ମହାରାଷ୍ଟ୍ର ବିଜୟ ; ଦେଶରେ ଭୋଟରଙ୍କ ପ୍ରଥମ ପସନ୍ଦ ବିଜେପି: ମୋଦି
ଗୌହାଟୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଶାସନ ଓ ବିକାଶର ରେକର୍ଡ ଯୋଗୁଁ ଭାରତୀୟ ଜନତା ପାର୍ଟି (ବିଜେପି) ସାରା ଦେଶରେ ଭୋଟରଙ୍କ "ପ୍ରଥମ ପସନ୍ଦ’ ଭାବରେ ଉଭା ହୋଇଛି । ଆସାମରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ମୋଦି କଂଗ୍ରେସ ଉପରେ ଅଭିଯୋଗ ଆଣିଥିଲେ ଯେ ଦଶନ୍ଧି ଧରି ଶାସନ ସମୟରେ ଭୋଟ ବଦଳରେ ରାଜ୍ୟରେ ଅନୁପ୍ରବେଶକାରୀଙ୍କୁ ଜମି ହସ୍ତାନ୍ତର କରାଯାଇଛି । କଂଗ୍ରେସ ସରକାର ସମୟରେ ଅବୈଧ ପ୍ରବାସ ବୃଦ୍ଧି ପାଇଛି, ଯାହା ଫଳରେ ଜଙ୍ଗଲ, ବନ୍ୟପ୍ରାଣୀ କରିଡର ଓ ପାରମ୍ପରିକ ପ୍ରତିଷ୍ଠାନଗୁଡ଼ିକ ଉପରେ ଜବରଦଖଲ ହୋଇଛି । ବିଜେପି ସରକାର ଜମି ଜବରଦଖଲ କରିଥିବା ଅନୁପ୍ରବେଶକାରୀଙ୍କୁ ବାହାର କରି ଆସାମର ପରିଚୟ ଓ ସଂସ୍କୃତିକୁ ସୁରକ୍ଷା ଦେଉଛି ବୋଲି ମୋଦି କହିଛନ୍ତି । ମୋଦି ଆହୁରି କହିଛନ୍ତି ଯେ କଂଗ୍ରେସର "ନକାରାତ୍ମକ ରାଜନୀତି’ ଯୋଗୁଁ ଲୋକଙ୍କ ବିଶ୍ୱାସ ହରାଇଛି, ଯେତେବେଳେ ମତଦାତାମାନେ ସ୍ଥିରତା ଓ ବିକାଶ ପାଇଁ ବିଜେପି ଉପରେ ବିଶ୍ୱାସ ଜାରି ରଖିଛନ୍ତି । ସାମ୍ପ୍ରତିକ ନିର୍ବାଚନୀ ଫଳାଫଳକୁ ଉଦ୍ଧୃତ କରି ମୋଦି କହିଛନ୍ତି ଯେ ବିଜେପି ୨୦ ବର୍ଷ ଧରି କ୍ଷମତାରେ ରହିବା ସତ୍ତେ୍୍ୱ ବିହାର ବିଧାନସଭା ନିର୍ବାଚନରେ ରେକର୍ଡ ଭୋଟ ଓ ଆସନ ହାସଲ କରିଛି । ସେ ମହାରାଷ୍ଟ୍ର ପୌର ନିର୍ବାଚନରେ ଦଳର ପ୍ରଦର୍ଶନକୁ ମଧ୍ୟ ଇଙ୍ଗିତ କରିଥିଲେ ଓ କହିଥିଲେ ଯେ ବିଜେପି କେରଳରେ ଫାଇଦା ପାଇଛି, ବର୍ତ୍ତମାନ ଏହାର ମେୟର ରହିଛି । ଏହି ଫଳାଫଳଗୁଡ଼ିକ ଦର୍ଶାଉଛି ଯେ ସାରା ଭାରତରେ ଲୋକମାନେ ସୁଶାସନ ଓ ବିକାଶ ପାଇଁ ବିଜେପି ଉପରେ ବିଶ୍ୱାସ କରନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଆସାମରେ ଆରମ୍ଭ ହୋଇଥିବା ପ୍ରକଳ୍ପଗୁଡ଼ିକ ବିଜେପିର ବିକାଶ ମନ୍ତ୍ରକୁ ଆହୁରି ମଜଭୁତ କରିଛି ।
Samir Kumar Rout