ମହିଳାଙ୍କ ସୁରକ୍ଷା ପାଇଁ ଲଢ଼େଇ ଜାରି ରହିବ

 ଭୁବନେଶ୍ୱର  : ନାରୀ ନିର୍ଯାତନା ପ୍ରତିବାଦରେ କଂଗ୍ରେସ ନିଜର ଲଢ଼େଇ ଜାରି ରଖିବ । ଆଜି କଂଗ୍ରେସ ଭବନରେ ସଭାପତି ଭକ୍ତ ଚରଣ ଦାସଙ୍କ ପରାମର୍ଶକ୍ରମେ ଅନୁଷ୍ଠିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀ ଶ୍ରୀ ଦାସ ଏହା ପ୍ରକାଶ କରିଛନ୍ତି । ନାରୀ ନିର୍ଯାତନା ପାଇଁ ଗଠିତ ତଥ୍ୟ ଅନୁଧ୍ୟାନକାରୀ ଦଳ କମିଟି ଅଧ୍ୟକ୍ଷ ନଗେନ୍ଦ୍ର ପ୍ରଧାନ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଗତ ଫେବୃଆରୀ ୨୧ରୁ ଆଜି ମଧ୍ୟରେ ଶତାଧିକ ନାବାଳିକା ମାତୃତ୍ୱ ଲାଭ କରିବା ଏବଂ ନିରୀହ ଶିଶୁମାନେ ଦୁଷ୍କର୍ମ ଓ ହତ୍ୟାର ଶିକାର ହେବା ଆଜି ରାଜ୍ୟରେ ଏକ ସାଧାରଣ ଘଟଣାରେ ପରିଣତ ହୋଇଛି । ମୋହନ ମାଝୀଙ୍କ ୧୦ ମାସର ସରକାରରେ ପ୍ରାୟ ୨ ହଜାରରୁ ଅଧିକ ନାରୀ ନିର୍ଯାତନା ଓ ହତ୍ୟା ମାମଲା ଓଡ଼ିଶାର ବିଭିନ୍ନ ଥାନାରେ ରୁଜୁ ହୋଇଛି । ଗତ ୨୫ରେ ଗଞ୍ଜାମ ପାଟପୁର ଥାନାର ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମପରେ ହତ୍ୟା ଘଟଣା ହେଉ ଅବା ଗତ ମାର୍ଚ୍ଚ ମାସ ଅନୁଗୁଳ ଜିଲ୍ଲାର ଦିସା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍ ଅଞ୍ଚଳର ୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା କିମ୍ବା ଢ଼େଙ୍କାନାଳ ହିନେ୍ଦାଳ ଥାନା ଅଞ୍ଚଳରେ ୭ ବର୍ଷର ଶିଶୁକନ୍ୟାକୁ ଗଣଦୁଷ୍କର୍ମ ଘଟଣା; ଏହା ମୋହନ ମାଝୀ ସରକାରଙ୍କର ଅପାରଗ ପଣିଆକୁ ଦର୍ଶାଉଛି ବୋଲି କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । 
ପୁଲିସ ଦୁଷ୍କର୍ମକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହେବାରୁ ଅପରାଧୀମାନେ ଏପରି ଘଟଣା ବାରମ୍ବାର କରିବାକୁ ସାହସ କରୁଛନ୍ତି ବୋଲି ଭକ୍ତ ଅଭିଯୋଗ କରିଛନ୍ତି । ଯେପର୍ଯ୍ୟନ୍ତ ପ୍ରତ୍ୟେକଟି ମହିଳାଙ୍କୁ ସୁରକ୍ଷା ନ ମିଳିଛି କଂଗ୍ରେସ ଦଳ ଲଢ଼େଇ ଜାରି ରଖିବ ବୋଲି କମିଟିର ସଦସ୍ୟ ଆଡଭୋକେଟ ମାନସ ମଲ୍ଲିକ କହିଛନ୍ତି । ସମ୍ମିଳନୀରେ ପିସିସି ମୁଖପାତ୍ର ମନୋରଞ୍ଜନ ଦାଶ, କଂଗ୍ରେସ ନେତା ଦେବାଶିଷ ନାୟକ, ଅନିମା ମିଞ୍ଜ, ଅମି୍ରତା ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।