ଯୁବତୀଙ୍କୁ ଅସଦାଚରଣ ସହ ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୬ ।୧୧ : ବିଚ୍ ରାସ୍ତାରେ ଜଣେ ଯୁବତୀଙ୍କୁ ତାଙ୍କର ପୁରୁଷ ବନ୍ଧୁ ଓ ତାଙ୍କର ସହଯୋଗୀ ମାନେ ମିଶି ଅସଦାଚରଣ କରିବା ସହ ଏକ ଖଣ୍ଡାରେ ହତ୍ୟା କରିବା ଉଦେଶ୍ୟରେ ଗୋଡାଇ ଆକ୍ରମଣ । ଏନେଇ ଖାରବେଳନଗର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଆଜି ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା, କ୍ୟାପିଟାଲ ଥାନା ଅଧିନ କେଦାରପଲ୍ଲୀ ବସ୍ତିର ଗୋପୀନାଥ ନାୟକ ।
ସୂଚନା ଯୋଗ୍ୟଯେ, ଅଭିଯୋଗକାରିଣୀ ଓ ଅଭିଯୁକ୍ତ ଗୋପୀନାଥ ଉଭୟେ ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ମାଷ୍ଟର କ୍ୟାଣ୍ଟିନ୍ ଛକରେ ବୁଲାବୁଲି କରିଥାନ୍ତି । ହେଲେ ସେମାନଙ୍କ ମଧ୍ୟରେ ପୂର୍ବରୁ କୌଣସି କାରଣକୁ ନେଇ ଶତ୍ରୁତା ଲାଗିରହିଥିଲା । ତେଣୁ ସେମାନେ ପରସ୍ପରଙ୍କ ସହିତ ଅନେକ ଝଗଡା କରିଆସୁଥିଲେ । ଗତ ୪ ତାରିଖ ରାତି ପ୍ରାୟ ୮ଟା ସମୟରେ ଅଭିଯୋଗକାରିଣୀ ଓ ତାଙ୍କର ସାଙ୍ଗମାନେ ମାଷ୍ଟର କ୍ୟାଣ୍ଟିନ୍ ଛକ ନିକଟରେ ଥିବା କେଶରୀ ହୋଟେଲ ନିକଟରେ ଠିଆ ହୋଇଥିଲେ । ସେହି ସମୟରେ ଅଭିଯୁକ୍ତ ଗୋପୀ ଓ ତାଙ୍କର ଅନ୍ୟ ଦୁଇ ବନ୍ଧୁ ଏକ ସ୍କୁଟିରେ ଘଟଣା ସ୍ଥଳକୁ ଆସିଥିଲେ ଏବଂ ଅଭିଯୋଗକାରିଣୀ କିଛି ବୁଝିବା ପୂର୍ବରୁ ଅଭିଯୁକ୍ତ ଜଣକ ତାଙ୍କୁ ଅଶ୍ଳୀଳ ଭାବରେ ଗାଳି ଗୁଲଜ କରି ରାସ୍ତାକୁ ଟାଣି ନେଇ ଚାପୁଡ଼ା ମାରିଥିଲେ ଓ ତାଙ୍କ ସହିତ ଦୁର୍ବ୍ୟବହାର ପଦର୍ଶନ କରିଥିଲେ । ଏହି ସମୟରେ ଅଭିଯୋଗକାରିଣୀ ନିଜ ଜୀବନ ବଞ୍ଚାଇବା ପାଇଁ ଘଟଣା ସ୍ଥଳରୁ ଦୌଡ଼ି ପଳାଉଥିବା ବେଳେ ଅଭିଯୁକ୍ତ ଜଣକ ତାଙ୍କ ପଛରେ ଗୋଡାଇଥିଲେ ଓ ସାଙ୍ଗରେ ଆଣିଥିବା ଏକ ଖଣ୍ଡାରେ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ସେତିକି ବେଳେ, କୌଶଳ କ୍ରମେ ଅଭିଯୋଗକାରିଣୀ ଅଭିଯୁକ୍ତଙ୍କ କବଳରୁ ଖସି ଯାଇ ନିଜର ଜୀବନ ବଞ୍ଚାଇଥିଲେ । ଏନେଇ ଖାରବେଳନଗର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରିଛି ।