ୍ତି ମୋ କାନ୍ଧରେ ମରାଯାଇଥିବା ତ୍ରିରଙ୍ଗା ମତେ ଏହି ଅନୁଭବ ଦେଉଛି ଯେ, ମୁଁ ଏକା ନୁହେଁ ମୋ ସହିତ ଦେଶବାସୀ ଅଛନ୍ତି । ଜୟ ହିନ୍ଦ୍... ଜୟ ଭାରତ... । ଅପରପକ୍ଷେ ସ୍ପେସ୍ ଷ୍ଟେସନ୍ରେ ପୁଅର ମହାକାଶ ଯାତ୍ରାକୁ ଲାଇଭ୍ ଦେଖୁଥିବା ଶୁଭାଂଶୁଙ୍କ ପରିବାରବର୍ଗ ଖୁସିରେ ବିଭୋର ହେଉଥିଲେ ଯେତିକି ତାଙ୍କୁ ବିଦାୟ ବେଳେ ଦୁଃଖ ଓ ଗର୍ବ ମଧ୍ୟ ଅନୁଭବ କରୁଥିଲେ । ଶୁଭାଂଶୁଙ୍କ ପିତା ଶମ୍ଭୁ ଦୟାଲ କହିଛନ୍ତି- ମୋ ପୁଅର ସଫଳତା କେବଳ ଲକ୍ଷ୍ନୌ ପାଇଁ ନୁହେଁ ବରଂ ସମଗ୍ର ଦେଶ ପାଇଁ ଗର୍ବର ବିଷୟ । ଶୁଭାଂଶୁଙ୍କ ମା’ ଆଶା ଶୁକ୍ଲା ତାଙ୍କର ଭାବନା ପ୍ରକାଶ କରି କହିଥିଲେ ଆମ ପାଇଁ ସେ ଏପର୍ଯ୍ୟନ୍ତ ପିଲା । ସେ ଆଜି ମଧ୍ୟ ସେହିପରି ଅଛି ଯେପରି ସେ ପିଲାବେଳେ ଥିଲା । ମୁଁ ମଙ୍ଗଳବାର ସନ୍ଧ୍ୟାରେ ଶୁଭାଂଶୁ ସହ କଥା ହୋଇଥିଲି । ଶୁଭାଂଶୁ ତାଙ୍କୁ କହିଥିଲେ - ମମି, ମୁଁ ଭଲ ଅଛି, ମୁଁ ମଜା କରୁଛି, ମୁଁ ମହାକାଶକୁ ଯିବା ପାଇଁ ବହୁତ ଉସôାହିତ ।