ଚୋରା ବାଲି ଚାଲାଣ, ୫୦ ହଜାର ଜରିମାନା
ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଅଞ୍ଚଳର ଋଷିକୁଲ୍ୟା ଓ ଘୋଡାହଡ ନଦୀ ପଠାର ବିଭିନ୍ନସ୍ଥାନରୁ ବେଧଡକ ଚୋରା ବାଲି ଲୁଟ୍ ହେବାରେ ଲାଗିଛି । ପ୍ରାୟତଃ ରାତି ଅଧିଆ ଚୋରାଚାଲାଣ ହେଉଥିବା ଦୃଢ଼ ଅଭିଯୋଗ ହେଉଛି । ଏହି ଆଧାରରେ ଶନିବାର ରାତି ପ୍ରାୟ ୨ଟା ସମୟରେ ହିଞ୍ଜିଳି ପୁଲିସ୍ ପେଟ୍ରୋଲିଂ କରୁଥିବା ବେଳେ ଏକ ବାଲି ବୋଝେଇ ହାଇୱାକୁ ରାଜା ସାହି ଛକରେ ଅଟକାଇ କାଗଜ ପତ୍ର ଯାଞ୍ଚ କରିଥିଲେ । ଡ୍ରାଇଭର ଜଣକ ଟ୍ରାଞ୍ଜିଟ୍ ପାସ ଦେଖାଇଥିଲେ ମଧ୍ୟ ତାହା ନକଲି ବୋଲି ପୁଲିସ୍ ଜାଣିବାକୁ ପାଇଥିଲା । ଟିପରଟି ନକଲି ୱାଇ ଫର୍ମରେ ଲକ୍ଷ୍ମୀପୁର ନିକଟସ୍ଥ ଘୋଡାହଡ ନଦୀରୁ ବାଲି ଚୋରା ଚାଲାଣରେ ଲିପ୍ତ ଥିବା ଜଣା ପଡିଥିଲା । ଜିଲ୍ଳା ଲଘୁ ଖଣିଜ ବିଭାଗର ଅଧିକାରୀଙ୍କୁ ପୁଲିସ୍ ଖବର ଦେଇଥିବା ବେଳେ ଖଣିଜ ବିଭାଗର ଅଧିକାରୀମାନେ ହିଞ୍ଜିଳି ଥାନାରେ ପହଞ୍ଚି ଜବତ ହାଇୱାକୁ ୫୦ହଜାର ଟଙ୍କା ଜରିମାନା ପକାଇଥିଲେ । ଏହିଭଳି ଭାବେ ଦୈନିକ ରାତିରେ ଶିକିରି, ତହର ଓ ଘୋଡାହାଡ ନଦୀରୁ ଲକ୍ଷ ଲକ୍ଷ ଟଙ୍କାର ବାଲି ଲୁଟ ପ୍ରକ୍ରିୟା ଚାଲିଥିବା ବେଳେ ସରକାରଙ୍କ ବିପୁଳ ରାଜସ୍ୱ କ୍ଷତି ସାଧନ ହେଉଥିବା ଦେଖାଯାଇଛି ।
ସୂଚନା ଥାଉକି ଗତ ୧୭ରେ ତହଁର - ଭେଟସିଙ୍ଗି ସେତୁ ନିକଟରୁ ବାଲି ଚୋରା ଚାଲାଣ ଅଭିଯୋଗରେ ଖଣିଜ ବିଭାଗର ଅଧିକାରୀ ମାନେ ୨ଟି ଟ୍ରାକ୍ଟରକୁ ଜବତ କରି ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଥିଲେ । କିନ୍ତୁ ଜବତ ହୋଇଥିବା ଟିପରରେ ଅଧିକ ଓଜନର ବାଲି ଚୋରା ଚାଲାଣ ହୋଇଥିବା ବେଳେ କେଉଁ କାରଣରୁ ଖଣିଜ ବିଭାଗ ପକ୍ଷରୁ ଅନୁରୂପ ଭାବେ ୫୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ତାହା ସାଧାରଣରେ ଚର୍ଚ୍ଚା ସୃଷ୍ଟି କରିଛି ।