ମାତୃଶକ୍ତିର ଉପାସନା
ପୁଷ୍ପମିତ୍ର ମହାପାତ୍ର : ଆଶ୍ୱିନ କୃଷ୍ଟ ଅଷ୍ଟମୀ ବା ମୂଳାଷ୍ଟମୀର ଆଶ୍ୱିନ ଶୁକ୍ଳ ଅଷ୍ଟମୀ ବା ମହାଷ୍ଟମୀ ପର୍ଯ୍ୟନ୍ତ ଦୁର୍ଗାପୂଜା କରାଯାଇଥାଏ । ଏହା ଷୋଡ଼ଶ ଦିବସ ବ୍ୟାପୀ ଦୁର୍ଗାପୂଜା । ଏହା ବ୍ୟତୀତ ନଅଦିନ, ପାଞ୍ଚଦିନ, ତିନିଦିନ, ଦୁଇ ଦିନ ଓ ଏକ ଦିନ ଦୁର୍ଗାପୂଜା ମଧ୍ୟ ହୋଇଥାଏ । ମାତ୍ର ଷୋଡ଼ଶ ଦିବସବ୍ୟାପୀ ଦୁର୍ଗାପୂଜା ସେ ସବୁ ମଧ୍ୟରେ ଶ୍ରେଷ୍ଠ । ଦେବୀପୀଠ ମାନଙ୍କରେ ବିଧିମତେ ଦୁର୍ଗୋତ୍ସବ ପାଳିତ ହେବା ସହିତ, ଏହି ଅବଧି ମଧ୍ୟରେ ଦେବୀଙ୍କର ବିଭିନ୍ନ ବେଶ ସଂପନ୍ନ ହୋଇଥାଏ । ଏହାର କିନ୍ତୁ ନିର୍ଦ୍ଧାରିତ ନିୟମ ନାହିଁ । ଏଣୁ ପରମ୍ପରା ଅନୁସାରେ ବା ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ବିଭିନ୍ନ ଦେବୀପୀଠରେ ଏହି ବେଶରେ ସଂଖ୍ୟା ଓ ପ୍ରକାର ଭିନ୍ନ ଭିନ୍ନ ହୋଇଥାଏ । ମୂଳାଷ୍ଟମୀରୁ ମହାଷ୍ଟମୀ - ଷୋହଳ ଦିନରେ ଷୋହଳ ପ୍ରକାରର ବେଶ ହେଉଥିବା ଦେବୀ ମାନଙ୍କ ମଧ୍ୟରେ କଟକ ଚଣ୍ଡୀ ଓ କଟକର ଗଡ଼ଚଣ୍ଡୀ ପ୍ରସିଦ୍ଧ । ଏହି ଷୋହଳ ଦିନ ମଧ୍ୟରୁ ପ୍ରଥମ ଆଠଦିନ ଯଥାକ୍ରମେ କଟକ ଚଣ୍ଡୀଙ୍କର ସୁନାବେଶ, ଭୁବନେଶ୍ୱରୀ ବେଶ, ଉଗ୍ରତାର ବେଶ, ତ୍ରିପୁର ଭୈରବୀ ବେଶ, ସିଦେ୍ଧଶ୍ୱରୀ ବେଶ, ନାରାୟଣୀ ବେଶ, ରାଜରାଜେଶ୍ୱରୀ ବେଶ ଓ ମାତଙ୍ଗୀ ବେଶ ହେବା ପରେ, ଶୁକ୍ଳ ପ୍ରତିପଦା ଦିନ ଜଗଦ୍ଧାତ୍ରୀ ବେଶ ହୋଇଥାଏ । ଏହା ନବଦିନ ବ୍ୟାପୀ ଦୁର୍ଗାପୂଜା ବା ନବରାତ୍ରର ପ୍ରଥମ ଦିନ । ଏହାପରେ ଦ୍ୱିତୀୟା ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ସାତଦିନ ଯଥାକ୍ରମେ ତାଙ୍କର ଜୟଦୁର୍ଗା ବେଶ, ଷୋଡ଼ଶୀ ବେଶ, ହରଚଣ୍ଡୀ ବେଶ, ବନଦୁର୍ଗା ବେଶ, ଗାୟତ୍ରୀ ବେଶ, ବଗଳାମୁଖୀ ବେଶ ଓ ମହାକାଳୀ ବେଶ ହୋଇଥାଏ । ମହାଷ୍ଟମୀର ମହାକାଳୀ ବେଶ ପରେ ମହାନବମୀ ଦିନ ମହାଲକ୍ଷ୍ମୀ ବେଶ, ବିଶ୍ରାମଦିନ ମହାସରସ୍ୱତୀ ବେଶ ଏବଂ ବିଜୟା ଦଶମୀରେ ଦେବୀଙ୍କର ମହିଷମର୍ଦ୍ଦିନୀ ବେଶ ହୋଇଥାଏ । ଅନ୍ୟଥା ଯେ ମାତୃ ଶକ୍ତିକୁ ମନ ମଧ୍ୟରେ ଅନୁଭବ କରି ନପାରେ ବା ଭଗବତୀ ଶକ୍ତି ରୂପିରୀ "ମା'ର ପୂଜା ନ କରେ ବା ତାହାର ଶୁଭ ଆଗମନରେ ଆନନ୍ଦ ଅନୁଭବ ନକରେ ସେ କଦାପି କର୍ମ ଶକ୍ତିର ଆନନ୍ଦକୁ ଉପଲବ୍ଧି କରିପାରିବ ନାହିଁ । ଫଳତଃ ସେ ସତ ପ୍ରକୃତିର ବଶବର୍ତ୍ତୀ ହେବା ପରିବର୍ତ୍ତେ ଅସତ୍ ପ୍ରକୃତିର ବଶବର୍ତ୍ତୀ ହୋଇଥାଏ । କର୍ମମୟ ଜୀବନରେ ଉତ୍ସାହ, ନିଷ୍ଠା, ପ୍ରେରଣା ପାଇବା ପରିବର୍ତ୍ତେ ନିରୁତ୍ସାହିତ, ଗ୍ଲାନି, ପରାଜୟ, କର୍ମକୁଣ୍ଠା ତଥା ହିଂସାର ଭାବକୁ ମନ ମଧ୍ୟରେ ସ୍ଥାନ ଦେଇଥାଏ । ଏଜଗତରେ ମାତୃଶକ୍ତି ହିଁ ଅପରାଜେୟ ଆଦ୍ୟାଶକ୍ତି ରୂପେ ଯୁଗେ ଯୁଗେ ସମ୍ବୋଧିତା । ପ୍ରତ୍ୟେକ ଦେବତାର ବୈଶିଷ୍ଟ୍ୟ ତାଙ୍କର ସ୍ୱତନ୍ତ୍ର କ୍ଷମତାରେ । ଅପରାଜେୟ ମାତୃଶକ୍ତିର ଅଧିକାରୀ ହେବାପାଇଁ ପ୍ରତିଟି ପ୍ରାଣରେ ମହାମାୟାଙ୍କ କରୁଣା ଅପରିହାର୍ଯ୍ୟ । ତେଣୁ ପବିତ୍ର ଆବିର୍ଭାବୋତ୍ସବ (ଶରତ କାଳରେ) ମାନବ ମାତୃଶକ୍ତିର ଉପାସନା କରିବା ପୂର୍ବକ ସେହି ଶକ୍ତିରେ ଶକ୍ତିମନ୍ତ ହୋଇ ଜୀବନକୁ କର୍ମ ଚଞ୍ଚଳ ଓ ଆନନ୍ଦ ମୁଖର କରିବା ବିଧେୟ । ଏହା ଏ ଜଗତର ଏକ ପ୍ରଚଳିତ ଧାରା । ଶେଷରେ ଏତିକି କୁହାଯାଇପାରେ ପୌରାଣିକ ଯୁଗରେ ମହିଷାସୁର ଓ ତା’ର ଚରମାନଙ୍କ ଦୃଷ୍ଟିନେଇ ନାରୀଙ୍କୁ ନଦେଖି, ଦେବତାମାନଙ୍କ ଅମୃତ ମୟ ଦୃଷ୍ଟିରେ ଦେଖିଲେ ସେମାନେ ଆପେ ଆପେ ମାତୃରୂପରେ ବିଦ୍ୟମାନ ହେବେ । ସାର୍ଥକ ହେବ ନାରୀଜାତିର ପ୍ରତିକାତ୍ମକ ପୂଜା ଦୁର୍ଗାପୂଜାର ଉଦ୍ଦେଶ୍ୟ ।
ମୋ : ୯୪୩୭୨୨୫୬୮୯