ମାଆକୁ ହାତୁଡିରେ ଆକ୍ରମଣ; ଝିଅ ଗିରଫ

ଭୁବନେଶ୍ୱର, ୭ା୧୨ : ପାରିବାରିକ କଳହକୁ କେନ୍ଦ୍ର କରି ନିଜ ମାଆକୁ ହାତୁଡ଼ିରେ ମୁଣ୍ଡକୁ ମରଣାନ୍ତକ ଆକ୍ରମଣ । ଏନେଇ ଥାନାରେ ଅଭିଯୋଗ ପରେ ପାହାଳ ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତ ଝିଅକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ, ପାହାଳ ଥାନା ଅଞ୍ଚଳ ଜଗନ୍ନାଥପୁରର ଲୁସି ଭୋଇ ।
ସୂଚନା ଯୋଗ୍ୟଯେ, ଅଭିଯୋଗକାରିଣୀ ଜଣଙ୍କ ପରିବାର ସହ ପାହାଳ ଥାନା ଅନ୍ତର୍ଗତ ଦଳବାଡ ଗ୍ରାମରେ ରୁହନ୍ତି । ଅଭିଯୁକ୍ତ ଜଣକ ସମ୍ପର୍କରେ ପୀଡ଼ିତାଙ୍କ ଝିଅ । ଗତ ୬ ତାରିଖ ଦିନ ପାରିବାରିକ ବିବାଦକୁ କେନ୍ଦ୍ର କରି ଅଭିଯୁକ୍ତ ଲୁସି ଭୋଇ ଜୀବନରୁ ମାରିଦେବା ଉଦେ୍ଦଶ୍ୟରେ ଏକ ଲୁହା ହାତୁଡି ସାହାର୍ଯ୍ୟରେ ପୀଡ଼ିତା କେଶି ଭୋଇଙ୍କ ମୁଣ୍ଡକୁ ଲକ୍ଷ କରି ଖୁବ ଜୋରରେ ଆଘାତ ଦେବାରୁ ତାଙ୍କ ମୁଣ୍ଡ ଫାଟିଯାଇଥିଲା । ଫଳରେ ପୀଡ଼ିତା ଜଣକ ରକ୍ତାକ୍ତ ଅବସ୍ତାରେ ସେହିଠାରେ ତଳେ ପଡ଼ିଯାଇଥିଲେ । ପାଖ ପଡୋଶିଙ୍କ ସହାୟତାରେ ଘଟଣା ସ୍ଥଳରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ତାଙ୍କୁ ମହୀଧରପଡା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ବେଳେ, ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପୁଣି ଡାକ୍ତର କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ପରେ ଅଭିଯୋଗକାରିଣୀ ଏନେଇ ପାହାଳ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।