ମାତିଲେ ଆପାର୍ଟମେଣ୍ଟ୍ ଲୁଟେରା ଗ୍ୟାଙ୍ଗ୍ ; ନେଇଗଲେ ୭୦ ଲକ୍ଷର ସୁନା ଅଳଙ୍କାର
ଭୁବନେଶ୍ୱର, ୧୭ା୮ : ରାଜଧାନୀରେ ନିଯୁକ୍ତ ପାଇଥିବା ଅଧିକାଂଶ ଥାନାର ଅଧିକାରୀ ଅପରାଧୀଙ୍କୁ ଧରିବାରେ ମାରୁଛନ୍ତି ଫେଲ । ସାହାରା କେବଳ ଡ଼ିସିପିଙ୍କ ସ୍ପେଶାଲ ସ୍କ୍ୱାର୍ଡ ଟିମ । ହେଲେ ଥାନା ଅଧିକାରୀ ମାନେ ଏବେ ଜମି କାରବାରକୁ ବେଶି ଗୁରୁତ୍ୱ ଦେଉଥିବା ଦେଖାଯାଉଛି । ଯାହାକୁ ନେଇ ରାଜଧାନୀ ଓ ରାଜଧାନୀ ଉପକଣ୍ଠ ଥାନା ଅଞ୍ଚଳରେ ଖୁଲମଖୁଲା ହେଉଛି ଲୁଟ୍, ଡକାୟତୀ, ହତ୍ୟା ଭଳି ଅପରାଧ । ଫଳରେ ଚିନ୍ତାରେ ସିପି ଡ଼ିସିପି । ଏହା ଭିତରେ ପୁଣି ଜେଲରୁ ଫେରି ରାଜଧାନୀ ଉପକଣ୍ଠରେ ମାତିଲେ ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗ୍ । ପୁଲିସକୁ ଖୋଲା ଚ୍ୟାଲେଞ୍ଜ୍ ଦେଇ ଗୋଟିଏ ରାତିରେ ରାଜଧାନୀ ଉପକଣ୍ଠ ଧଉଳି ଥାନା ଅଧିନ ଏକ ଘରୁ ଓ ଚନ୍ଦକା ଥାନା ଅଧିନ ଏକ ଆପାର୍ଟମେଣ୍ଟରୁ ପ୍ରାୟ ୭୦ ଲକ୍ଷ ଟଙ୍କାର ସୁନା, ରୂପା ଓ ଟଙ୍କା ଲୁଟ୍ ହୋଇଥିବା ନେଇ ଦୁଇ ଥାନାରେ ଅଭିଯୋଗ ହୋଇଛି । ଏନେଇ ସ୍ପେଶାଲ ସ୍କ୍ୱାର୍ଡ ଓ ସ୍ଥାନୀୟ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇଥିବା ବେଳେ ଏ ପର୍ଯ୍ୟନ୍ତ ଲୁଟେରାଙ୍କ ଟେର ପାଇପାରିନାହାନ୍ତି ।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଚନ୍ଦକା ଥାନା ଅଧିନ ଲୋଟସ୍ ଏଭେନୁ୍ୟ ଆପାଟମେଣ୍ଟର ଦୁଇଟି ଫ୍ଲାଟରୁ ହୋଇଛି ୫୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍ । କିଛି ମୁଖାପିନ୍ଧା ଲୁଟେରା ମାନେ ଦୁଇ ଫ୍ଲାଟର କବାଟ କାଟି କରିଛନ୍ତି ଲୁଟ୍ପାଟ୍ । ଏପରିକି ଆପାଟମେଣ୍ଟର ସୁରକ୍ଷାକର୍ମୀ ପ୍ରତିବାଦ କରିବାରୁ ସେମାନେ ବୋମା ଓ ଭୁଜାଲିରେ ଆକ୍ରମଣର ଧମକ ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଏହିଭଳି ଲୁଟ୍ ପରେ ଚନ୍ଦକା ଥାନାରେ ଅଭିଯୋଗ ପରେ ପୁଲିସ ସିସିଟିଭି ଫୁଟେଜକୁ ଯାଞ୍ଚ ବେଳେ ସମସ୍ତ ଲୁଟ୍ ବେଳର ଭିଡ଼ିଓ କ୍ୟାମେରାରେ କଏଦ୍ ହୋଇଛି । ଫଳରେ ଡ଼ିସିପିଙ୍କ ନିଦେ୍ର୍ଦଶ ପରେ ଚନ୍ଦକା ପୁଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ଟିମ ମିଳିତ ଭାବେ ତଦନ୍ତ ଆରମ୍ଭ କରିଛନ୍ତି । ସେହିଭଳି ଗତକାଲି ଧଉଳି ଥାନା ଅଧିନ ଗଙ୍ଗୋତ୍ରୀନଗର ଲେନ୍-୨(ଏ) ଘରେ କେହି ନଥିବା ବେଳେ ଘରର କବାଟ ତାଡି ପ୍ରାୟ ୨୫ ଲକ୍ଷ ଟଙ୍କାର ସୁନା, ରୂପା ଓ ହୀରା ଅଳଙ୍କାର ଲୁଟି ନେଇଛନ୍ତି ଲୁଟେରା । ଏନେଇ ଧଉଳି ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇଛି । ସୂଚନା ଯୋଗ୍ୟଯେ, ଗତି ୧୨ ତାରିଖ ଦିନ ଅଭିଯୋଗକାରୀ ଶାଶ୍ୱତ ରାଉତରାୟ ଘର ତାଲା ପକାଇ ପରିବାର ସହ ପଟିଆ ଅଞ୍ଚଳକୁ ଯାଇଥିଲେ । ଏହି ସମୟରେ କେହି ଲୁଟେରା ଘରର କବାଟ ଭାଙ୍ଗି ଘରୁ ୨୫ରୁ ୩୦ ଲକ୍ଷ ଟଙ୍କାର ସୁନା, ରୂପା ଓ ଟଙ୍କାକୁ କଳାକନା ବୁଲାଇଦେଇଛି । ଘରକୁ ଫେରି ଦେଖିଲା ବେଳକୁ ଘରର କବାଟ ଭଙ୍ଗାଜିବା ସହ ସବୁ ଖୋଳ ହୋଇଯାଇଛି । ଏନେଇ ଶାଶ୍ୱତ ଧଉଳି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।