ବଦଳୁଛି ଜଳବାୟୁ


ଓଡ଼ିଶାର ଜଳବାୟୁ କ୍ଷେତ୍ରରେ ଗତ କେତେ ବର୍ଷ ହେଲା ଏକ ଅସ୍ୱାଭାବିକ ପରିସ୍ଥିତି ଦେଖା ଦେଉଛି । ତାତିର ମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଅଦିନରେ ଲଘୁଚାପ ସୃଷ୍ଟି ହେଉଛି ଏବଂ ଠିକଣା ସମୟରେ ବର୍ଷା ହେଉନି । ଗତ ୨୦୧୯ ମସିହା ଠାରୁ କ୍ରମାଗତ ଭାବେ ଲକ୍ଷ୍ୟ କରାଯାଉଛି ଯେ ମେ ମାସରେ ଓଡ଼ିଶାରେ ବାତ୍ୟା ହେଉଛି । ୨୦୧୯ ମସିହାରେ ଫନୀ, ୨୦୨୦ରେ ଅମ୍ଫାନ୍, ୨୦୨୧ରେ ୟାସ୍, ୨୦୨୨ରେ ଅସନୀ ଓଡ଼ିଶାରେ ତାଣ୍ଡବ ରଚିଛି । ଏହିସବୁ ବାତ୍ୟା ଗୁଡ଼ିକ ମଧ୍ୟରୁ ଫନୀ ଓଡ଼ିଶାର ସର୍ବାଧିକ କ୍ଷତି କରିଛି । ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ କ୍ରମାଗତ ୪ ବର୍ଷ ଧରି ବାତ୍ୟାଗୁଡ଼ିକ ମେ ମାସରେ ଓଡ଼ିଶା ଉପକୂଳକୁ ଧକ୍କା ଦେଇ ତାଣ୍ଡବ ରଚିଛି । ଚଳିତ ୨୦୨୫ ମସିହାରେ ମେ ମାସରେ ଓଡ଼ିଶାରେ ବାତ୍ୟା ହୋଇନାହିଁ ସତ; କିନ୍ତୁ ଅସ୍ୱାଭାବିକ ଭାବେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ସାରା ରାଜ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ଅନେକ ସ୍ଥାନରେ ହୋଇଯାଇଛି । ମେ ମାସର ଶେଷ ସପ୍ତାହରେ ଲଘୁଚାପ ହେବା ଏକ ନୂଆ ଘଟଣା । ପାଣିପାଗଜନିତ ପରିବର୍ତ୍ତନ ହେତୁ ଏପ୍ରକାରର ଅସ୍ୱାଭାବିକ ଘଟଣା ସବୁ ଘଟୁଛି । 
ଚଳିତବର୍ଷ ରାଜ୍ୟରେ ତଥା ଦେଶରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ ହୋଇଥିବା ବେଳେ ମୂଳରୁ ମାତ୍ର ମୌସୁମୀ ଉଭାନ୍ ହୋଇଯାଇଛି । ରାଜ୍ୟର ମୋଟ କୃଷିକ୍ଷେତ୍ରର ପ୍ରାୟ ଶତକଡ଼ା ୬୦ ଭାଗ ବର୍ଷା ଉପରେ ନିର୍ଭର କରେ । ବର୍ତ୍ତମାନ ସମୟରେ ପାଣିପାଗ ବିଜ୍ଞାନ ଯଥେଷ୍ଟ ଅଗ୍ରଗତି କରିଛି ଏବଂ ସରକାରଙ୍କର ପାଣିପାଗ ବିଭାଗ ସହିତ କିଛି ଘରୋଇ କ୍ଷେତ୍ରର ପାଣିପାଗ ବିଜ୍ଞାନ ବିଭିନ୍ନ ଟେଲିଭିଜନ୍ ଚ୍ୟାନେଲ୍ରେ ପାଣିପାଗର ପୂର୍ବାନୁମାନ ପ୍ରକାଶ କରୁଛନ୍ତି । ମୋଟ ଉପରେ ଦେଖାଯାଉଛି ଯେ ସରକାରୀ ଏବଂ ଘରୋଇ କ୍ଷେତ୍ର ଉଭୟରେ ପୂର୍ବାନୁମାନ ଅଧିକ ଭାବରେ ନିର୍ଭୁଲ୍ ଆକଳନ ହେଉଛି । ପାଣିପାଗର ପରିବର୍ତ୍ତନ ତଥା ବାୟୁମଣ୍ଡଳର ଉପର ସ୍ତରରେ ଘଟୁଥିବା ପରିବର୍ତ୍ତନ ନିର୍ଭୁଲ୍ ଭାବରେ ଆକଳନ କରିବା ସମ୍ଭବପର ନହେଲେ ମଧ୍ୟ କାଁ ଭାଁ କେତୋଟି ଘଟଣାକୁ ଛାଡ଼ି ଦେଲେ ପ୍ରାୟତଃ ନିର୍ଭୁଲ୍ ରହୁଛି । ରାଜ୍ୟର କୃଷିକ୍ଷେତ୍ର ମୌସୁମୀ ବର୍ଷା ଉପରେ ଅନେକ ପରିମାଣରେ ନିର୍ଭର କରୁଥିବାରୁ ଖାଦ୍ୟଶସ୍ୟ ଉତ୍ପାଦନ ସହିତ କୃଷି ଦ୍ରବ୍ୟର ରପ୍ତାନୀ ଏବଂ ବାଣିଜ୍ୟ ମଧ୍ୟ ନିର୍ଭର କରୁଛି । ଏପରିକି ଦେଶର ଜଳବିଦୁ୍ୟତ୍ କେନ୍ଦ୍ର ଗୁଡ଼ିକରେ ବିଦୁ୍ୟତ୍ ଉତ୍ପାଦନ ମଧ୍ୟ ବର୍ଷା ଉପରେ ନିର୍ଭର କରେ । ସାମଗ୍ରିକ ଭାବେ ଦେଖିବାକୁ ଗଲେ ଏକ ଭଲ ମୌସୁମୀ ପ୍ରବାହ ଏବଂ ବର୍ଷ ରାଜ୍ୟ ତଥା ଦେଶର ସାମଗ୍ରିକ ପ୍ରଗତିରେ ସହାୟକ ହୋଇଥାଏ । ହେଲେ ଓଡ଼ିଶା କ୍ଷେତ୍ରରେ ମେ ମାସର ବାତ୍ୟା ଓଡ଼ିଶାର ଅର୍ଥନୀତିକୁ ଦୁର୍ବଳ କରି ଦେଉଛି । ୨୦୧୯ ମସିହାର ଫନୀ ବାତ୍ୟା ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଭୟଙ୍କର ଭାବରେ କ୍ଷତି ଘଟାଇଥିଲା । ଏହି କ୍ଷତିର ପ୍ରଭାବ ଆଜି ଯାଏଁ କେତେକ ସ୍ଥାନରେ ଲୋକଙ୍କର ଆର୍ଥିକ ସ୍ଥିତିକୁ ସଜାଡ଼ି ପାରିନାହିଁ । ଲୋକେ ଫନୀ ବାତ୍ୟାଜନିତ ସହାୟତା ସରକାରଙ୍କ ଠାରୁ ୬ ବର୍ଷ ହେଲା ଚାହିଁ ରହିଛନ୍ତି । ସଅଳ ମୌସୁମୀ କିମ୍ବା ବିଳମ୍ବିତ ମୌସୁମୀ ରାଜ୍ୟର ଅର୍ଥନୀତିକୁ ଯେତିକି ପ୍ରଭାବିତ ନକରେ, ତା' ଠାରୁ ଅଧିକ ପ୍ରଭାବିତ କରେ ଗୋଟିଏ ଗୋଟିଏ ବାତ୍ୟା । ଓଡ଼ିଶା ହେଉଛି ବାତ୍ୟା ଓ ମରୁଡ଼ିର ଏକ ଅଞ୍ଚଳ । ପ୍ରାକ୍-ମୌସୁମୀ ବାତ୍ୟା ଏବଂ ମୌସୁମୀ ସମୟରେ ବାତ୍ୟା ପ୍ରାୟତଃ ଓଡ଼ିଶାର ଚିର ସହଚର । ଏପ୍ରକାରର ପାଣିପାଗଜନିତ ପରିସ୍ଥିତିକୁ ଲକ୍ଷ୍ୟ କରି ଓଡ଼ିଶାର ଚାଷ ଓ ଚାଷୀ ସେମାନଙ୍କର ପାରମ୍ପରିକ ଚାଷ ଧାରା ବଦଳାଇବା ଆବଶ୍ୟକ । ଲକ୍ଷ୍ୟ କରାଯାଉଛି ଯେ ଓଡ଼ିଶାର କୃଷକମାନେ ବାରମ୍ବାର ପାଣିପାଗଜନିତ ବାତ୍ୟା ଓ ମରୁଡ଼ିର ସମ୍ମୁଖୀନ ହେଉଥିଲେ ମଧ୍ୟ ପାରମ୍ପରିକ କୃଷି ପଦ୍ଧତିକୁ ବଦଳାଉ ନାହାନ୍ତି । ଏହି କାରଣରୁ ପଞ୍ଜାବ ଓ ହରିଆଣାର ଚାଷୀମାନେ ଆର୍ଥôକ ଦୃଷ୍ଟିରୁ ସମୃଦ୍ଧ ହେଉଥିବା ବେଳେ ଓଡ଼ିଶାର ଚାଷୀକୂଳ ଆର୍ଥିକ ଭାବରେ ଦୁର୍ବଳ ହୋଇ ରହିଯାଉଛନ୍ତି । ଏହି କାରଣରୁ ଦାଦନ ଶ୍ରମିକ ଭଳି ସମସ୍ୟା ଓଡ଼ିଶାରେ ଲାଗି ରହୁଛି । ଓଡ଼ିଶାର ଚାଷୀକୂଳ ଅପ୍ରତ୍ୟାଶିତ ଜଳବାୟୁଜନିତ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ଚାଷର ପଦ୍ଧତିକୁ ବଦଳାଇବା ଆବଶ୍ୟକ । ସରକାର ମଧ୍ୟ ଜିଲ୍ଲା କୃଷି ବିଭାଗ ମାଧ୍ୟମରେ ଚାଷୀମାନଙ୍କୁ ପରିବର୍ତ୍ତିତ ଓ ପରିବର୍ଦ୍ଧିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ତାଲିମ୍ ଦେବା ଆବଶ୍ୟକ ।